ନୂଆଦିଲ୍ଲୀ,୧୨/୦୧:  ଅଲିମ୍ପିଆନ୍‌ ତଥା ବିଶ୍ୱ ଚାମ୍ପିଅନସିପ୍‌  ପଦକ ବିଜେତା ଭାରତର ନିଶାନ୍ତ ଦେବ ଆମେଚର ବକ୍ସିଂ ଛାଡ଼ି ପେସାଦାର ବକ୍ସିଂରେ କ୍ୟାରିୟର କରିବାକୁ ମନସ୍ଥ କରିଛନ୍ତି । ସେ ଇଡି ହର୍ନଙ୍କ  ମ୍ୟାଚ୍‌ରୁମ୍‌ ବକ୍ସିଂ ସହ ଚୁକ୍ତି ସ୍ୱାକ୍ଷର  କରିଛନ୍ତି । ଆସନ୍ତା ୨୫ ତାରିଖରେ ଲାସ୍‌ ଭେଗାସ ଠାରେ ନିଶାନ୍ତ ପଦାର୍ପଣ  ଫାଇଟ୍‌ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ  ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଚୂଡ଼ାନ୍ତ ହୋଇନାହିଁ ।  ନିଶାନ୍ତ ଏବେ ପୂର୍ବତନ ପେସାଦାର  ବକ୍ସର ରୋନାଲ୍ଡ ସିମ୍ସଙ୍କଠୁ ପ୍ରଶିକ୍ଷଣ  ନେଉଛନ୍ତି । ଗତ ପ୍ୟାରିସ୍‌ ଅଲିମ୍ପିକ୍ସରେ  ସେ କ୍ୱାର୍ଟର ଫାଇନାଲ୍‌ରେ ମେକ୍ସିକୋର  ମାର୍କୋ ଭର୍ଡିଙ୍କ ନିକଟରୁ ହାରି ପଦକ  ସ୍ୱପ୍ନ ଧୂଳିସାତ୍‌ କରିଥିଲେ । 

ନିଶାନ୍ତ କହିଛନ୍ତି, ମ୍ୟାଚ୍‌ରୁମ୍‌  ବକ୍ସିଂରେ ଯୋଗଦେଇ ବହୁତ ଖୁସି  ଅଛି । ପେସାଦାର ବକ୍ସିଂରେ କ୍ୟାରିୟର  କରିବାକୁ ଚାହୁଁଛି । ଭାରତର ପ୍ରଥମ  ପେସାଦାର ବକ୍ସିଂ ବିଶ୍ୱ ଚାମ୍ପିଅନ୍‌  ହେବା ମୋର ଲକ୍ଷ୍ୟ । ଏବେ ପଦାର୍ପଣ  ଫାଇଟ୍‌ ପାଇଁ ପ୍ରଶିକ୍ଷକ ରୋନାଲ୍ଡଙ୍କ  ଅଧିନରେ କଠିନ ପରିଶ୍ରମ କରୁଛି ।’  

ସୂଚନାଯୋଗ୍ୟ, ଭାରତର ଏକାଧିକ  ବକ୍ସର ପେସାଦାର ବକ୍ସିଂରେ ସକ୍ରିୟ  ରହିଛନ୍ତି । ଅଲିମ୍ପିକ ପଦକ ବିଜେତା ବିଜେନ୍ଦର ସିଂହ ଇତିମଧ୍ୟରେ ୧୪ଟି  ଫାଇଟ୍‌ କରି ୧୩ଟି ଜିତିଥିବାବେଳେ  ଗୋଟିଏରେ ପରାଜିତ ହୋଇଛନ୍ତି ।