ନୂଆଦିଲ୍ଲୀ, ୧୦/୧୧: ଖୁବଶୀଘ୍ର ଭାରତୀୟ ନାଗରିକଙ୍କୁ ମିଳିବ ସ୍ୱଦେଶୀ ଜିପିଏସ୍ ସିଷ୍ଟମ୍ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହାର ନିଜସ୍ୱ ନାଭିଗେସନ ପ୍ରଣାଳୀ ‘ନାବିକ୍’କୁ ଏଣିକି ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ କରାଇବା ଦିଗରେ ଆଗକୁ ବଢ଼ୁଛି । ପୂର୍ବରୁ ଏହି ପ୍ରଣାଳୀ ପ୍ରତିରକ୍ଷା ବିଭାଗ ଏବଂ ଅନ୍ୟ ସରକାରୀ ବିଭାଗ ପାଇଁ ଉପଲବ୍ଧ ହେଉଥିଲା । ମହାକାଶ ନିୟାମକ ଏବଂ ପ୍ରମୋଟର ଇନ୍ସ୍ପେସ୍ର ଅଧ୍ୟକ୍ଷ ପୱନ ଗୋଏଙ୍କା ଏହି ସୂଚନା ଦେଇଛନ୍ତି ।
ତାଙ୍କ ମୁତାବକ, ନାବିକ୍ ଖୁବଶୀଘ୍ର ନାଗରିକଙ୍କୁ ସଠିକ୍ ନାଭିଗେସନ ସେବା ପ୍ରଦାନ କରିବ । ନାବିକ୍ ପୂର୍ବରୁ ଭାରତୀୟ ଆଞ୍ଚଳିକ ନାଭିଗେସନ ଉପଗ୍ରହ ପ୍ରଣାଳୀ (ଆଇଆରଏନ୍ଏସ୍ଏସ୍) ନାମରେ ପରିଚିତ ଥିଲା । ଏହା ଦେଶର ନିଜସ୍ୱ ସ୍ୱଦେଶୀ ଉପଗ୍ରହ ନାଭିଗେସନ ସିଷ୍ଟମ୍ । ଏହାକୁ ଇସ୍ରୋ ପ୍ରସ୍ତୁତ କରିଥିଲା । ଏହାଦ୍ୱାରା ଭାରତ ଓ ଏହାର ଆଖପାଖ ଅଞ୍ଚଳରେ ସଠିକ୍ ସ୍ଥାନ ଓ ସମୟର ତଥ୍ୟ ମିଳିପାରୁଛି।
ଗୋଏଙ୍କା କହିଛନ୍ତି, ଇସ୍ରୋ ଭାରତର ନିଜସ୍ୱ ନାଭିଗେସନ ସିଷ୍ଟମ୍ ନାବିକ୍କୁ ଖୁବଶୀଘ୍ର ନାଗରିକଙ୍କ ନିମନ୍ତେ ସହଜରେ ଯୋଗାଇବାକୁ ଯାଉଛି । ଏହି ସିଷ୍ଟମ୍ ଏ ପର୍ଯ୍ୟନ୍ତ ରଣନୀତିକ ବ୍ୟବହାର ପର୍ଯ୍ୟନ୍ତ ସୀମିତ ଥିଲା । ୨୦୨୫ ସୁଦ୍ଧା ଇସ୍ରୋ ମହାକାଶ କ୍ଷେତ୍ରର ବର୍ଦ୍ଧିତ ଦାବି ପୂରଣ ନିମନ୍ତେ ୬ଟି ଜିଏସ୍ଏଲ୍ଭି ଲଞ୍ଚ୍ କରିବ । ପ୍ରତିବର୍ଷ ଡଜନେ ଉପଗ୍ରହ ପ୍ରକ୍ଷେପଣ ପାଇଁ ଲକ୍ଷ୍ୟ ରଖାଯାଇଛି ।