ନୂଆଦିଲ୍ଲୀ,୧୨/୦୪; ଆଉ ମାତ୍ର ୨ମାସ ପରେ ଆରମ୍ଭ ହେବ ବିଶ୍ୱର ସବୁଠୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ୍ । ଆୟୋଜକ ଚଢ଼ା ଦାମରେ ଟିକେଟ୍ ବିକ୍ରି କରିବାରେ ବ୍ୟସ୍ତ । ହେଲେ ବିଶ୍ୱକପ୍ର ପ୍ରସାରଣ ଅଧିକାରକୁ ନେଇ ଭାରତୀୟ ପ୍ରସାରକ ଆଗ୍ରହୀ ନାହାନ୍ତି । ଭାରତରେ ବିଶ୍ୱକପ୍ ପ୍ରସାରଣ କରିବା ପାଇଁ ଫିଫା ପ୍ରସାରକ ଖୋଜିବାରେ ବ୍ୟସ୍ତ । ହେଲେ ଭାରତୀୟ ପ୍ରସାରକ ବିଶ୍ୱକପ ପ୍ରସାରଣ ଅଧିକାର କିଣିବାକୁ ଚାହୁଁ ନାହାନ୍ତି । ଆସନ୍ତା ଜୁନ ଓ ଜୁଲାଇ ମାସରେ ବିଶ୍ୱକପ୍ ଆୟୋଜିତ ହେବ । ଆମେରିକା (ୟୁଏସଏ), ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଏଥର ବିଶ୍ୱକପ ଆୟୋଜନ କରୁଛନ୍ତି ।ଭାରତ କ୍ରୀଡ଼ାର ସବୁଠୁ ଲୋକପ୍ରିୟ ଦେଶ । ତଥାପି ଭାରତୀୟ ପ୍ରସାରକମାନେ ବିଶ୍ୱକପ୍ର ପ୍ରସାରଣ ଅଧିକାର କିଣିବାକୁ ଚାହୁଁ ନାହାନ୍ତି ।

ଭାରତରେ ବିଶ୍ୱକପ ପ୍ରସାରଣ ଅଧିକାର ବିକ୍ରି କରିବା ପାଇଁ ଫିଫା ପ୍ରଥମେ ୧୦୦ମିଲିୟନ ଡଲାର (୯୩୦.୯ କୋଟି ଟଙ୍କା) ମୂଲ୍ୟ ଧାର୍ଯ୍ୟ କରିଥିଲା । ମାତ୍ର ଭାରତୀୟ ପ୍ରସାରଣ କମ୍ପାନୀମାନେ ବିଡ୍ ଦାଖଲ କରି ନଥିଲେ । ବର୍ତ୍ତମାନ ଫିଫା ୬୫% ରିହାତି କରି ୩୫ ମିଲିୟନ ଡଲାର (୩୨୫.୮୨ କୋଟି ଟଙ୍କା)ରେ ସୀମିତ ରଖିଛି । ତଥାପି ପ୍ରସାରଣ ଅଧିକାର କିଣିବାକୁ କେହି ରାଜି ହେଉ ନାହାନ୍ତି । ଏହା ପଛର ଅସଲ କାରଣ ରହିଛି ମ୍ୟାଚ୍ ଆୟୋଜନ ସମୟ । ଭାରତୀୟ ସମୟ ଅନୁଯାୟୀ ବିଶ୍ୱକପ୍ର ଅଧିକାଂଶ ମ୍ୟାଚ ସକାଳ ୭ଟାରେ ଆରମ୍ଭ ହେବ । ଏହି ସମୟ ବେଳକୁ ଭାରତରେ କେହି ମ୍ୟାଚ ଦେଖିବା ସ୍ଥିତିରେ ନଥିବେ । ତେଣୁ ମ୍ୟାଚ୍ ପ୍ରସାରକଙ୍କୁ ବିଜ୍ଞାପନଦାତା ମିଳିବେ ନାହିଁ । କେବଳ ପ୍ରସାରକ ସଂସ୍ଥା କ୍ଷତି ସହିବା ସାର ହେବ ।

ବିଶ୍ୱକପ୍ର ମୋଟ୍ ୧୦୪ଟି ମ୍ୟାଚ ମଧ୍ୟରୁ କେବଳ ୧୩ଟି ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ରାତି ୯.୩୦ ଓ ରାତି ୧୨ଟାରେ ଆରମ୍ଭ ହେବ । ୨୦୨୨ କତାର ବିଶ୍ୱକପ୍ ବେଳେ ସମସ୍ତ ମ୍ୟାଚ ଭାରତୀୟ ସମୟରେ ଅପରାହ୍ଣ ଓ ରାତ୍ରିରେ ଖେଳାଯାଉଥିଲା । ଫଳରେ ଭାରତୀୟମାନେ ମ୍ୟାଚ ଦେଖିବାକୁ ଯଥେଷ୍ଟ ସମୟ ପାଉଥିଲେ । ଭାରତରେ ୭୪୫ ମିଲିୟନ ଦର୍ଶକ କତାର ବିଶ୍ୱକପ୍ ଦେଖିଥିବା ଫିଫା ଏକ ରିପୋର୍ଟରେ ପ୍ରକାଶ କରିଥିଲା । ସେତେବେଳେ ପ୍ରସାରକମାନେ ବହୁ ଅର୍ଥ ଆୟ କରିଥିଲେ । ଭାଏକମ ୧୮ ଓ ଷ୍ଟାର ଇଣ୍ଡିଆର ମିଶ୍ରଣ ହୋଇ ଜିଓଷ୍ଟାର ଭାବେ ଗୋଟିଏ କମ୍ପାନୀ ହେବା ପରେ ପ୍ରସାରଣ ଅଧିକାର ପାଇଁ ହେଉଥିବା ପ୍ରତିଦ୍ୱନ୍ଦ୍ୱିତାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି ।

ଏହା ବି ପଢନ୍ତୁ...ସେଞ୍ଚୁରୀ ପରେ ସଞ୍ଜୁଙ୍କ ଖୁଲାସା, କାହାକୁ କହିଲେ ସବୁ ମ୍ୟାଚରେ ଆସ ? ଜାଣନ୍ତୁ ଏପ୍ରିଲ୍ ୧୧ରେ ଶତକର ସଂଯୋଗ  

ଏକାଧିକ ସଂସ୍ଥା ପ୍ରସାରଣ ଅଧିକାର ପାଇଁ ବିଡ୍ ଦାଖଲ କରିଥିଲେ ମୂଲ୍ୟ ବୃଦ୍ଧି ପାଇଥା’ନ୍ତା । ମାତ୍ର ଅନ୍ୟ କୌଣସି କମ୍ପାନୀ ବିଡ୍ ଦାଖଲ କରୁନଥିବାରୁ ଜିଓଷ୍ଟାର ଏକଚାଟିଆ ମୂଲ୍ୟ ନିର୍ଦ୍ଧାରଣ କରିବାର କ୍ଷମତା ହାସଲ କରିଛି । ବିଶ୍ୱକପ୍ର ପ୍ରସାରଣ ଅଧିକାର ପାଇଁ ଜିଓଷ୍ଟାର ୨୫ମିଲିୟନ ଡଲାର (୨୩୨.୭କୋଟି ଟଙ୍କା) ବିଡ୍ ଦାଖଲ କରିଛି । ଯାହା ଫିଫାର ରିହାତି ମୂଲ୍ୟ ଠାରୁ ମଧ୍ୟ ୧୦ମିଲିୟନ ଡଲାର କମ୍ ରହିଛି । ବର୍ତ୍ତମାନ ଆୟୋଜକଙ୍କ ନିର୍ଦ୍ଧାରିତ ମୂଲ୍ୟ ଓ ବିଡ୍ ଦାଖଲ କରିଥିବା ଜିଓଷ୍ଟାର ମୂଲ୍ୟ ମଧ୍ୟରେ ରହିଥିବା ଏତେ ବଡ଼ ବ୍ୟବଧାନକୁ ପୂରଣ କରିବା କଷ୍ଟକର । ଭାରତୀୟ ପ୍ରସାରକ ଫିଫା ବିଶ୍ୱକପ୍ର ପ୍ରସାରଣ ଅଧିକାର ନେବା ପାଇଁ ରାଜି ନ ହେବା ପଛର ଆଉ ଏକ ବଡ଼ କାରଣ ହେଉଛି ବିଜ୍ଞାପନଦାତାଙ୍କ ଅଭାବ । ସାଧାରଣତଃ କ୍ରିକେଟ୍ରେ ପ୍ରତି ଓଭର ମଧ୍ୟରେ କିଛି ସମୟର ବିରତି ରହିଥାଏ । ବିରତି ସମୟରେ ବିଜ୍ଞାପନଦାତାମାନେ ବିଜ୍ଞାପନ ପାଇଁ ବାଜି ଲଗାଇଥାନ୍ତି । କିନ୍ତୁ ଫୁଟବଲ୍ରେ କେବଳ ଗୋଟିଏ ବିରତି ସମୟ ରହିଥାଏ ।

​​​​​​​

ତେଣୁ ପ୍ରସାରକ ବହୁ ମୂଲ୍ୟରେ ପ୍ରସାରଣ ଅଧିକାର କିଣି କ୍ଷତି ସହିବାକୁ ଚାହାନ୍ତି ନାହିଁ । ଭାରତରୁ ଅର୍ଥ ଆୟ ପାଇଁ ହୁଏତ ଜିଓଷ୍ଟାର ଦାଖଲ କରିଥିବା ୨୫ମିଲିୟନ ଡଲାର ବିଡ୍କୁ ଫିଫା ଗ୍ରହଣ କରିବ କିମ୍ବା ନିଜ ଅଫିସିଆଲ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫିଫା୍ମରେ ମ୍ୟାଚକୁ ସିଧା ପ୍ରସାରଣ କରିବ । ଅଧିକ ଅର୍ଥ ଆୟ କରିବାକୁ ହେଲେ ଫିଫାକୁ ପ୍ରଥମେ ୟୁଟ୍ୟୁବ୍ ସହ ରହିଥିବା ଡିଜିଟାଲ ଅଧିକାର ଚୁକ୍ତିକୁ ଛିନ୍ନ କରିବାକୁ ହେବ । ଏହାଦ୍ୱାରା ଭାରତୀୟ ଦର୍ଶକ ମ୍ୟାଚର ଝଲକ ପାଇ ପାରିବେ ନାହିଁ । ଯାହା ଫଳରେ ଭାରତୀୟ ପ୍ରସାରକ ଫିଫା ନିର୍ଦ୍ଧାରଣ କରିଥିବା ମୂଲ୍ୟରେ ବିଶ୍ୱକପ୍ର ପ୍ରସାରଣ ଅଧିକାର କିଣିବାକୁ ବାଧ୍ୟ ହେବେ । ଫିଫା ଆହ୍ୱାନ କରିଥିବା ରିହାତି ବିଡ୍ ମୂଲ୍ୟ ବଳବତ୍ତର ରହିପାରିବ ।