ଲକ୍ଷ୍ନୌ, ୨୭/୦୫: ଚଳିତ  ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯିବ ଶେଷ  ଲିଗ୍‌ ମ୍ୟାଚ୍‌ । ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏକାନ୍ନା ଷ୍ଟାଡ଼ିୟମ୍‌ରେ  ସାମ୍ନା ସାମ୍ନି ହେବେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଏହି  ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ସୁପରଜାଏଣ୍ଟ୍‌ସ ପ୍ଲେ- ଅଫ୍‌ ଦୌଡ଼ରୁ ବାଦ ପଡ଼ିଥିବାରୁ ଏହି ମ୍ୟାଚ ସେଭଳି ଗୁରୁତ୍ୱ ରଖୁନାହିଁ । କେବଳ ସମ୍ମାନ ଫେରିପାଇବା ସହ ଫ୍ୟାନ୍‌ମାନଙ୍କୁ ଖୁସି କରିବା  ପାଇଁ ଦଳ ଏହି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ ।  

ରୟାଲ ଚ୍ୟାଲେଞ୍ଜର୍ସ ଗତ ୨୩ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାଜିତ  ହୋଇଥିଲା । ଅନେକ ଖେଳାଳିଙ୍କ ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଥିଲା । ବିରାଟ କୋହଲି  ଓ ଫିଲ ସଲ୍ଟଙ୍କୁ ଛାଡ଼ିଦେଲେ ମଧ୍ୟ କ୍ରମରେ ଅନ୍ୟ କେହି ସଫଳ ହୋଇପାରିନଥିଲେ । ଜୋସ୍‌ ହାଜେଲଉଡଙ୍କ ଅନୁପସ୍ଥିତିରେ ବୋଲିଂ ବାହିନୀ  ମଧ୍ୟ ଲକ୍ଷ୍ୟ ଚ୍ୟୁତ ହୋଇଥିଲା । ଏଥର ସମସ୍ତ ତ୍ରୁଟି ସୁଧାରି ରୟାଲ ଚ୍ୟାଲେଞ୍ଜର୍ସ ଗ୍ରାଉଣ୍ଡକୁ ଓହ୍ଳାଇବ ।  

ସୁପରଜାଏଣ୍ଟ୍‌ସ ପୂର୍ବ ଲିଗ୍‌ ମ୍ୟାଚ୍‌ରେ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ହରାଇଥିଲା । ମିଚେଲ ମାର୍ଶ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପରେ  ବୋଲରମାନେ ଟାଇଟନ୍ସ ବ୍ୟାଟରଙ୍କୁ କ୍ରିଜରେ ଜମିବାକୁ ସୁଯୋଗ ଦେଇ ନଥିଲେ । କ୍ରମାନ୍ୱୟରେ  ୪ଟି ମ୍ୟାଚ୍‌ ପରାଜିତ ହୋଇ ପ୍ଲେ-ଅଫ୍‌ରୁ ବାଦ ପଡ଼ିବା ପରେ ସୁପରଜାଏଣ୍ଟସ ଉକ୍ତ ମ୍ୟାଚ୍‌  ଜିତିଥିଲା । ସବୁ ଖେଳାଳି ଫର୍ମକୁ ଫେରିବା  ବେଳକୁ ବିଳମ୍ବ ହୋଇ ସାରିଥିଲା । ଟାଇଟନ୍ସ  ବିପକ୍ଷ ମ୍ୟାଚ୍‌ର ପ୍ରଦର୍ଶନକୁ ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦୋହରାଇବା ପାଇଁ ଦଳ  ପ୍ରସ୍ତୁତ ରହିଛି । 

ଆଜି ରୟାଲ ଚ୍ୟାଲେଞ୍ଜର୍ସ  ଏକାଦଶରେ ପରିବର୍ତ୍ତନ କରିବ । ଦଳକୁ  ଫେରିଥିବା ଜୋସ ହାଜେଲଉଡ୍‌ ଆସନ୍ତା କାଲି ଲୁଙ୍ଗି  ଏନଗିଡ଼ିଙ୍କ ସ୍ଥାନରେ ଖେଳିବାର ଯଥେଷ୍ଟ ସମ୍ଭାବନା  ରହିଛି । ଠିକ୍‌ ସେହିପରି ଆହତ ଟିମ ଡେଭିଡଙ୍କ  ସ୍ଥାନରେ ଲାଏମ ଲିଭିଙ୍ଗଷ୍ଟୋନ କିମ୍ବା ଟିମ ସାଇଫର୍ଟଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । 

ସୁପରଜାଏଣ୍ଟ୍‌ସ ଦଳରେ ଏକାଧିକ  ପରିବର୍ତ୍ତନ ହେବା ଆଶା କରାଯାଉଛି । ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ ହୋଇଥିବା ଦିଗବେଶ ରାଠି  ଆଜି ଖେଳିବା ନିଶ୍ଚିତ । ଏହା ବ୍ୟତୀତ ୩  ଯୁବ ଅଲରାଉଣ୍ଡର ଆର୍ସିନ କୁଲକର୍ଣ୍ଣୀ, ରାଜବର୍ଦ୍ଧନ  ହଙ୍ଗରଗେକର ଓ ଯୁବରାଜ ଚୌଧୁରୀଙ୍କ ମଧ୍ୟରୁ  ଜଣଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।  

ଆଜି କୋହଲିଙ୍କ ଉପରେ ନଜର  ରହିବ । ସେ ଆଉ ୨୪ ରନ୍‌ କଲେ ରୟାଲ୍‌  ଚ୍ୟାଲେଞ୍ଜର୍ସ ପକ୍ଷରୁ ୯୦୦୦ ରନ ପୂରଣ  କରିବେ । ଆଉ ଏକ ବିଜୟ ସହ ରୟାଲ୍‌  ଚ୍ୟାଲେଞ୍ଜର୍ସ ରେକର୍ଡ କରିବା ସମ୍ଭାବନା ରହିଛି । ଆଇପିଏଲ୍‌ ଇତିହାସରେ ପ୍ରଥମ ଦଳ ଭାବେ  ରୟାଲ ଚ୍ୟାଲେଞ୍ଜର୍ସ ବାହାର ଗ୍ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିବାରେ ସଫଳ ହେବ । 

ଏକାନ୍ନା ଷ୍ଟାଡିୟମ୍‌ରେ ଆଜିର ମ୍ୟାଚ୍‌  ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ ଥିଲେ ହେଁ ସାମାନ୍ୟ ମନ୍ଥର ରହିବ ।  ଫଳରେ ସ୍ପିନରମାନେ ପିଚ୍‌ର ଫାଇଦା ଉଠାଇ ପାରିବେ । ଏହି ପିଚ୍‌ରେ ପୂର୍ବରୁ ଏକ ମ୍ୟାଚ୍‌ ଖେଳାଯାଇଥିଲା ଓ ଚେନ୍ନାଇ ସୁପରକିଙ୍ଗ୍‌ସ  ୫ୱିକେଟ୍‌ରେ ସୁପରଜାଏଣ୍ଟ୍‌ସକୁ ପରାସ୍ତ  କରିଥିଲା । ଆଜି ମଧ୍ୟ ଟସ୍‌ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ୱାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ  କୋହଲି, ମୟଙ୍କ ଅଗରୱାଲ୍‌, ରଜତ  ପାତିଦାର (ଅଧିନାୟକ),ଲାଏମ ଲିଭିଙ୍ଗଷ୍ଟୋନ, ଜିତେଶ  ଶର୍ମା, ରୋମାରିଓ ସେଫର୍ଡ, କୃନାଲ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍‌, ୟଶ ଦୟାଲ, ସୂୟାଶ ଶର୍ମା । 

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ,  ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ  ପନ୍ତ(ଅଧିନାୟକ), ଆୟୂଷ ବାଦୋନି,  ଅବଦୁଲ ସମଦ, ହିମତ ସିଂହ, ଦିଗବେଶ  ରାଠି, ଅଭେଶ ଖାନ, ଆକାଶ ଦୀପ, ୱିଲ ଓ’ରୁର୍କ, ଆକାଶ ସିଂହ।