ଜୟପୁର, ୨୮।୨: ପ୍ରଚଣ୍ଡ ଗର୍ଜନରେ ଥରିଲା ଜୈସାଲମେର । ପୋଖରାନରେ ବାୟୁସେନାର ମହାସମର । ଭାରତୀୟ ବାୟୁସେନା ନିଜର ଆକାଶମାର୍ଗୀୟ ପ୍ରଭୁତ୍ୱ ଏବଂ ଯୁଦ୍ଧ ପ୍ରସ୍ତୁତିର ଏକ ଭବ୍ୟ ପ୍ରଦର୍ଶନ କରି ରାଜସ୍ଥାନର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ 'ଅଭ୍ୟାସ ବାୟୁଶକ୍ତି-୨୬' ସଫଳତାର ସହ ସମ୍ପାଦନ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବାୟୁସେନାର ଅଗ୍ନିଶକ୍ତି ପ୍ରଦର୍ଶନକୁ ଅବଲୋକନ କରିଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ସମେତ ରାଜସ୍ଥାନ ରାଜ୍ୟପାଳ ହରିଭାଉ କିସନରାଓ ବାଗଡ଼େ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମ ମୋହନ ନାଇଡୁ ଏବଂ ସିଡିଏସ୍ ଜେନେରାଲ ଅନିଲ ଚୌହାନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅଭ୍ୟାସକୁ ଦେଖିବା ପାଇଁ ବିଦେଶୀ ପ୍ରତିରକ୍ଷା ଅଧିକାରୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ ।
ଏହା ବି ପଢ଼ନ୍ତୁ... ଆଉ ୨୪ ଘଣ୍ଟା ବାକି ବନ୍ଦ ହେବ ହ୍ୱାଟ୍ସଆପ୍ ? କରିନିଅନ୍ତୁ ଏହି ୩ କାମ, ନଚେତ୍ ସିମ୍ ବାଇଣ୍ଡିଂ ପରେ ଭାବୁଥିବେ
'ଆତ୍ମନିର୍ଭର ଭାରତ'ର ଝଲକ:
ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ LCH 'ପ୍ରଚଣ୍ଡ' ହେଲିକପ୍ଟରରେ ଯାତ୍ରା କରିଥିଲେ। ଏହା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଢ଼ୁଥିବା ଆତ୍ମନିର୍ଭରତା ଏବଂ 'ଆତ୍ମନିର୍ଭର ଭାରତ' ସଂକଳ୍ପକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରିଥିଲା । ୧୩୦ରୁ ଅଧିକ ବିମାନ: ରାଫେଲ, Su-30 MKI, ମିରାଜ-୨୦୦୦, ମିଗ୍-୨୯, ସି-୧୭ ଏବଂ ଲାଇଟ୍ କମ୍ୱାଟ୍ ହେଲିକପ୍ଟର ଭଳି ୧୩୦ରୁ ଅଧିକ ବିମାନ ଏହି ଦିବା-ରାତ୍ର ଅଭ୍ୟାସରେ ସାମିଲ ହୋଇଥିଲେ । ରାଫେଲ ଯୁଦ୍ଧ ବିମାନ ଦ୍ୱାରା ସୃଷ୍ଟି ହୋଇଥିବା ଶକ୍ତିଶାଳୀ 'ସୋନିକ୍ ବୁମ୍' ଶବ୍ଦ ପୁରା ରେଞ୍ଜକୁ ଥରାଇ ଦେଇଥିଲା । ବାୟୁସେନାର ପ୍ଲାଟଫର୍ମ ଏବଂ 'ଆକାଶ' ଓ 'ସ୍ପାଇଡର' କ୍ଷେପଣାସ୍ତ୍ର ପ୍ରଣାଳୀ ମାଧ୍ୟମରେ ସିମୁଲେଟେଡ୍ ଶତ୍ରୁ ଲକ୍ଷ୍ୟସ୍ଥଳକୁ ସଠିକ୍ ଭାବେ ଧ୍ୱଂସ କରାଯାଇଥିଲା । ଅଭ୍ୟାସର ରାତି ପର୍ଯ୍ୟାୟରେ ବାୟୁସେନା ନିଜର ଅନ୍ଧକାରରେ ମଧ୍ୟ ସଠିକ୍ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଥିଲା ।
ବିଶେଷ ମିଶନ ଓ ଡ୍ରୋନ୍ ପ୍ରଦର୍ଶନ:
ଏହି ଅଭ୍ୟାସରେ କେବଳ ଆକ୍ରମଣ ନୁହେଁ, ବରଂ ଗରୁଡ଼ ସ୍ୱତନ୍ତ୍ର ବାହିନୀ ଏବଂ ପାରା SF ଦ୍ୱାରା ବନ୍ଧକ ଉଦ୍ଧାର ଓ ସହରାଞ୍ଚଳ ହସ୍ତକ୍ଷେପର କୌଶଳ ପ୍ରଦର୍ଶନ କରାଯାଇଥିଲା । ପରିଶେଷରେ ଏକ ଭବ୍ୟ ଡ୍ରୋନ୍ ପ୍ରଦର୍ଶନ ଏବଂ C-17 ବିମାନର ଫ୍ଲାଏ-ପାଷ୍ଟ ସହ ଅଭ୍ୟାସ ଶେଷ ହୋଇଥିଲା । “ଆଚ୍ୟୁକ୍, ଅଭୈଦ୍ୟ ଔର ସତୀକ୍” ମନ୍ତ୍ରରେ ପରିଚାଳିତ ଏହି ଅଭ୍ୟାସ ବାୟୁଶକ୍ତି-୨୬ ପ୍ରମାଣିତ କରିଛି ଯେ, ଭାରତୀୟ ବାୟୁସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଏବଂ ଦେଶର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।