ବାୟୁସେନାର ଯୋଜନା: ଇସ୍ରାଏଲରୁ କିଣିବ ୧୫ ‘ଆତ୍ମଘାତୀ’ ଡ୍ରୋନ

source:www.dnaindia.com
ନୂଆଦିଲ୍ଲୀ,୨୭ ।୧(ଏଜେନ୍ସି): ଭାରତୀୟ ବାୟୁସେନା ଏବେ ନିଜର ଡ୍ରୋନ ଆକ୍ରମଣ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଇସ୍ରାଏଲ ଠାରୁ ୧୫ଟି ‘ହାରୋପ୍’ଆତ୍ମଘାତୀ ଡ୍ରୋନ କିଣିବାକୁ ଯୋଜନା କରିଛି । ବାୟୁସେନା ପୂର୍ବରୁ ମଧ୍ୟ ଏଧରଣର ଡ୍ରୋନ କିଣିସାରିଛି । ପୂର୍ବରୁ କରାଯାଇଥିବା ଚୁକ୍ତିରେ ଭାରତ ଆବଶ୍ୟକ ମନେ କଲେ ଅତିରିକ୍ତ ଡ୍ରୋନ କିଣିପାରିବ ବୋଲି ସର୍ତ୍ତ ଥିଲା । ତା’କୁ ବ୍ୟବହାର କରି ଭାରତ ଏବେ ଆଉ ୧୫ଟି ‘ହାରୋପ’ ଡ୍ରୋନ କିଣିବ । ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଏହି ଡ୍ରୋନ କିଣାଯିବା ସମ୍ପର୍କରେ ନିଷ୍ପତ୍ତି ନେବ ।
‘ହାରୋପ’୍ ଡ୍ରୋନରେ ଇଲେକ୍ଟୋ-ଅପ୍ଟିକାଲ ସେନ୍ସର ଲାଗିଥାଏ ଯାହା ଶତ୍ରୁ ରାଷ୍ଟ୍ରର ରାଡାର କେନ୍ଦ୍ରକୁ ଚିହ୍ନଟ କରିଥାଏ । ଏହାର ଆକାର ଖୁବ୍ ଛୋଟ ଏବଂ ଏଥିରେ ଷ୍ଟେଲ୍ଥ ଫିଚର( ରାଡାରରେ ଦୃଶ୍ୟ ନହେବାର ବୈଶିଷ୍ଟ୍ୟ) ମଧ୍ୟ ରହିଛି । ଏହାଯୋଗୁ ଶତ୍ରୁ ରାଷ୍ଟ୍ର ରାଡାରରେ ବି ଏହା ସହଜରେ ଧରାପଡ଼ିବ ନାହିଁ । ଏହି ଡ୍ରୋନ ଲଗାତର ୬ ଘଣ୍ଟା ଧରି ଉଡାଣ ଭରିପାରିବ ଏବଂ ଏକାଥରେ ୧୦୦୦ କିମି ଦୂରତା ଅତିକ୍ରମ କରିପାରିବ । ଏହା ସ୍ୱୟଂଚାଳିତ ଭାବେ କାମ କରିପାରିବ । ଏହାକୁ ମଧ୍ୟ ମଣିଷ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ । ଯଦି ଉଡାଣ ସମୟରେ କୌଣସି ଟାର୍ଗେଟ ଉପରେ ଆକ୍ରମଣ କରିବା ପାଇଁ ଏହାକୁ ନିର୍ଦ୍ଦେଶ ଦିଆନଯାଏ, ତାହାହେଲେ ସିଏ ଆପେ ଆପେ ନିଜ ଆଡାକୁ ଫେରିଆସିବ ।
ହାରୋପ୍ ଡ୍ରୋନ ଏବଂ ଅନ୍ୟ ପ୍ରକାରର ଡ୍ରୋନ ମଧ୍ୟରେ ଫରକ ହେଉଛି ଯେ ଅନ୍ୟ ଡ୍ରୋନରେ ପୃଥକ୍ ଭାବେ ବିସ୍ଫୋରକ କିମ୍ବା ଅସ୍ତ୍ର ଖଂଜା ଯାଇଥାଏ । ମାତ୍ର ହାରୋପ୍ ଡ୍ରୋନରେ ଏଭଳି ଅସ୍ତ୍ର ସଂଯୁକ୍ତ କରାଯାଇନଥାଏ । ବରଂ ଏହା ନିଜେ ଏକ ଆତ୍ମଘାତୀ ଅସ୍ତ୍ର ଭାବେ କାମ କରିଥାଏ । ଏହା ଶତ୍ରୁ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି, ବାୟୁ ସୁରକ୍ଷା ପ୍ରଣାଳୀ, ରାଡାର କେନ୍ଦ୍ରରେ ନିଜେ ନିଜେ ମାଡ଼ ହୋଇ ତା’କୁ ଧ୍ୱଂସ କରିବା ସହିତ ନିଜେ ବି ଧ୍ୱଂସ ହୋଇଯାଇଥାଏ ।
ଭାରତୀୟ ସେନାବାହିନୀର ବିଭିନ୍ନ ଅଙ୍ଗରେ ଇସ୍ରାଏଲ ଦ୍ୱାରା ନିର୍ମିତ ୧୦୦ରୁ ଅଧିକ ଡ୍ରୋନ ବ୍ୟବହାର କରାଯାଉଛି । ଭାରତ ଏବେ ଇସ୍ରାଏଲ ସହିତ ମିଳିତ ଭାବେ ‘ ପ୍ରୋଜେକ୍ଟ ଚିତା’ ଆରମ୍ଭ କରିବାକୁ ଆଲୋଚନା ଚଳାଇଛି । ଏହି ଯୋଜନା ଅଧୀନରେ ଭାରତ ଦ୍ୱାରା ବ୍ୟବହୃତ ସମସ୍ତ ଡ୍ରୋନକୁ ଅତି ଶକ୍ତିଶାଳୀ ଲଢ଼ୁଆ ଡ୍ରୋନରେ ପରିଣତ କରାଯିବ ଏବଂ ସେଗୁଡିକର ଗୁଇନ୍ଦା ତଥ୍ୟ ସଂଗ୍ରହ କ୍ଷମତା ମଧ୍ୟ ବୃଦ୍ଧି କରାଯିବ । ଭାରତ ମଧ୍ୟ ନିଜସ୍ୱ ଜ୍ଞାନକୌଶଳରେ ଅନେକ ପ୍ରକାରର ଡ୍ରୋନ ନିର୍ମାଣ କରିବାକୁ ଉଦ୍ୟମ କରୁଛି ।