ମୁମ୍ବାଇ, ୨୦/୦୪: ଆଜି ସଂଧ୍ୟାରେ ଏକ ଦମ୍ଦାର ମ୍ୟାଚ୍ ରହିଛି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପରସ୍ପରକୁ ଭେଟିବେ । ଗତ ମାସ ୨୩ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହେଇଥିଲା । ସୁପରକିଙ୍ଗ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍କୁ ୪ୱିକେଟ୍ରେ ଜିତିଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଶୋଧ ନେବାର ସମୟ । ତେଣୁ ମ୍ୟାଚ୍ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଉଭୟ ଆଇପିଏଲ୍ର ସବୁଠୁ ସଫଳ ଦଳ । ୫ଥର ଲେଖାଏଁ ଚାମ୍ପିଅନ୍ ହୋଇ ସାରିଛନ୍ତି । ଚଳିତ ସିଜନରେ ଉଭୟ ଦଳର ସେଭଳି ଆଧିପତ୍ୟ ଦେଖାଇ ନାହାନ୍ତି । ସୁପରକିଙ୍ଗ୍ସ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଉପର ତଳ ହେଉଛି । ତେଣୁ ଉଭୟ ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।
ବିଳମ୍ବରେ ହେଉ ପଛେ ମୁମ୍ବାଇ ଇଣ୍ଡିଆନ୍ସ ଫର୍ମ ଫେରି ପାଇଛି । କେବଳ ବ୍ୟାଟିଂ ଅର୍ଡରକୁ ନେଇ ଛୋଟ ମୋଟ ତ୍ରୁଟି ରହିଛି । ରୋହିତ ଶର୍ମା ଇମ୍ପାକ୍ସ ଖେଳାଳି ଭାବେ ଖେଳୁଥିବାରୁ ତାଙ୍କ ଦୁର୍ବଳ ପ୍ରଦର୍ଶନ ଦଳକୁ ସେଭଳି ପ୍ରଭାବିତ କରୁନାହିଁ । ସେ କେବଳ ଗୋଟିଏ ବଡ଼ ଇନିଂସଠୁ ଦୂରରେ ରହିଛନ୍ତି ।
ସୁପରକିଙ୍ଗ୍ସ ଦଳରେ ଅନେକ ତ୍ରୁଟି ରହିଛି । ଅଧିନାୟକ ଋତୁରାଜ ଗାଏକୱାଡ୍ ଆହତ ହୋଇ ବାଦ ପଡ଼ିବା ଫଳରେ ବ୍ୟାଟିଂ ବିଭାଗ ଦୁର୍ବଳ ହୋଇ ଯାଇଛି । ଅବଶ୍ୟ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ହେବା ପରଠୁ ସୁପରକିଙ୍ଗ୍ସ ବିଜୟ ସ୍ୱାଦ ଚାଖିଛି । ବାଦ ପଡ଼ିଥିବା ଆହତ ଖେଳାଳିଙ୍କ ସ୍ଥାନରେ ୨ଜଣ ଯୁବ ଓପନର ଆୟୂଷ ମାହତ୍ରେ ଓ ଡିୱାଲ୍ଡ ବ୍ରେଭିସ୍ଙ୍କ ସହ ସୁପରକିଙ୍ଗ୍ସ ଚୁକ୍ତି କରିଛି । ଉଭୟଙ୍କ ମଧ୍ୟରୁ ଜଣେ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ।
ୱାଙ୍ଖଡ଼େ ଷ୍ଟାଡ଼ିୟମ୍ର ପିଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଗତ ସନରାଇଜର୍ସ ବିପକ୍ଷ ମ୍ୟାଚ୍ରେ ବ୍ୟବହୃତ ପିଚ୍ରୁ ବୋଲରମାନେ ଭରପୁର ଫାଇଦା ଉଠାଇଥିଲେ । ଦ୍ୱିତୀୟ ଭାଗରେ ମଧ୍ୟ ବ୍ୟାଟିଂ କଷ୍ଟକର ହୋଇଥିଲା । ୱାଙ୍ଖଡ଼େ ପିଚ୍ ମୁଖ୍ୟତଃ ବ୍ୟାଟିଂ ପାଇଁ ଅନୁକୂଳ ଓ ସନ୍ଧ୍ୟାରେ ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିଥାଏ । ଆଜିର ମ୍ୟାଚ୍ ପାଇଁ ପ୍ରସ୍ତୁତ ପିଚ୍ ବ୍ୟାଟରଙ୍କୁ ସୁହାଇବ । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ କରିବା ଆଶା କରାଯାଉଛି।
-:ସମ୍ଭାବ୍ୟ ଦ୍ୱାଦଶ:-
ମୁମ୍ବାଇ ଇଣ୍ଡିଆନ୍ସ: ର୍ୟାନ ରିକେଲଟନ, ରୋହିତ ଶର୍ମା, ୱିଲ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, ବିଘ୍ନେଶ ପୁଥୂର ।
ସୁପରକିଙ୍ଗ୍ସ: ସାଇକ ରସିଦ/ଆୟୂଷ ମାହତ୍ରେ, ରଚିନ ରବିନ୍ଦ୍ର, ରାହୁଲ ତ୍ରିପାଠୀ, ରବିନ୍ଦ୍ର ଜାଡ଼େଜା, ଶିବମ ଦୁବେ, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଜାମି ଓଭରଟନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ ।