ମୁଲନପୁର,୨୯/୦୫ : ଚଳିତ ଆଇପିଏଲ୍‌ରେ ଗୁରୁବାର ଲିଗ୍‌ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରିଥିବା ପଞ୍ଜାବ କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନା ସାମ୍ନି ହେବେ । ବିଜୟୀ ଦଳ ସିଧା ଫାଇନାଲ୍‌ରେ ସ୍ଥାନ ପକ୍କା କରିବ । ପରାଜିତ ଦଳ ପାଇଁ ଆଉ ଏକ ସୁଯୋଗ ରହିବ । ଏଲିମିନେଟର ମୁକାବିଲାର ବିଜୟୀ ଦଳ ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ଖେଳି ଫାଇନାଲ ପାଇଁ  ଆଉଥରେ ପ୍ରୟାସ କରିପାରିବ । ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି ଓ ୯ଟି ଲେଖାଏଁ ମ୍ୟାଚ୍‌ ଜିତି ମନୋବଳ ଦୃଢ ରଖିଛନ୍ତି । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ  ମୁକାବିଲା ଦେଖିବାକୁ ମିଳିବ । 

ଉଭୟ ଦଳର ମୁଖ୍ୟ ଖେଳାଳି ବିରାଟ  କୋହଲି ଓ ଶ୍ରେୟାସ ଆୟରଙ୍କ ଉପରେ ନଜର ରହିବା ସ୍ୱାଭାବିକ । ଉଭୟ ଚମତ୍କାର ଫର୍ମରେ ରହିଛନ୍ତି । କୋହଲି ଇତି ମଧ୍ୟରେ ୧୪ଟି ମ୍ୟାଚ୍‌ରୁ ୬୦୨ ରନ ସଂଗ୍ରହ  କରିସାରିଛନ୍ତି । ଗତ ମାସ ୨୦ ତାରିଖରେ ମୁଲନପୁରରେ  ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ  କୋହଲି ୭୩ ରନ୍‌ର ମ୍ୟାଚ ବିଜୟୀ  ଇନିଂସ ଖେଳିଥିଲେ । ମୁଲନପୁରରେ  ଆୟରଙ୍କ ରେକର୍ଡ ଦୁର୍ବଳ ରହିଛି । ସେ ଏଠାରେ ୪ଟି ଇନିଂସରେ ମାତ୍ର ୨୫  ରନ ସଂଗ୍ରହ କରିଛନ୍ତି । 

ଲିଗ୍‌ ପର୍ଯ୍ୟାୟ ଶେଷ ସୁଦ୍ଧା  ୧୦ଜଣ ବ୍ୟାଟର ୫୦୦ରୁ ଊଦ୍ଧ୍ୱର୍ ରନ ସଂଗ୍ରହ କରିଛନ୍ତି ।  ଏମାନଙ୍କ ମଧ୍ୟରେ ଶ୍ରେୟାସ ଆୟରଙ୍କ ଷ୍ଟ୍ରାଇକ ରେଟ୍‌  ଦ୍ୱିତୀୟ ସର୍ବାଧିକ ୧୭୧.୯୦ ରହିଛି । କେବଳ ନିକୋଲାସ  ପୂରନ(୧୯୬.୨୫)ଙ୍କ ଷ୍ଟ୍ରାଇକ ରେଟ୍‌ ଆୟରଙ୍କଠୁ ଅଧିକ ରହିଛି ।ଗୁରୁବାର ଆୟର ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲରଙ୍କ ମଧ୍ୟରେ ଏକ ଦମ୍‌ଦାର ଲଢେଇ ଦେଖିବାକୁ ମିଳିବ। ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲରଙ୍କ ବିପକ୍ଷରେ  ଆୟରଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟ ଜନକ ରହିଛି । ସେ  ଜୋସ ହାଜେଲଉଡ୍‌ଙ୍କ ବିପକ୍ଷରେ ୧୯ଟି ବଲ୍‌ରୁ ୧୦ ରନ ସଂଗ୍ରହ କରିଛନ୍ତି ଓ ୩ଥର ଆଉଟ୍‌ ହୋଇଛନ୍ତି । ଭୁବନେଶ୍ୱର କୁମାରଙ୍କ ବିପକ୍ଷରେ ସେ ୫୦ଟି ବଲ୍‌ରୁ  ୪୫ ରନ ସଂଗ୍ରହ କରିଛନ୍ତି ଓ ୩ଥର ଆଉଟ୍‌ ହୋଇଛନ୍ତି ।  

ଅର୍ଶଦୀପ ସିଂହ ରୟାଲ୍‌ ଚ୍ୟାଲେଞ୍ଜର୍ସ ଓପନର ଫିଲ ସଲ୍ଟଙ୍କୁ ୪ଥର ଆଉଟ୍‌ କରିସାରିଛନ୍ତି । ସଲ୍ଟ ତାଙ୍କ ବିପକ୍ଷରେ ୩୨ଟି ବଲ୍‌ରୁ ୨୫ ରନ ସଂଗ୍ରହ କରିଛନ୍ତି । ସେହିପରି ୟୁଝବେନ୍ଦ୍ର ଚହଲଙ୍କ ବିପକ୍ଷରେ  ମୟଙ୍କ ଅଗରୱାଲ୍‌ ୭୨ ରନ ସଂଗ୍ରହ  କରିଛନ୍ତି ଓ ୬ଥର ଆଉଟ୍‌ ହୋଇଛନ୍ତି। ମାର୍କୋ ଜାନସେନ ଲିଗ୍‌ ପର୍ଯ୍ୟାୟ  ଖେଳି ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ  ସ୍ଥାନରେ ଆଜି ଅଜମତୁଲ୍ଲା ଓମାରଜାଇଙ୍କୁ ଏକାଦଶରେ ସ୍ଥାନ ମିଳିବା ଏକ ପ୍ରକାର ନିଶ୍ଚିତ । ରୟାଲ୍‌  ଚ୍ୟାଲେଞ୍ଜର୍ସ ପକ୍ଷରୁ ମଧ୍ୟ ଏକାଦଶରେ ପରିବର୍ତ୍ତନ ହେବ । ନୂଆନ ତୁଷାରାଙ୍କ ସ୍ଥାନରେ ଫିଟ୍‌ ହୋଇ ଫେରିଥିବା  ଜୋସ ହାଜେଲଉଡ୍‌ ଖେଳିବା ଏକ ପ୍ରକାର ନିଶ୍ଚିତ । 

ମୁଲନପୁର ସ୍ଥିତ ନୂଆ ପିସିଏ ଷ୍ଟାଡ଼ିୟମ୍‌ ପିଚ୍‌କୁ  ନେଇ ପୂର୍ବାନୁମାନ କରିହେବ ନାହିଁ । ଏଠାରେ ଚଳିତ  ଆଇପିଏଲ୍‌ର ୪ଟି ମ୍ୟାଚ୍‌ ଖେଳା ଯାଇଛି । ପ୍ରଥମ  ୨ଟି ମ୍ୟାଚ୍‌ର ୩ଟି ଇନିଂସରେ ୨୦୦ରୁ ଊଦ୍ଧ୍ୱର୍ ରନ  ସଂଗୃହୀତ ହୋଇଥିଲା । ପରବର୍ତ୍ତୀ ମ୍ୟାଚ୍‌ର ଉଭୟ  ଇନିଂସରେ ଯଥାକ୍ରମେ ୧୧୧ ଓ ୯୫ ରନ୍‌ କରି ପଞ୍ଜାବ  କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ଅଲ୍‌ଆଉଟ୍‌  ହୋଇଥିଲେ । ଚତୁର୍ଥ ମ୍ୟାଚ୍‌ର ଏକ ଇନିଂସରେ  ୧୫୭ ରନ ସଂଗ୍ରହ ହୋଇଥିଲା । ଆଜି ପିଚ୍‌  ବ୍ୟାଟରଙ୍କୁ ସହାୟତା କରିବା ଆଶା କରାଯାଉଛି । ରାତ୍ରିରେ ମ୍ୟାଚ୍‌ ଖେଳାଯାଉଥିବାରୁ ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ବାଦଶ

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ,  ଜୋସ ଇଂଲିଶ, ଶ୍ରେୟାସ ଆୟର(ଅଧିନାୟକ),  ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍‌,  ଅଜମତୁଲ୍ଲା ଓମାରଜାଇ, କେଲି ଜାମିସନ, ହରପ୍ରୀତ  ବ୍ରାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ । 

ବେଙ୍ଗାଲୁରୁ: ବିରାଟ  କୋହଲି, ଫିଲ ସଲ୍ଟ, ମୟଙ୍କ ଅଗରୱାଲ, ରଜତ  ପାତିଦାର(ଅଧିନାୟକ), ଜିତେଶ ଶର୍ମା, କୃନାଲ  ପାଣ୍ଡ୍ୟା, ଲାଏମ ଲିଭିଙ୍ଗଷ୍ଟୋନ, ରୋମାରିଓ ସେଫର୍ଡ,  ଭୁବନେଶ୍ୱର କୁମାର, ୟଶ ଦୟାଲ, ଜୋସ  ହାଜେଲଉଡ୍‌, ସୂୟାଶ ଶର୍ମା ।