ଭାରତ ୮ୱିକେଟ୍ରେ ବିଜୟୀ

ନାପିୟର, ୨୩ା୧(ଏଜେନ୍ସି): ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୮ ୱିକେଟ୍ରେ ସହଜ ବିଜୟ ହାସଲ କରିଛି । ମହମ୍ମଦ ସାମି ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ସାଙ୍ଗକୁ ଶିଖର ଧାୱନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୧୪.୧ ଓଭର ବାକି ଥାଇ ବିଜୟ ହାସଲ କରିନେଇଥିଲା । ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ସହ ୧୦୦ଦିନିକିଆ ୱିକେଟ୍ ହାସଲ କରିଥିବା ମହମ୍ମଦ ସାମି ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ବର୍ଷା ଯୋଗୁଁ ଖେଳରେ ବାଧା ଉପୁଜିବା ଓ ଡକ ୱର୍ଥ ଲୁଇସ ନିୟମର ପ୍ରୟୋଗ କରାଯିବା କ୍ରିକେଟ୍ରେ ନୂଆ ଘଟଣା ନୁହେଁ । ହେଲେ ପ୍ରଥମ ଥର ପାଇଁ ଖରା ଯୋଗୁଁ ଖେଳ ଅଧ ଘଣ୍ଟା ବାଦ୍ଧାପ୍ରାପ୍ତ ହୋଇଥିଲା ଓ ଶେଷରେ ଡକ୍ ୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୮ ଓଭରରେ ୧୫୭ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଭାରତ ୧୦ ଓଭର ବ୍ୟାଟିଂ କରି ସାରିବା ପରେ ଖରା ଯୋଗୁଁ ବ୍ୟାଟିଂ କରିବାରେ ଅସୁବିଧା ହୋଇଥିଲା । ସୁର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖେଳ ବନ୍ଦ ରହିଥିଲା । ଅଧଘଣ୍ଟା ବିଳମ୍ଭ ଯୋଗୁଁ ଡକ୍ ୱର୍ଥ ଲୁଇସ ନିୟମ ଭିତ୍ତିରେ ଭାରତ ସମ୍ମୁଖରେ ବିଜୟ ପାଇଁ ୪୯ଓଭରରେ ୧୫୬ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ମ୍ୟାକ୍ ଲିନ୍ ପାର୍କ ଗ୍ରାଉଣ୍ଡ୍ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ବୋଲର ଏଥିପାଇଁ ଚିନ୍ତିତ ନଥିଲେ । ଅଷ୍ଟ୍ରେଲିଆରେ ଶୃଙ୍ଖଳିତ ବୋଲିଂ କରିଥିବା ମହମ୍ମଦ ସାମି ପ୍ରଥମ ଓଭରରୁ ନ୍ୟୁଜିଲାଣ୍ଡ ଓପନରଙ୍କୁ ସଟ୍ ଖେଳାଇ ଦେଇ ନଥିଲେ । ଦ୍ୱିତୀୟ ଓଭରର ପଞ୍ଚମ ବଲ୍ରେ ସେ ମାର୍ଟିନ ଗୁପତିଲ(୫)ଙ୍କୁ ବୋଲ୍ଡ କରିଥିଲେ । ଏହାପରେ ଚତୁର୍ଥ ଓଭର୍ର ତୃତୀୟ ବଲ୍ରେ କଲିନ ମନ୍ରୋଙ୍କୁ ବୋଲ୍ଡ କରି ସେ ବିପର୍ଯ୍ୟୟ ଘଟାଇଥିଲେ ।
ଫର୍ମରେ ଥିବା କେନ୍ ୱିଲାମସନ ଓ ରସ ଟେଲର ସତର୍କତାର ସହ ବ୍ୟାଟିଂ କରି ସ୍ଥିତି ସୁଧାରିବାକୁ ପ୍ରୟାସ ଚଳାଇଥିଲେ । ଉଭୟ ଦଳୀୟ ସ୍କୋରକୁ ୫୨ରେ ପହଞ୍ଚାଇଥିଲେ । ୟୁଝବେନ୍ଦ୍ର ଚହଲ ବୋଲିଂ କରିବାକୁ ଆସି ୧୫ତମ ଓଭରରେ ଯୋଡି ଭାଙ୍ଗିଥିଲେ । ସେ ଟେଲର(୨୪)ଙ୍କୁ ଆଉଟ୍ କରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ଭାରତୀୟ ବୋଲରଙ୍କ ମୁକାବିଲା କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇଯାଇଥିଲା । ୱିଲାମସନ ଗୋଟିଏ ପଟେ ଦୃଢ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଅନ୍ୟ ପଟରେ ଦଳ ୬ଟି ୱିକେଟ୍ ହରାଇ ସାରଥିଲା । ଦଳୀୟ ସ୍କୋର ୧୪୬ ବେଳେ ସେ ବ୍ୟକ୍ତିଗତ ୬୪ ରନ୍ କରି ଆଉଟ୍ ହୋଇଥିଲେ । ପରବର୍ତ୍ତୀ ୧୧ ରନ୍ ମଧ୍ୟରେ ଦଳ ଶେଷ ୪ଟି ୱିକେଟ୍ ହରାଇଥିଲା । କୁଲଦୀପ ୪ଟି ଓ ସାମି ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଚହଲ ୨ଟି ୱିକେଟ୍ ନେଇଥିଲେ ।
୧୫୮ ରନ୍ର ବିଜୟ ଲକ୍ଷ୍ୟ ଭାରତ ପାଇଁ କଷ୍ଟକର ନଥିଲା । ଧାୱନ ଓ ରୋହିତ ଶର୍ମା ପ୍ରଥମ ୱିକେଟ୍ରେ ୪୧ ରନ୍ ସଂଗ୍ରହ କରି ନେଇଥିଲେ । ୧୧ରନ୍ କରି ରୋହିତ ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଅପରାଜିତ ଧାୱନଙ୍କ ସହ ଦ୍ୱିତୀୟ ୱିକେଟ୍ରେ ୯୧ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୩୨ ବେଳେ କୋହଲି ବ୍ୟକ୍ତିଗତ ୪୫ରନ ୍କରି ପାଭିଲିୟନ ଫେରିଥିଲେ । ଧାୱନ ଓ ଅମ୍ବାତି ରାୟୁଡୁ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଳେ । ଧାୱନ ୬ଟି ଚୌକା ବଳରେ ୭୫ ଓ ରାୟୁଡୁ ୧୩ ରନ୍ କରିଥିଲେ ।