ଖର୍ଚ୍ଚ ହେବନି ଇନ୍ଧନ କି ବିଜୁଳି: ଇଣ୍ଡିଆନ୍ ଅଏଲର ଏହି ସୌର ଚୁଲାରେ ମାଗଣାରେ କରିବେ ରୋଷେଇ, କିଣିବାକୁ ସରକାର ଦେବେ ସବିସିଡି

ନୂଆଦିଲ୍ଲୀ,୨୩।୬: ରୋଷେଇ ଗ୍ୟାସ୍ର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ରୋଷେଇ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଗଲାଣି। ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଏବେ ୧ ହଜାର ଟଙ୍କାରୁ ଅଧିକ ଉପରକୁ ଯାଇ ସାରିଛି। ଏହି ଦରଦାମ୍ ବୃଦ୍ଧି ସମସ୍ତଙ୍କ ବଜେଟ୍ ଉପରେ ପ୍ରଭାବ ପକାଇଛି। ଏସବୁ ସମସ୍ୟାକୁ ଦୂର କରିବାକୁ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ (ଆଇଓସି)ଏବେ ରୋଷେଇ ଗ୍ୟାସ୍ ସିଲିଣ୍ଡରର ଏକ ବିକଳ୍ପ ଆରମ୍ଭ କରିଛି। ଆଇଓସି ଘର ଭିତରେ ବ୍ୟବହାର ହେଉଥିବା ସୌର ଚୁଲା ତିଆରି କରିଛି। ଏହି ଚୁଲାର ସ୍ବତନ୍ତ୍ରତା ହେଉଛି ରାତିରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ସୌର ଚୁଲା ଘର ବାହାରେ ଲାଗିଥିବା ପ୍ୟାନେଲରୁ ସୋଲାର ଏନର୍ଜୀ ଷ୍ଟୋର କରିନେଇଥାଏ। ଏହାଫଳରେ ବିନା ଖରାରେ ମଧ୍ୟ ଦିନକୁ ତିନି ଥର ମାଗଣାରେ ରୋଷଇ କରି ହେବ।
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ବାସଭବନରେ ଆୟୋଜିକ ଏକ କାର୍ଯ୍ୟକ୍ରମରେ ଏହି ସୌର ଚୁଲାରେ ଖାଦ୍ୟ ରୋଷେଇ କରି ପରସା ଯାଇଥିଲା। ପୁରୀ କହିଛନ୍ତି, ଏହି ଚୁଲି କିଣିବା ଛଡା ଏହାର ରକ୍ଷଣା ବେକ୍ଷଣାରେ କୌଣସି ଖର୍ଚ୍ଚ ନାହିଁ । ଏହାକୁ ପାରମ୍ପାରିକ ଇନ୍ଧନର ବିକଳ୍ପ ଭାବରେ ଦେଖାଯାଉଛି। ଫରିଦାବାଦରେ ଆଇଓସିର ଅନୁସନ୍ଧାନ ଓ ବିକାଶ ବିଭାଗ ଏହାକୁ ବିକଶିତ କରିଛି।

ଆଇଓସିର ନିର୍ଦେଶକ (ଆରଆଣ୍ଡଡି) ଏସଏସବି ରାମକୁମାର କହିଛନ୍ତି, ଏହି ଚୁଲାକୁ ‘ସୂର୍ଯ୍ୟ ନୂତନ’ ନାଁ ଦିଆଯାଇଛି। ରାମକୁମାର କହିଛନ୍ତି, ଏହି ଚୁଲା ସୌର କୁକୁରଠାରୁ ଅଲଗା। ଏଭଳି ଏଥିପାଇଁ, କାରଣ ଏହାକୁ ଖରାରେ ରଖାଯାଏନି। ‘ସୂର୍ଯ୍ୟ ନୂତନ’ ଚୁଲିରେ ୪ ଜଣ ସଦସ୍ୟ ଥିବା ପରିବାର ଅତି ଆରାମରେ ଖାଦ୍ୟ ତିଆରି କରିପାରିବ। ‘ସୂର୍ଯ୍ୟ ନୂତନ’ ଚୁଲାକୁ ଖରାରେ ରଖିବା ଦରକାର ନାହିଁ। ଏହି ଚୁଲାକୁ ଛାତ ଉପରେ ଲାଗିଥିବା ସୋଲାର ପ୍ଲେଟରୁ ଏକ କେବଲ ଜରିଆରେ କନେକ୍ସନ ଦିଆଯାଇଥାଏ। ସୋଲାର ପ୍ଲେଟ ଓ ସୌର ଶକ୍ତିକୁ ପ୍ରଥମେ ଥର୍ମାଲ ବ୍ୟାଟେରୀରେ ଷ୍ଟୋର କରିଥାଏ। ଏହି କାରଣରୁ ‘ସୂର୍ଯ୍ୟ ନୂତନ’ ରାତିରେ ମଧ୍ୟ ରୋଷେଇ କରିପାରେ।
ଆଇଓସି ଏବେ ‘ସୂର୍ଯ୍ୟ ନୂତନ’ର ପ୍ରାରମ୍ଭିକ ମଡେଲ ଲଞ୍ଚ କରିଛି। କମର୍ସିଆଲ ମଡେଲ ଏବେ ଲଞ୍ଚ ହେବା ବାକି ଅଛି। ବର୍ତ୍ତମାନ ଦେଶରେ ୬୦ଟି ସ୍ଥାନରେ ଏହାର ଟେଷ୍ଟିଂ କରାଯାଇଛି। ଆଇଓସି ସୂଚନା ଅନୁସାରେ ସୂର୍ଯ୍ୟ ନୂତନର ମୂଲ୍ୟ ୧୮ ରୁ ୩୦ ହଜାର ଟଙ୍କା ଭିତରେ ରଖାଯାଇଛି। ଏହା ଉପରେ ସରକାର ସବସିଡି ମଧ୍ୟ ଦେବେ। ସବସିଡି ପରେ ଏହାର ମୁଲ୍ୟ ୧୦ ରୁ ୧୨ ହଜାର ଟଙ୍କା ଭିତରେ ଆସିଯିବ।