ନୂଆଦିଲ୍ଲୀ,୧୬।୧୦: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଧରଣର ଉପଲବ୍ଧି। DRDO ଦ୍ୱାରା ବିକଶିତ ସ୍ୱଦେଶୀ ସାମରିକ ଯୁଦ୍ଧ ପାରାଚୁଟ୍ ସିଷ୍ଟମ୍ ୩୨ ହଜାର ଫୁଟ ଉଚ୍ଚତାରୁ ହୋଇଛି ସଫଳ ପରୀକ୍ଷଣ । ଭାରତୀୟ ବାୟୁସେନାର ସାହସୀ ସୈନିକମାନେ ଏହି ଉଚ୍ଚତାରୁ ଫ୍ରିଫଲ୍ ଜମ୍ପ ପ୍ରଦର୍ଶନ କରି ପାରାଚୁଟ୍ ସିଷ୍ଟମର ଶକ୍ତି ଏବଂ ନିର୍ଭରଯୋଗ୍ୟ ଡିଜାଇନ୍ ପ୍ରଦର୍ଶନ କରିଥିଲେ। ଏହା ଭାରତର ପ୍ରଥମ ପାରାଚୁଟ୍ ସିଷ୍ଟମ୍ ଯାହା ୨୫ ହଜାର ଫୁଟରୁ ଅଧିକ ଉଚ୍ଚତାରେ ବ୍ୟବହାର କରାଯାଇପାରିବ।
ସ୍ବଦେଶୀ ଟେକ୍ନୋଲୋଜି ଆଧାରିତ ମିଲିଟାରୀ କମ୍ବାଟ ପରାସୁଟକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା ଡିଆରଡିଓର ଦୁଇଟି ଲ୍ୟାବ୍ ତିଆରି କରିଛନ୍ତି। ତାହା ହେଲା ଏରିୟଲ ଡେଲିଭରି ରିସର୍ଚ୍ଚ ଆଣ୍ଡ ଡେଭଲପମେ୍ଟ ଏଷ୍ଟାବ୍ଲିସମେଣ୍ଟ ଆଗ୍ରା ଏବଂ ଡିଫେନ୍ସ ବାୟୋ ଇଞ୍ଜିନିୟରିଂ ଆଣ୍ଡ ଇଲେକ୍ଟୋ ମେଡିକାଲ ଲାବୋରେଟରୀ ବେଙ୍ଗାଲୁର। ବୈଜ୍ଞାନିକମାନେ ଅଢ଼େଇ ବର୍ଷର କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି। ଏହି ପାରାଚୁଟରେ ରହିଛି ନୂତନ ଟେକ୍ନାଲୋଜି । ଯେପରିକି କମ୍ ଗତିରେ ଅବତରଣ କ୍ଷମତା ଏବଂ ଉନ୍ନତ ଦିଗ ନିୟନ୍ତ୍ରଣ କ୍ଷମତା ପ୍ରଦାନ କରିବ। ଯାହାଦ୍ବାରା ସୈନିକଙ୍କୁ ସଠିକ୍ ଅବତରଣ କରିବାରେ ସାହାଯ୍ୟ ମିଳିବ।
ସ୍ୱଦେଶୀ ସାମରିକ ପାରାଚୁଟ୍ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ଭାରତ ୩୨ ହଜାର ଫୁଟ ଉଚ୍ଚତାରୁ ଡେଇଁବା ପାଇଁ ସକ୍ଷମ ଏକ ସାମରିକ ଯୁଦ୍ଧ ପାରାଚୁଟ୍ ପ୍ରଣାଳୀ ବିକଶିତ କରିଛି। ଏହି ସିଷ୍ଟମ ଆସିବା ସହିତ, ଭାରତକୁ ଆଉ ବିଦେଶୀ ପାରାଚୁଟ୍ ସିଷ୍ଟମ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହାର ରକ୍ଷଣାବେକ୍ଷଣ ଦେଶ ମଧ୍ୟରେ ଶୀଘ୍ର ଏବଂ ସହଜ ହେବ, ଯାହା ଯୁଦ୍ଧ କିମ୍ବା ସଙ୍କଟ ସମୟରେ ସମ୍ପୂର୍ଣ୍ଣ ଭାବର କାମ କରିବାର ଯୋଗ୍ୟ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ନେଇ ଡିଆରଡିଓ, ବାୟୁସେନା ଓ ଉଦ୍ୟୋଗ ଜଗତକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ କହିଛନ୍ତି ଏହି ସଫଳତା ଭାରତର ସ୍ବଦେଶୀ ପ୍ରତିରକ୍ଷା ଟେକ୍ନୋଲୋଜିରେ ବଡ଼ ପଦକ୍ଷେପ। ଡିଆରଡିଓର ସୂଚନା ଅନୁସାରା, ମିଲିଟାରୀ କମ୍ବାଟ ପାରାସୁଟ୍ ସିଷ୍ଟମରେ ବହୁ ଉନ୍ନତ ସାମରିକ ବିଶେଷତ୍ବ ରହିଛି। କିଭଳି ସୈନିକ ଅଧିକ ସୁରକ୍ଷିତ ଭାବରେ ଓହ୍ଲାଇ ପାରିବେ, ଏହାର ଶ୍ରେଷ୍ଠ ସଞ୍ଚାଳନ କ୍ଷମତା ଏବଂ ପରାଟ୍ରୁପର ସଠିକ ଦିଗ ନିୟନ୍ତ୍ରଣକୁ ଅଧିକ ଧ୍ୟାନ ଦିଆଯାଇଛି।