ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରୁ ପୁଣି ଥରେ ଖୁସି ଖବର। ଏହି ଥର ଖୁସିର କାରଣ ମଧ୍ୟ ଅନେକ ଅଛି। ଗୋଟେପଟେ ଯେଉଁଠି ଆଉ ୫ଟି ଶାବକଙ୍କର ଜନ୍ମ ହୋଇଥିବା ବେଳେ ଅନ୍ୟପଟେ ପ୍ରଥମ ଥର ( ଗତ ପ୍ରାୟ ୧୦୦ ବର୍ଷରେ) ଦେଶରେ ଚିତାଙ୍କ ସଂଖ୍ୟା ୫୦ ଅତିକ୍ରମ କରି ଯାଇ ଥିଲା। ଆଉ ଏକ ବିଶେଷ କଥା ଏହା ଯେ, ଏଥିରୁ ୩୩ଟି ଦେଶୀ ଚିତା ଅର୍ଥାତ୍ ଏଗୁଡ଼ିକର ଜନ୍ମ ଭାରତର ମାଟିରେ ହୋଇଛି।

କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋମବାର ଖୁସି ଖବର ଦେଇ କହିଛନ୍ତି ଯେ, ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମ୍ୱିୟାଇ ମାଦା ଚିତା ଜ୍ୱାଳା ୩ୟ ଥର ମାଆ ହୋଇଛି। ଏହିଥର ସେ ୫ ଶାବକଙ୍କୁ ଜନ୍ମ ଦେଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତରେ ଏବେ ମୋଟ ୫୩ ଟି ଚିତା ହୋଇଛନ୍ତି। ଯେଉଁଥିରୁ ୩୩ଟିର ଜନ୍ମ ଭାରତରେ ହୋଇଛି। ବିଶ୍ୱର ସବୁଠୁ ଦ୍ରୁତ ଦୌଡ଼ୁଥିବା ସ୍ଥଳୀୟ ଜୀବ ଚିତା ପ୍ରାୟ ୭ ଦଶକ ପୂର୍ବେ ଭାରତରୁ ବିଲୁପ୍ତ ହୋଇ ଯାଇ ଥିଲା। ସେପ୍ଟେମ୍ୱର ୨୦୨୨ରେ କେନ୍ଦ୍ର ସରକାର ନାମିବିୟାରୁ ୮ଟି ଆଫ୍ରିକୀୟ ଚିତା ନେଇ ଆସିଥିଲେ, ଯାହାଙ୍କୁ ପିଏମ୍ ମୋଦି କୁନୋରେ ଛାଡ଼ି ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ଦେଶର ପ୍ରଥମ ‘ରିଙ୍ଗ ମେଟ୍ରୋ’ ସେବା ଆରମ୍ଭ, ଏବେ ୭୨ କିମି ଗୋଲାକାର ପଥରେ ଦୌଡ଼ିବ ଟ୍ରେନ୍

ଗତ ବର୍ଷ କୁନୋରେ ୧୨ଟି ଶାବକଙ୍କ ଜନ୍ମ ହୋଇଥିଲା, ଯେଉଁଥିରୁ ତିନୋଟି ଶାବକଙ୍କ ସହ ୬ଟି ଚିତାର ମୃତ୍ୟୁ ହୋଇଛି। ଚଳିତ ବର୍ଷ ୭ ଫେବ୍ରୁଆରୀରୁ ୯ ମାର୍ଚ୍ଚ ମଧ୍ୟରେ ଅଲଗା ଅଲଗା ଗ୍ରୁପରେ ୧୪ଟି ଶାବକଙ୍କ ଜନ୍ମ ହୋଇଛି। ୨୦୨୩ରୁ ଏବେ ସୁଦ୍ଧା କୁନୋରେ ମୋଟ ୪୪ଟି ଶାବକଙ୍କ ଜନ୍ମ ହୋଇ ସାରିଛି, ଯେଉଁଥିରୁ ୩୩ଟି ଜୀବିତ। ନାମିବିୟାରୁ ଅଣାଯାଇ ଥିବା ଜ୍ୱାଳା ଓ ଆଶା, ଦକ୍ଷିଣ ଆଫ୍ରିକାରୁ ଅଣାଯାଇ ଥିବା ଗାମିନୀ , ବିରା ଓ ନିର୍ବା ଓ ଭାରତରେ ଜନ୍ମିତ ମୁଖୀ ଉଦ୍ୟାନରେ ଶାବକଙ୍କୁ ଜନ୍ମ ଦେଇଛି।

ଗତବର୍ଷ ୨୮ ଫେବ୍ରୁଆରୀରେ ବୋତ୍ସବାନାରୁ ୯ଟି ଚିତା ଅଣାଯାଇ ଥିଲା। ଏହା ଆଫ୍ରିକାରୁ ଅଣା ଯାଇଥିବା ୩ୟ ଦଳ ଥିଲା। ଏହି ପଦକ୍ଷେପ ଦେଶରେ ଚିତାଙ୍କ ଜନସଂଖ୍ୟା ପୁନଃସ୍ଥାପିତ କରିବାର ଚାରି ବର୍ଷିୟ ଯୋଜନା ଅନୁସାରେ ନିଆ ଯାଇଛି। ପ୍ରୋଜେକ୍ଟ ଚିତାର ଡାଇରେକ୍ଟର ଉତ୍ତମ ଶର୍ମା ଗତ ଦିନରେ ପିଟିଆଇକୁ କହିଥିଲେ ଯେ, ତିନୋଟି ଚିତାକୁ ଗାନ୍ଧୀ ସାଗର ବନ୍ୟଜୀବ ଅଭୟାରଣ୍ୟ ସ୍ଥାନାନ୍ତରିତ କରାଯାଇଛି, ଅବଶିଷ୍ଟ ଚିତା କୁନୋରେ ହିଁ ରଖା ଯାଇଛି।

ଯାଦବ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି , ଏହି ପ୍ରୋଜେକ୍ଟ ଚିତା ପାଇଁ ଗୌରବର ମୁହୂର୍ତ୍ତ , କାରଣ ନାମିବିୟା ଚିତା ଜ୍ୱାଳା ୩ୟ ଥର ମାଆ ହୋଇଛି। ସେ ଆଜି କୁନୋ ନ୍ୟାସନାଲ ପାର୍କରେ ପାଞ୍ଚଟି ଶାବକଙ୍କୁ ଜନ୍ମ ଦେଇଛି। ଏହାସହ ଭାରତରେ ଜନ୍ମିତ ଶାବକଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ଏହା ଭାରତର ଚିତା ସଂରକ୍ଷଣ ଯାତ୍ରାରେ ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଇଣ୍ଟଖୁଣ୍ଡ।