ନୂଆଦିଲ୍ଲୀ,୨୫/୦୫: ଆଜି ରାତ୍ରି ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ  ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ  ଭେଟିବେ । ଏହି ମ୍ୟାଚ୍‌ ଖେଳି ଉଭୟ  ଦଳ ଅଭିଯାନ ଶେଷ କରିବେ । ଅନ୍ତିମ ମ୍ୟାଚ୍‌ ହୋଇଥିବାରୁ ଉଭୟ ଦଳ ବିଜୟ ପାଇଁ ତତ୍ପର । ମାତ୍ର ପ୍ରଦର୍ଶନକୁ ଦେଖିଲେ  ସନରାଇଜର୍ସର ପଲା ଭାରି ଜଣା ପଡ଼ୁଛି ।  ଦଳ ଶେଷ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । 

ନାଇଟ୍‌ ରାଇଡର୍ସ ୧୮ଦିନ ପରେ  ଗ୍ରାଉଣ୍ଡକୁ ଓହ୍ଲାଇବ । ଶେଷ ଥର ପାଇଁ ଦଳ  ୭ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ  ଭେଟିଥିଲା ଓ ୨ୱିକେଟ୍‌ରେ ପରାଜିତ  ହୋଇଥିଲା । ଦଳର ପରବର୍ତ୍ତୀ ମ୍ୟାଚ୍‌ ୧୭  ତାରିଖରେ ରହିଥିଲା । ହେଲେ ବର୍ଷା ଯୋଗୁଁ  ଉକ୍ତ ମ୍ୟାଚ୍‌ ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଥିଲା ।  

ନାଇଟ୍‌ ରାଇଡର୍ସର ପ୍ରଦର୍ଶନକୁ ନେଇ  ପୂର୍ବାନୁମାନ କରିହେବ ନାହିଁ । ତଥାପି ଅଜିଙ୍କ୍ୟ  ରାହାଣେଙ୍କ ଦଳ ବିଜୟ ସହ ଅଭିଯାନ ଶେଷ କରିବାକୁ ଗୁରୁତ୍ୱ ଦେବ । ଦୁଇ ଘରୋଇ  ଖେଳାଳି ଭେଙ୍କଟେଶ ଆୟର ଓ ରିଙ୍କୁ ସିଂହଙ୍କ  ପ୍ରଦର୍ଶନ ଦେଖିବାକୁ ଦର୍ଶକ ଆଶା ରଖିବେ । ଉଭୟ ସିଜନ ସାରା ନୈରାଶ୍ୟଜନକ ପ୍ରଦର୍ଶନ  ଜାରି ରଖିଛନ୍ତି । ଉଭୟ ଦଳ ପରସ୍ପରକୁ ୨୯ଥର ଭେଟିଛନ୍ତି । ଏଥିରୁ ନାଇଟ୍‌ ରାଇଡର୍ସ ୨୦ଟି ମ୍ୟାଚ୍‌ ଜିତିଛି ।  

ସନରାଇଜର୍ସ ବିଳମ୍ବରେ ଫର୍ମକୁ  ଫେରିଛି ଓ ସନ୍ତୁଳିତ ମନେ ହେଉଛି ।  ତଥାପି ଟ୍ରେଭିସ୍‌ ହେଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂ  ଦେଖିବାକୁ ଫ୍ୟାନମାନେ ଉତ୍ସୁକତାର ସହ  ଅପେକ୍ଷା କରିଛନ୍ତି । ବାକି ସବୁ ଖେଳାଳିଙ୍କ  ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଆଜି ଟ୍ରେଭିସ୍‌ ହେଡ ଓ ବୈଭବ ଆରୋରାଙ୍କ ମଧ୍ୟରେ ଏକ ଲଢ଼େଇ  ହୋଇପାରେ । ବୈଭବଙ୍କ ବିପକ୍ଷରେ ହେଡ୍‌ଙ୍କ ଆଭରେଜ ୨ ଓ ଇଶାନ କିଷନଙ୍କ ଆଭରେଜ ୫ ରହିଛି। ଉଭୟଙ୍କୁ ବୈଭବ ୨ଥର ଲେଖାଏଁ  ଆଉଟ୍‌ କରିଛନ୍ତି । ଜୟଦେବ ଉନାକାତଙ୍କ  ବିପକ୍ଷରେ ସୁନୀଲ ନାରାଏନ ୧୯ ରନ ସଂଗ୍ରହ କରିଛନ୍ତି ଓ ୩ଥର ଆଉଟ୍‌ ହୋଇଛନ୍ତି । 

କୋଟଲା ଗ୍ରାଉଣ୍ଡର ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ ରହିବ । ୨ଦିନ ତଳେ ପ୍ରଥମେ  ବ୍ୟାଟିଂ କରି ସନରାଇଜର୍ସ ଜିତିଥିଲେ ହେଁ  ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ  ପ୍ରକାର ନିଶ୍ଚିତ ।  

-: ସମ୍ଭାବ୍ୟ ଦଳ :- 

ନାଇଟ୍‌ ରାଇଡର୍ସ: ରହମନୁଲ୍ଲା ଗୁରବାଜ/ ଲଭନିତ ସିସୋଦିଆ, ସୁନୀଲ ନାରାଏନ,  ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରିଶ  ରଘୁବଂଶୀ, ଭେଙ୍କଟେଶ ଆୟର/ମନୀଷ  ପାଣ୍ଡେ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ,  ରମଣଦୀପ ସିଂହ, ହର୍ଷିତ ରାଣା, ଆନରିଚ  ନର୍ଜ, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା । 

ସନରାଇଜର୍ସ: ଟ୍ରେଭିସ ହେଡ୍‌, ଅଭିଷେକ  ଶର୍ମା, ଇଶାନ କିଷନ, ହେନରିକ କ୍ଲାସେନ,  ନୀତିଶ କୁମାର ରେଡ୍ଡୀ, ଅନିକେତ ବର୍ମା,  ଅଭିନବ ମନୋହର, ହର୍ଷ ଦୁବେ, ପ୍ୟାଟ୍‌  କମିନ୍ସ (ଅଧିନାୟକ), ହର୍ଷଲ ପଟେଲ,  ଇଶାନ ମାଲିଙ୍ଗା, ଜୟଦେବ ଉନାକାତ ।