ନୂଆଦିଲ୍ଲୀ, ୯।୩: ଭାରତୀୟ ପରିବହନ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ମାଇଲଖୁଣ୍ଟ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମେଟ୍ରୋର ଦୁଇଟି ନୂଆ କରିଡରକୁ ଉଦ୍‌ଘାଟନ କରିବା ସହ ଦେଶର ପ୍ରଥମ 'ରିଙ୍ଗ୍ ମେଟ୍ରୋ'ର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ସେବା ଦ୍ୱାରା ରାଜଧାନୀରେ ଯାତାୟାତ ବ୍ୟବସ୍ଥା ଆହୁରି ସହଜ ଓ ସୁଗମ ହେବ । ପିଙ୍କ୍ ଲାଇନରେ ମଜଲିସ୍ ପାର୍କରୁ ମୌଜପୁର-ବାବରପୁର ମଧ୍ୟରେ ୧୨.୩ କିମିର ନୂଆ ରୁଟ୍ କାର୍ଯ୍ୟକ୍ଷମ ହୋଇଛି । ଏହାଫଳରେ ପିଙ୍କ୍ ଲାଇନ୍ ଏକ ସମ୍ପୂର୍ଣ୍ଣ ଗୋଲାକାର ପଥରେ ପରିଣତ ହୋଇଛି, ଯାହାର ମୋଟ ଲମ୍ବ ପ୍ରାୟ ୭୧.୫୬ କିଲୋମିଟର । ଏହି ରୁଟରେ ଯମୁନା ନଦୀ ଉପରେ ଏକ ନୂଆ ମେଟ୍ରୋ ବ୍ରିଜ୍ ନିର୍ମାଣ କରାଯାଇଛି । ଏହି କରିଡରର ଏକ ବିଶେଷତ୍ୱ ହେଉଛି ‘ଡବଲ୍-ଡେକର୍ ଭାୟାଡକ୍ଟ’, ଯେଉଁଥିରେ ଗୋଟିଏ ସ୍ତରରେ ମେଟ୍ରୋ ଟ୍ରେନ୍ ଚାଲିବ ଏବଂ ତା’ ତଳେ ଗାଡ଼ି ଚଳାଚଳ ପାଇଁ ରୋଡ୍ ଫ୍ଲାଇଓଭର୍ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଏବଂ ଗୃହ ନିର୍ମାଣ ସହ ଜଡିତ ପ୍ରାୟ ୩୩,୫୦୦ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହା ବି ପଢ଼ନ୍ତୁ... ଜବରଦସ୍ତ ସ୍କିଲ୍ସ , ଟିମୱାର୍କର ବିଜୟ ...ଭାରତର ୱାର୍ଲ୍ଡକପ୍ ବିଜୟରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

କେଉଁ ସବୁ ଷ୍ଟେସନ ରହିଛି ?

ପିଙ୍କ୍ ଲାଇନର ଏହି ନୂଆ ସେକ୍ସନରେ ୮ଟି ଏଲିଭେଟେଡ୍ ଷ୍ଟେସନ ରହିଛି । ସେଗୁଡ଼ିକ ହେଲା: ମଜଲିସ୍ ପାର୍କ, ବୁରାରୀ, ଝରୋଦା ମାଜରା, ଜଗତପୁର-ୱାଜିରାବାଦ, ସୁରଘାଟ, ନାନକସର-ସୋନିଆ ବିହାର, ଖଜୁରୀ ଖାସ୍, ଭଜନପୁରା, ଯମୁନା ବିହାର ଏବଂ ମୌଜପୁର-ବାବରପୁର । ପିଙ୍କ୍ ଲାଇନ୍ ବ୍ୟତୀତ ମାଜେଣ୍ଟା ଲାଇନର ଦୀପାଲି ଚୌକରୁ ମଜଲିସ୍ ପାର୍କ ପର୍ଯ୍ୟନ୍ତ ୯.୯ କିଲୋମିଟର ବିଶିଷ୍ଟ କରିଡରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଉ ୩ଟି ନୂଆ ମେଟ୍ରୋ ଲାଇନର ଶିଳାନ୍ୟାସ କରିଛନ୍ତି, ଯାହା ନୋଏଡ଼ା, ଦକ୍ଷିଣ ଦିଲ୍ଲୀ ଏବଂ ଏୟାରପୋର୍ଟକୁ ଯୋଡ଼ିବ । ଆର.କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ, ଏରୋସିଟିରୁ ଆଇଜିଆଇ ଟର୍ମିନାଲ୍-୧ ଏବଂ ତୁଗଲକାବାଦରୁ କାଳିନ୍ଦୀ କୁଞ୍ଜ ।

ପ୍ରଧାନମନ୍ତ୍ରୀ ଦୀପାଳି ଚୌକ୍-ମଜଲିସ୍ ପାର୍କ କରିଡରର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହାଦ୍ୱାରା ମାଜେଣ୍ଟା ଲାଇନର ଲମ୍ବ ପ୍ରାୟ ୪୯ କିଲୋମିଟରରେ ପହଞ୍ଚିଛି । ଏହି ସମ୍ପ୍ରସାରିତ ଅଂଶରେ ମଧୁବନ ଚୌକ୍, ହାଇଦରପୁର ବାଦଲି ମୋଡ୍ ଏବଂ ଭାଲସୱା ଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ଏଲିଭେଟେଡ୍ ଷ୍ଟେସନ ରହିଛି । ମେଟ୍ରୋ ବ୍ୟତୀତ ପ୍ରଧାନମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ GPRA (General Pool Residential Accommodation) ଯୋଜନାରେ ନିର୍ମିତ ୨,୭୨୨ଟି ନୂତନ ଫ୍ଲାଟର ଉଦ୍‌ଘାଟନ କରିଛନ୍ତି । ଏଥିସହ ପ୍ରାୟ ୫୩୭ ଏକର ପରିମିତ ଅଞ୍ଚଳରେ ୬,୬୩୨ଟି ଅତିରିକ୍ତ ଫ୍ଲାଟ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସରୋଜିନୀ ନଗର, ନେତାଜୀ ନଗର, କସ୍ତୁରବା ନଗର ଏବଂ ଶ୍ରୀନିବାସପୁରୀ ଭଳି ୭ଟି ପୁରୁଣା ସରକାରୀ କଲୋନୀର ପୁନଃ ବିକାଶ କରାଯାଉଛି । ପ୍ରକଳ୍ପ ଶେଷ ହେବା ପରେ ମୋଟ ୨୧,୦୦୦ରୁ ଅଧିକ ଆଧୁନିକ ଆବାସିକ ୟୁନିଟ୍ ଉପଲବ୍ଧ ହେବ ।