ନୂଆଦିଲ୍ଲୀ,୨୪/୧୨; ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୭ ୱିକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୯ ୱିକେଟ୍ ହରାଇ ୧୨୮ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୧.୫ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ୩୪ଟି ବଲ୍‌ରୁ ୧୧ ଚୌକା ଓ ୧ ଛକା ବଳରେ ଅପରାଜିତ ୬୯ ରନ କରି ଦଳକୁ ବିଜୟୀ କରାଇଥିବା ଶେଫାଳି ବର୍ମା ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ବିଜୟ ସହ ଭାରତ ୨-୦ରେ ସିରିଜ ଅଗ୍ରଣୀ ହାସଲ କରିଛି ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଭାରତ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଓପନର ଭିଷ୍ମୀ ଗୁଣରତ୍ନେ ମାତ୍ର ୧ ରନ କରି ଆଉଟ୍ ହୋଇଥିଲେ । ଅନ୍ୟ ଓପନର ଚାମରି ଆଟ୍ଟାପଟୁ ଓ ହାସିନି ପେରେରା ସତର୍କତାର ସହ ବ୍ୟାଟିଂ କରି ୩୬ ରନର ଭାଗିଦାରୀ ଗଠନ କରିଥିଲେ । ଆଟ୍ଟାପଟୁ ୩୧ (୩ଚୌକା, ୨ଛକା) ରନ କରି ଆଉଟ୍ ହୋଇଥିଲେ । ଏହାପରେ ମଧ୍ୟ ଶ୍ରୀଲଙ୍କାର ଆଉ ଏକ ଉପଯୋଗୀ ଭାଗିଦାରୀ ଗଠନ ହୋଇଥିଲା । ହାସିନି ଓ ହର୍ଷିତା ସମରବିକ୍ରମା ତୃତୀୟ ୱିକେଟ୍ରେ ୪୪ ରନ ଯୋଗ କରି ଦଳୀୟ ସ୍କୋରକୁ ୮୨ରେ ପହଞ୍ଚାଇଥିଲେ । ହାସିନି ୨୨ ରନ କରି ଆଉଟ୍ ହେବା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ବ୍ୟାଟରମାନେ ଦ୍ରୁତ ରନ ସଂଗ୍ରହ କରିବାକୁ ଯାଇ ବିଫଳ ହୋଇଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଶେଷରେ ୯ ୱିକେଟ୍ ହରାଇ ୧୨୮ ରନ କରିଥିଲା । ଭାରତ ପକ୍ଷରୁ ବୈଷ୍ଣବୀ ଶର୍ମା ଓ ଶ୍ରୀ ଚରଣୀ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଆଉ ୩ଟି ମ୍ୟାଚ୍ ବାକି ରହିଛି । ଆସନ୍ତା ୨୬ ତାରିଖ ଥିରୁଅନନ୍ତପୁରମ ଠାରେ ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ ।ଜବାବରେ ଭାରତର ଦୁଇ ଓପନର ସ୍ମୃତି ମନ୍ଧନା ଓ ଶେଫାଳି ୨୯ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ମନ୍ଧନା ୧୪ (୧ଚୌକା, ୧ଛକା) ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଶେଫାଳିଙ୍କୁ ଅଟକାଇବାରେ ଶ୍ରୀଲଙ୍କା ବୋଲର ବିଫଳ ହୋଇଥିଲେ । ସେ ଦର୍ଶନୀୟ ଚୌକାମାନ ମାରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଶେଫାଳି ଓ ଜେମିମା ଦ୍ୱିତୀୟ ୱିକେଟ୍‌ର ୫୮ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୮୭ ବେଳେ ଜେମିମା ବ୍ୟକ୍ତିଗତ ୨୬ (୪ଚୌକା, ୧ଛକା) ରନ କରି ଆଉଟ୍ ହୋଇଥିଲେ । ଏହାପରେ ମଧ୍ୟ ଶେଫାଳି ଓ ହର୍ମନପ୍ରୀତ ୪୧ ରନ୍ର ଆଉ ଏକ ଭାଗିଦାରୀ ଗଢ଼ି ଦଳକୁ ବିଜୟୀ କରାଇଥିଲେ । ହର୍ମନପ୍ରୀତ ୧୦ ରନ କରି ଆଉଟ୍ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ମଲକି ମଦାରା, କାବ୍ୟା କାଭିଣ୍ଡି ଓ କବିଶା ଦିଲହାରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।