ମୁଲନପୁର,୨୯/୦୫ : ଚଳିତ ଆଇପିଏଲ୍ରେ ଗୁରୁବାର ଲିଗ୍ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରିଥିବା ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନା ସାମ୍ନି ହେବେ । ବିଜୟୀ ଦଳ ସିଧା ଫାଇନାଲ୍ରେ ସ୍ଥାନ ପକ୍କା କରିବ । ପରାଜିତ ଦଳ ପାଇଁ ଆଉ ଏକ ସୁଯୋଗ ରହିବ । ଏଲିମିନେଟର ମୁକାବିଲାର ବିଜୟୀ ଦଳ ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ଖେଳି ଫାଇନାଲ ପାଇଁ ଆଉଥରେ ପ୍ରୟାସ କରିପାରିବ । ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି ଓ ୯ଟି ଲେଖାଏଁ ମ୍ୟାଚ୍ ଜିତି ମନୋବଳ ଦୃଢ ରଖିଛନ୍ତି । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଉଭୟ ଦଳର ମୁଖ୍ୟ ଖେଳାଳି ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଉପରେ ନଜର ରହିବା ସ୍ୱାଭାବିକ । ଉଭୟ ଚମତ୍କାର ଫର୍ମରେ ରହିଛନ୍ତି । କୋହଲି ଇତି ମଧ୍ୟରେ ୧୪ଟି ମ୍ୟାଚ୍ରୁ ୬୦୨ ରନ ସଂଗ୍ରହ କରିସାରିଛନ୍ତି । ଗତ ମାସ ୨୦ ତାରିଖରେ ମୁଲନପୁରରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ କୋହଲି ୭୩ ରନ୍ର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ମୁଲନପୁରରେ ଆୟରଙ୍କ ରେକର୍ଡ ଦୁର୍ବଳ ରହିଛି । ସେ ଏଠାରେ ୪ଟି ଇନିଂସରେ ମାତ୍ର ୨୫ ରନ ସଂଗ୍ରହ କରିଛନ୍ତି ।
ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ୧୦ଜଣ ବ୍ୟାଟର ୫୦୦ରୁ ଊଦ୍ଧ୍ୱର୍ ରନ ସଂଗ୍ରହ କରିଛନ୍ତି । ଏମାନଙ୍କ ମଧ୍ୟରେ ଶ୍ରେୟାସ ଆୟରଙ୍କ ଷ୍ଟ୍ରାଇକ ରେଟ୍ ଦ୍ୱିତୀୟ ସର୍ବାଧିକ ୧୭୧.୯୦ ରହିଛି । କେବଳ ନିକୋଲାସ ପୂରନ(୧୯୬.୨୫)ଙ୍କ ଷ୍ଟ୍ରାଇକ ରେଟ୍ ଆୟରଙ୍କଠୁ ଅଧିକ ରହିଛି ।ଗୁରୁବାର ଆୟର ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବୋଲରଙ୍କ ମଧ୍ୟରେ ଏକ ଦମ୍ଦାର ଲଢେଇ ଦେଖିବାକୁ ମିଳିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବୋଲରଙ୍କ ବିପକ୍ଷରେ ଆୟରଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟ ଜନକ ରହିଛି । ସେ ଜୋସ ହାଜେଲଉଡ୍ଙ୍କ ବିପକ୍ଷରେ ୧୯ଟି ବଲ୍ରୁ ୧୦ ରନ ସଂଗ୍ରହ କରିଛନ୍ତି ଓ ୩ଥର ଆଉଟ୍ ହୋଇଛନ୍ତି । ଭୁବନେଶ୍ୱର କୁମାରଙ୍କ ବିପକ୍ଷରେ ସେ ୫୦ଟି ବଲ୍ରୁ ୪୫ ରନ ସଂଗ୍ରହ କରିଛନ୍ତି ଓ ୩ଥର ଆଉଟ୍ ହୋଇଛନ୍ତି ।
ଅର୍ଶଦୀପ ସିଂହ ରୟାଲ୍ ଚ୍ୟାଲେଞ୍ଜର୍ସ ଓପନର ଫିଲ ସଲ୍ଟଙ୍କୁ ୪ଥର ଆଉଟ୍ କରିସାରିଛନ୍ତି । ସଲ୍ଟ ତାଙ୍କ ବିପକ୍ଷରେ ୩୨ଟି ବଲ୍ରୁ ୨୫ ରନ ସଂଗ୍ରହ କରିଛନ୍ତି । ସେହିପରି ୟୁଝବେନ୍ଦ୍ର ଚହଲଙ୍କ ବିପକ୍ଷରେ ମୟଙ୍କ ଅଗରୱାଲ୍ ୭୨ ରନ ସଂଗ୍ରହ କରିଛନ୍ତି ଓ ୬ଥର ଆଉଟ୍ ହୋଇଛନ୍ତି। ମାର୍କୋ ଜାନସେନ ଲିଗ୍ ପର୍ଯ୍ୟାୟ ଖେଳି ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ ସ୍ଥାନରେ ଆଜି ଅଜମତୁଲ୍ଲା ଓମାରଜାଇଙ୍କୁ ଏକାଦଶରେ ସ୍ଥାନ ମିଳିବା ଏକ ପ୍ରକାର ନିଶ୍ଚିତ । ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ମଧ୍ୟ ଏକାଦଶରେ ପରିବର୍ତ୍ତନ ହେବ । ନୂଆନ ତୁଷାରାଙ୍କ ସ୍ଥାନରେ ଫିଟ୍ ହୋଇ ଫେରିଥିବା ଜୋସ ହାଜେଲଉଡ୍ ଖେଳିବା ଏକ ପ୍ରକାର ନିଶ୍ଚିତ ।
ମୁଲନପୁର ସ୍ଥିତ ନୂଆ ପିସିଏ ଷ୍ଟାଡ଼ିୟମ୍ ପିଚ୍କୁ ନେଇ ପୂର୍ବାନୁମାନ କରିହେବ ନାହିଁ । ଏଠାରେ ଚଳିତ ଆଇପିଏଲ୍ର ୪ଟି ମ୍ୟାଚ୍ ଖେଳା ଯାଇଛି । ପ୍ରଥମ ୨ଟି ମ୍ୟାଚ୍ର ୩ଟି ଇନିଂସରେ ୨୦୦ରୁ ଊଦ୍ଧ୍ୱର୍ ରନ ସଂଗୃହୀତ ହୋଇଥିଲା । ପରବର୍ତ୍ତୀ ମ୍ୟାଚ୍ର ଉଭୟ ଇନିଂସରେ ଯଥାକ୍ରମେ ୧୧୧ ଓ ୯୫ ରନ୍ କରି ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ଅଲ୍ଆଉଟ୍ ହୋଇଥିଲେ । ଚତୁର୍ଥ ମ୍ୟାଚ୍ର ଏକ ଇନିଂସରେ ୧୫୭ ରନ ସଂଗ୍ରହ ହୋଇଥିଲା । ଆଜି ପିଚ୍ ବ୍ୟାଟରଙ୍କୁ ସହାୟତା କରିବା ଆଶା କରାଯାଉଛି । ରାତ୍ରିରେ ମ୍ୟାଚ୍ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦ୍ବାଦଶ
ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଜୋସ ଇଂଲିଶ, ଶ୍ରେୟାସ ଆୟର(ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍, ଅଜମତୁଲ୍ଲା ଓମାରଜାଇ, କେଲି ଜାମିସନ, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।
ବେଙ୍ଗାଲୁରୁ: ବିରାଟ କୋହଲି, ଫିଲ ସଲ୍ଟ, ମୟଙ୍କ ଅଗରୱାଲ, ରଜତ ପାତିଦାର(ଅଧିନାୟକ), ଜିତେଶ ଶର୍ମା, କୃନାଲ ପାଣ୍ଡ୍ୟା, ଲାଏମ ଲିଭିଙ୍ଗଷ୍ଟୋନ, ରୋମାରିଓ ସେଫର୍ଡ, ଭୁବନେଶ୍ୱର କୁମାର, ୟଶ ଦୟାଲ, ଜୋସ ହାଜେଲଉଡ୍, ସୂୟାଶ ଶର୍ମା ।