ନୂଆଦିଲ୍ଲୀ- ଭାରତର ଷ୍ଟାର ବକ୍ସର ତଥା ଦୁଇ ଥରର ବିଶ୍ୱଚମ୍ପିୟାନ ନିଖତ ଜରିନ କରିଛନ୍ତି ଚମତ୍କାର ପ୍ରତ୍ୟାବର୍ତ୍ତନ। ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ ୨୦୨୫ରେ ସ୍ୱର୍ଣ୍ଣ ପଦକ ଜିତି ପାରିଛନ୍ତି। ସେ ମହିଳା ୫୧ କିଲୋଗ୍ରାମ୍ ବର୍ଗର ଫାଇନାଲରେ ଚାଇନା ତାଇପେର ବକ୍ସର ଝୁଆନ ୟି ଗୁଓଙ୍କୁ ୫-୦ର ଅନ୍ତରରେ ଏକତରଫା ମୁକାବିଲାରେ ହରାଇ ଗୋଲ୍ଡ ମେଡାଲକୁ ନିଜ ନାମରେ କରିଛନ୍ତି। ନିଖତ ଜରିନ ଏହି ବିଜୟ ସହ ଆନ୍ତର୍ଜାତୀୟ ସ୍ତରର ପାଖାପାଖି ୨୧ ମାସରୁ ଚାଲି ଆସୁଥିବା ନିଜର ପଦକର ମରୁଡ଼ି ଶେଷ କରିଛନ୍ତି। ସେ ଏହା ପୂର୍ବରୁ ୨୦୨୩ ରେ ବିଶ୍ୱ ଚମ୍ପିୟାନସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ।
ଫାଇନାଲ ମୁକାବିଲାରେ ନିଖତ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଦେଖାଇ ଥିଲେ ଏବଂ ସେ ଚାଇନା ତାଇପେଙ୍କର ବକ୍ସରଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ସେ ମୁକାବିଲା ୫-୦ର ସ୍କୋରରୁ ସହଜରେ ନିଜ ନାମରେ କରି ଥିଲେ। ନିଖତଙ୍କ ସହ ମୀନାକ୍ଷୀ ହୁଡ୍ଡା(୪୮ କିଗ୍ରା) ,ପ୍ରୀତି ପୱାର (୫୪ କିଗ୍ରା) , ଅରୁନ୍ଧତି (୭୦ କିଗ୍ରା) ନୁପୁର ଶେଓରେନ (୮୦+ କିଗ୍ରା) ମଧ୍ୟ ସ୍ୱର୍ଣ୍ଣ ପଦକ ଜିତି ଥିଲେ। ଭାରତ ଏକ ଦୃଢ ପ୍ରଦର୍ଶନ ସହ ଟୁର୍ଣ୍ଣାମେଣ୍ଟ ଶେଷ କରି ଥିଲା , ମୋଟ ସାତୋଟି ସ୍ୱର୍ଣ୍ଣ ପଦକ ଜିତି ଦମଦାର ପ୍ରଦର୍ଶନ କରିଥିଲା।
କାନ୍ଧର ଆଘାତ ଯୋଗୁଁ ଗୋଟିଏ ବର୍ଷ ବାସନ୍ଦ ହେବା ପରେ ସେପ୍ଟେମ୍ୱରରେ ବିଶ୍ୱ ଚମ୍ପିୟାନସିପ୍ରେ ପ୍ରତ୍ୟାବର୍ତ୍ତନ କରୁଥିବା ନିଖତ ୫୧ କିଲୋ ବର୍ଗରେ କଡ଼ା ସେମିଫାଇନାଲ ମୁକାବିଲାରେ ଉଜବେକିସ୍ତାନର ଜାନିଭା ଗୁଲସେଭରଙ୍କୁ ହରାଇ ଥିଲେ। ନିଖତ ଶେଷ ଥର ୨୦ ମାସ ପୂର୍ବେ ଗତ ବର୍ଷ ଫେବ୍ରୁଆରୀରେ ଷ୍ଟ୍ରାଞ୍ଜା ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ପୋଡିୟମ ଯାଏ ପହଞ୍ଚି ଥିଲେ।