ତୃତୀୟ ଦିନିକିଆରେ ୯୦ ରନରେ ଧୂଳି ଚାଟିଲା ନ୍ୟୁଜିଲାଣ୍ଡ, କ୍ଲିନ୍ ସ୍ବିପ୍ ସହ ODI ରାଙ୍କିଂ ଶୀର୍ଷରେ ଟିମ୍ ଇଣ୍ଡିଆ

ଇନ୍ଦୋର ୨୪/ ୦୧: ଭାରତ ଏବେ ଦିନିକିଆରେ ବିଶ୍ବର ଏକ ନମ୍ବର ଦଳ । ଇନ୍ଦୋରରେ ଜାରି ରହିଥିବା ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନ୍ରେ ଧୂଳି ଚଟାଇଛି ଘରୋଇ ଦଳ । ଏଥି ସହିତ ୩ ଟିକିଆ ଓ୍ବାନ୍ଡେ’ ସିରିଜ୍କୁ ୩-୦ରେ କ୍ଲିନ୍ ସ୍ବିପ୍ କରିଛି ଭାରତ । ୩୮୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭ୍ରମଣକାରୀ ଟିମ୍ ୪୧.୨ ଓଭରରେ ୨୯୫ ରନ କରି ଅଲଆଉଟ ହୋଇଯାଇଛି । ପ୍ରଥମେ ଓପନରଙ୍କ ଜବରଦସ୍ତ ଇନିଂସ ଏବଂ ପରେ ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବଙ୍କ ବିଚକ୍ଷଣ ବୋଲିଂ ଯୋଗୁ ସହଜ ବିଜୟ ହାସଲ କରିଛି ମେନ୍ ଇନ୍ ବ୍ଲୁ । ଏଥି ସହିତ ଦିନିକିଆ ରାଙ୍କିଂରେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷକୁ ଚାଲିଯାଇଛି ।
ନ୍ୟୁଜିଲାଣ୍ଡ ଓପନର ଫିନ୍ ଆଲେନ୍ ଖାତା ଖୋଲିବା ପୂର୍ବରୁ ହିଁ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ଅନ୍ୟତମ ଓପନର୍ ଡେଭୋନ୍ କୋନଓ୍ବେଙ୍କ ଦର୍ଶନୀୟ ଶତକ ସତ୍ତ୍ବେ ନ୍ୟୁଜିଲାଣ୍ଡ ବିଜୟୀ ହୋଇପାରିନାହିଁ । କୋନଓ୍ବେ ବ୍ୟକ୍ତିଗତ ଭାବେ ୧୦୦ ବଲ ଖେଳି ୧୨ଟି ଚୌକା ଏବଂ ୮ଟି ଛକା ସହାୟତାରେ ୧୩୮ ରନ କରି ଆଉଟ ହୋଇଥିଲେ । ସେହିଭଳି ହେନରୀ ନିକୋଲସ୍ ୪୨ରନ, ଡାରିଲ ମିଚେଲ ୨୪ରନ, ଅଧିନାୟକ ଟମ୍ ଲାଥାମ୍ ୦ରନ, ଗ୍ଲେନ୍ ଫିଲିପ୍ସ ୫ରନ, ମିଚେଲ୍ ବ୍ରେସଓ୍ବେଲ ୨୬ରନ, ମିଚେଲ ସାଣ୍ଟନର୍ ୩୪ରନ, ଲୋକି ଫର୍ଗ୍ୟୁସନ୍ ୭ରନ ଏବଂ ଜାକୋବ୍ ଡଫି ୦ ରନ୍ କରି ଆଉଟ ହୋଇଛନ୍ତି । ବ୍ଲେୟର ଟିକନର୍ ୦ରନ କରି ଅପରାଜିତ ଥିଲେ ।
ପଢନ୍ତୁ ଏହି ଖବର: ହକି ବିଶ୍ବକପ୍ ୨୦୨୩: ନ୍ୟୁଜିଲାଣ୍ଡକୁ ହରାଇ ସେମି ଫାଇନାଲରେ ବେଲଜିୟମ
ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୬ ଓଭରରେ ୪୫ ରନ ଦେଇ ୩ଟି ଓ୍ବିକେଟ ନେବା ସହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ସେହିଭଳି କୁଲଦୀପ ଯାଦବ ୯ ଓଭରରେ ୬୨ରନ ଦେଇ ୩ଟି, ହାର୍ଦ୍ଧିକ ପାଣ୍ଡ୍ୟା ୬ ଓଭରରେ ୩୭ରନ ୧ ଓ୍ବିକେଟ୍, ଓ୍ବାଶିଂଟନ ସୁନ୍ଦର ୬ ଓଭରରେ ୪୯ରନ, ଉମ୍ରାନ ମଲିକ ୭ ଓଭରରେ ୫୨ରନ ୧ ଓ୍ବିକେଟ୍, ଯୁଜବେନ୍ଦ୍ର ଚହଲ ୭.୨ ଓଭରରେ ୪୩ରନ ଦେଇ ଦୁଇଟି ଓ୍ବିକେଟ ନେଇଛନ୍ତି । ପୂରା ସିରିଜର ଦମଦାର ବ୍ୟାଟିଂ କରି ୩ଟି ମ୍ୟାଚରୁ ୩୬୦ ରନ କରିଥିବା ଶୁଭମାନ ଗିଲ୍ ମ୍ୟାନ୍ ଅଫ୍ ଦି ସିରିଜ୍ ହୋଇଛନ୍ତି ।