ୟା’ଭିତରେ ଅଷ୍ଟ୍ରେଲିଆର ଆଇନ ମାଧ୍ୟମରେ ଷୋହଳ ବର୍ଷ ତଳ ପିଲାଙ୍କୁ ସୋସିଆଲ ମିଡିଆ (ସାମାଜିକ ଗଣମାଧ୍ୟମ) ବ୍ୟବହାର କରିବା ନିଷେଧ କରାହୋଇଛି । ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା କରିବା ।

୨୮ ନଭେମ୍ବର ୨୦୨୪ ତାରିଖରେ ଅଷ୍ଟ୍ରେଲିଆ ସରକାର କର୍ତ୍ତୃକ ସଂସଦରେ ଅନଲାଇନ ସୁରକ୍ଷା ସଂଶୋଧନ (ସାମାଜିକ ଗଣମାଧ୍ୟମ ନ୍ୟୂନତମ ବୟସ) ବିଲ୍ ୨୦୨୪ ଆଗତ ହେଲା । ତା’ ପରଦିନ ସଂସଦୀୟ ଅନୁମୋଦନ କ୍ରମେ ଏହି ବିଲ୍ ଆଇନରେ ପରିଣତ ହେଲା ଏବଂ ୧୦ ଡିସେମ୍ବର ୨୦୨୫ରେ କାର୍ଯ୍ୟକାରୀ ହେଲା । ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରଥମ ଓ ଏପର୍ଯ୍ୟନ୍ତ ଏକମାତ୍ର ଦେଶ ହେଲା ଅଷ୍ଟ୍ରେଲିଆ । ଏହି ବିଷୟଟି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ହୋଇ ରହିଛି । ଏହି ଆଇନ ଅନୁସାରେ ୧୬ବର୍ଷ ବୟସ ନହେବାଯାଏଁ ପିଲାଏ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିପାରିବେ ନାହିଁ କି ତାଙ୍କ ବାପାମାଆ ଏଥିପାଇଁ ତାଙ୍କୁ ଅନୁମତି ଦେଇପାରିବେ ନାହିଁ । ଏହି ମୁହୂର୍ତ୍ତରେ ଦଶଟି ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ଏହି ନିଷେଧାଜ୍ଞା ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ହେଲେ- ୟୁଟ୍ୟୁବ, ଏକ୍ସ (ପୂର୍ବର ଟ୍ୱିଟର), ଫେସବୁକ୍, ଇନଷ୍ଟାଗ୍ରାମ,ଟିକ୍ଟକ୍, ସ୍ନାପଚାଟ୍, ରେଡିଟ୍, ଟ୍ୱିଚ, ଥ୍ରେଡ୍ସ ଓ କିକ୍ ।

ଏହି ନିଷେଧାଜ୍ଞାର ପୃଷ୍ଠଭୂମି ହେଲା ସୋସିଆଲ ମିଡିଆର ଛୁଆଙ୍କ ଉପରେ ନକାରାତ୍ମକ ପ୍ରଭାବ । ୨୦୨୫ ମସିହାରେ ଏକ ଗବେଷଣା କରାଯାଇଥିଲା । ଗବେଷଣାର ନିର୍ଯ୍ୟାସ ହେଲା, ୧୦ରୁ ୧୫ବର୍ଷ ବୟସର ୯୬% ପିଲା ସାମାଜିକ ଗଣମାଧ୍ୟମ ବ୍ୟବହାର କରନ୍ତି । କେବଳ ସେତିକି ନୁହେଁ, ହାରାହାରି ୧୦ଜଣ ପିଲାଙ୍କ ଭିତରେ ୭ଜଣ କ୍ଷତିକାରକ ବିଷୟ ସହିତ ପରିଚିତ ହୋଇଛନ୍ତି ଇତ୍ୟାଦି । କ୍ଷତିକାରକ ବିଷୟ ମଧ୍ୟରେ ମହିଳା, ଝିଅପିଲାଙ୍କ ପ୍ରତି ବିଦ୍ୱେଷ, ହିଂସାପରାୟଣତା, ଖାଦ୍ୟପେୟରେ ଅନିୟମିତତା, ଆତ୍ମହତ୍ୟାପ୍ରବଣତା ଆଦି ଅନ୍ତର୍ଭୁକ୍ତ । ଏଥିପାଇଁ ଏମିତି ଆଇନର ଆଶ୍ରୟ ନେବାକୁ ପଡ଼ିଲା । ଏହି ନିଷେଧାଜ୍ଞାର କାର୍ଯ୍ୟାନ୍ୱୟନ ପାଇଁ କିଛି ନିୟମାବଳୀ ଧାର୍ଯ୍ୟ କରାଯାଇଛି । ସେ ଭିତରୁ ପ୍ରମୁଖ ନିୟମ ସବୁ ହେଲା- ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଛୁଆ ଏବଂ ତାଙ୍କ ବାପାମାଆଙ୍କୁ ଦଣ୍ଡିତ କରାଯିବନାହିଁ³ ନିୟମ ଉଲ୍ଲଙ୍ଘନକାରୀ କମ୍ପାନୀ ୪୯.୫ ନିୟୁତ ଅଷ୍ଟ୍ରେଲୀୟ ଡଲାର (ଭାରତୀୟ ଟଙ୍କା ସହ ବିନିମୟ ମୂଲ୍ୟ ୬୩.୫) ପର୍ଯ୍ୟନ୍ତ ଜରିମାନା ଦେଇପାରନ୍ତି । ସାମାଜିକ ଗଣମାଧ୍ୟମ କମ୍ପାନୀମାନେ ଛୁଆମାନଙ୍କୁ ତାଙ୍କ ପ୍ଲାଟଫର୍ମରୁ ଦୂରେଇ ରଖିବାପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ଇତ୍ୟାଦି । ଫେସବୁକ୍, ଥ୍ରେଡ୍ସ ଓ ଇନଷ୍ଟାଗ୍ରାମର ମାଲିକ ମେଟା କହିଲେ ନିଷେଧାଜ୍ଞା ଜାରି ହେବାର ପ୍ରଥମ କିଛି ଦିନରେ ହିଁ ସେମାନେ ପ୍ରାୟ ୫,୫୦,୦୦୦ ଆକାଉଣ୍ଟ ବନ୍ଦ କରିଦେଲେ । ମନେହୁଏ, ସୋସିଆଲ ମିଡିଆ କମ୍ପାନୀମାନେ ମୋଟ୍ ଉପରେ ନିଷେଧାଜ୍ଞା ମାନିବାକୁ ରାଜି ହୋଇଛନ୍ତି । ତେବେ ତାଙ୍କ ଭିତରେ କିଛି ଅସ୍ୱସ୍ତିବୋଧ ମଧ୍ୟ ଅଛି । ୟୁଟ୍ୟୁବ (ମୂଳ କମ୍ପାନୀ ଗୁଗୁଲ) ଅଦାଲତର ଆଶ୍ରୟ ନେବ ବୋଲି କହିଛନ୍ତି । ନିଷେଧାଜ୍ଞା ଲାଗୁ କରିଥିବାର ପ୍ରଥମ କମ୍ପାନୀରୁ ଅନ୍ୟତମ ମେଟା ଅନୁସାରେ, ଏହି ନିୟମର କାର୍ଯ୍ୟାନ୍ୱୟନ ସହଜ ନୁହେଁ ଏବଂ ଏହା ଛୁଆମାନଙ୍କୁ ଏକ ଅସମ ସ୍ଥିତିରେ ପହଞ୍ଚାଇବ (ବିବିସି ନ୍ୟୁଜ, ୨୦.୧୧.୨୫/ ୨୩.୧.୨୬) । ଏହାଛଡ଼ା ଅନେକଙ୍କ ମତରେ ଆକାଉଣ୍ଟ ନଖୋଲି ପିଲାଏ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଚେଷ୍ଟା କରିବେ । ଅର୍ଥ ଦଣ୍ଡ ବିଶାଳକାୟ ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ବାଧିବ ନାହିଁ । କାରଣ ୫୦ ନିୟୁତ ଡଲାର ଗୁଗୁଲ/ ଫେସବୁକ୍ ଭଳି କମ୍ପାନୀ କିଛି ମିନିଟରେ ଅର୍ଜନ କରନ୍ତି । ଏଣୁ ବର୍ତ୍ତମାନ ଧାର୍ଯ୍ୟ କରାଯାଇଥିବା ଅର୍ଥଦଣ୍ଡ ଯଥେଷ୍ଟ ନୁହେଁ । ଅର୍ଥାତ୍, ଏହି ଆଇନର ସଠିକ୍ କାର୍ଯ୍ୟାନ୍ୱୟନ ଏତେ ସହଜ ନୁହେଁ ।

ତେବେ ଏହା ସତ ଯେ, ଛୋଟ ପିଲାମାନଙ୍କ ସୋସିଆଲ ମିଡିଆ ନିଶା ଏକ ବଡ଼ ଚିନ୍ତାର କାରଣ ହୋଇ ଉଭା ହୋଇଛି । ବିଜ୍ଞାନ ଓ କାରିଗରୀ କୌଶଳ (ଟେକନୋଲୋଜି) କ୍ଷୀପ୍ରଗତିରେ ପ୍ରଗତି କରୁଛି । କମ୍ପୁଟର, ମୋବାଇଲ ଫୋନ୍ ସହିତ ଇଣ୍ଟରନେଟ ସଂଯୋଗ ସଂଚାର କ୍ଷେତ୍ରରେ ବିପ୍ଳବ ଆଣିଛି । ବ୍ୟବସାୟ ଓ ଲାଭ ସମ୍ଭାବନା ହେତୁ ବଡ଼ ବଡ଼ ସୋସିଆଲ ମିଡିଆ କମ୍ପାନୀ ସବୁ ତିଆରି ହେଲା । ଏସବୁ କମ୍ପାନୀ ଏକ ପ୍ଳାଟଫର୍ମ ଯୋଗାନ୍ତି (ସୁଯୋଗ ସୃଷ୍ଟି କରନ୍ତି) । ସେହି ପ୍ଲାଟଫର୍ମରେ ଯିଏ ଯାହା ପାରିଲା ଅପଲୋଡ କରିପାରିଲା । ଏହାକୁ ମୋଟ୍ ଉପରେ କଣ୍ଟେଣ୍ଟ କହନ୍ତି । ଏହି କଣ୍ଟେଣ୍ଟ ଲେଖା ବା ଶୁଣିବା (ଅଡିଓ), ଶୁଣିବାଦେଖିବା (ଅଡିଓ ଭିଜୁଆଲ) ମାଧ୍ୟମରେ ହୋଇପାରେ । ଯିଏ ଅପଲୋଡ୍ କଲେ ସେ ତାଙ୍କ ପରିଚୟ ଗୋପନ ରଖିପାରନ୍ତି ବା ଏକ ଛଦ୍ମନାମ ବ୍ୟବହାର କରିପାରନ୍ତି । ପ୍ରାପ୍ତବୟସ୍କଙ୍କ ବ୍ୟବହାରଯୋଗ୍ୟ କଣ୍ଟେଣ୍ଟ ପାଇଁ କିଛି କଟକଣା ଅଛି, ହେଲେ ତାହା ଏତେ ପ୍ରଭାବଶାଳୀ ନୁହେଁ । ଏଭଳି ସ୍ଥିତିରେ ହାତରେ ମୋବାଇଲଟିଏ ଧରି ଛୁଆଟି ଇଣ୍ଟରନେଟ ମାଧ୍ୟମରେ ବହୁତ କିଛି ଦେଖି ଶୁଣିପାରିବ । ଏହା ଏକ ଅନ୍ଧଗଳି । କ୍ରମଶଃ ତାହା ନିଶାରେ ପରିଣତ ହୁଏ । ଏହି ନିଶାର କିଛି କୁପରିଣାମ ଆମେ ଉପରେ ଉଲ୍ଲେଖ କରିଛୁ । ଇଣ୍ଟରନେଟ ଏକ ଝଡ଼ ଥିଲା । ଆଗକୁ ଏଆଇ (କୃତ୍ରିମ ବୁଦ୍ଧି- ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବାତ୍ୟା ଆସୁଛି । ଆଜି ଦିନରେ ବିଜ୍ଞାନ ଓ କାରିଗରୀ କୌଶଳ ଯେଉଁ ସ୍ଥିତିରେ ଅଛି, ତାରି ଭିତ୍ତିରେ ସମାଧାନର ବାଟ ଖୋଜାଚାଲିଛି । ମନସ୍ତତ୍ତ୍ୱ ବିଜ୍ଞାନରେ ଫ୍ୟୁଚର ଶକ୍ (ଭବିଷ୍ୟତ ଆଘାତ) ନାମକ ଏକ ତତ୍ତ୍ୱ ଅଛି (ଦ୍ରଷ୍ଟବ୍ୟ: କୋଲମ୍ୟାନଙ୍କ ଆବନର୍ମାଲ ସାଇକୋଲଜି ଆଣ୍ଡ ମଡର୍ଣ୍ଣ ଲାଇଫ, ୧୯୮୮, ପୃ-୬୪୭) । ଏହା ଏକ ପରିଚିତ ପାଠ୍ୟପୁସ୍ତକ । ଏହି ତତ୍ତ୍ୱର ପ୍ରଣେତା ହେଲେ ଆମେରିକୀୟ ଲେଖକ ଆଲଭିନ ଟଫଲର । ସେ ୧୯୭୦ ମସିହାରେ ‘ଫ୍ୟୁଚର ଶକ୍’ ଶୀର୍ଷକରେ ଏକ ବହି ଲେଖିଥିଲେ । ଏଥିରେ ସେ ବିଜ୍ଞାନ ଓ କାରିଗରୀ କୌଶଳର ପରିବର୍ତ୍ତନର ଅସାଧାରଣ ଗତିର ପ୍ରଭାବ ଉପରେ ଆଲୋକପାତ କରିଛନ୍ତି । ଏହାକୁ ସେ ଇନଫର୍ମେସନ ଓଭରଲୋଡ (ତଥ୍ୟର ଅତ୍ୟଧିକ ବୋଝ) କହନ୍ତି । ଏହା ଫଳରେ ଶିଶୁ, ବ୍ୟକ୍ତି, ସମାଜ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ‘ଫ୍ୟୁଚର ଶକ୍’ର ମନସ୍ତାତ୍ତ୍ୱିକ ପ୍ରଭାବ ଉପରେ ପାଠ୍ୟପୁସ୍ତକରେ ବର୍ଣ୍ଣନା ଅଛି । ସୋସିଆଲ ମିଡିଆ, ବିଶେଷତଃ ସୋସିଆଲ ମିଡିଆ ନିଶା ଏଭଳି ଏକ ଫ୍ୟୁଚର ଶକ୍, ଆଜିକାଲି ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ । ଛୁଆଙ୍କ ହାତରେ ବି । ସେମାନେ କ’ଣ ଦେଖୁଛନ୍ତି, କ’ଣ ଶୁଣୁଛନ୍ତି, ଏସବୁ ତାଙ୍କ ଉପରେ କ’ଣ ମନସ୍ତାତ୍ତ୍ୱିକ ପ୍ରଭାବ ପକାଉଛି, କିଏ ଜାଣିଛି? ସାମୂହିକ ଭାବରେ ଏହା ସମାଜ ପାଇଁ ଏକ ସମସ୍ୟା । ଏକସମୟରେ ହେରୋଇନ, ମାରିଜୁଆନା ଭଳି ନିଶାଦ୍ରବ୍ୟ ଯୁବବର୍ଗଙ୍କୁ କବଳିତ କରିଥିଲା । ସମାପ୍ତ ନହେଲେ ବି ଏସବୁ ଉପରେ ଅଙ୍କୁଶ ଲାଗିଛି । ଆଇନ ତିଆରି ହୋଇଛି, ଡ୍ରଗମାଫିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଇତ୍ୟାଦି । ଷାଠିଏ ଦଶକରେ ହିପ୍ପୀ ସଂସ୍କୃତି ଆଉ ପ୍ରାୟ ନାହିଁ । ଏସବୁ ନିଶାଦ୍ରବ୍ୟ ସେବନ ଯୁବପିଢ଼ି ଏବଂ ସମାଜ ପାଇଁ କ୍ଷତିକାରକ ଥିଲା । ଏବେ ବି ଅଛି । ବର୍ତ୍ତମାନ ଅପ୍ରାପ୍ତବୟସ୍କ ପିଲାଙ୍କ ସୋସିଆଲ ମିଡିଆ ନିଶା ଏକ ଭୟଙ୍କର ବିପଦ ସୃଷ୍ଟି କରିଛି । ସୋସିଆଲ ମିଡିଆ ନିଶା ଛୋଟ ପିଲାଙ୍କୁ ଚାପ ଓ ବିଭିନ୍ନ ପ୍ରକାର ମାନସିକ ରୋଗାଗ୍ରସ୍ତ କରୁଛି । ଏହାର ବିଜ୍ଞାନସମ୍ମତ ପ୍ରମାଣ ମିଳୁଛି । ଏଣୁ ଜରୁରିକାଳୀନ ଭିତ୍ତିରେ ସମାଧାନ ବାଟ ଖୋଜା ଚାଲିଛି । ଅଷ୍ଟ୍ରେଲିଆ ଏକ ବାଟ ଦେଖାଇଲା । ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଆଇନତଃ କୁହାଗଲା । କମ୍ପାନୀମାନେ ମୋଟ୍ ଉପରେ ଆଇନ ମାନିବାକୁ ରାଜି ଅଛନ୍ତି ମନେହୁଏ ।

ନିଷେଧାଜ୍ଞାର ଫଳାଫଳ ଆକଳନ ପାଇଁ ଅଷ୍ଟ୍ରେଲିଆରେ ପ୍ରୟାସ ଆରମ୍ଭ ହୋଇଛି । ସୋସିଆଲ ମିଡିଆରୁ ବିଚ୍ଛିନ୍ନ ହେଲାପରେ ୧୩ରୁ ୧୬ବର୍ଷ ବୟସ ବର୍ଗର ପିଲାଙ୍କ ଅଭିଜ୍ଞତା କ’ଣ ବୁଝିବାକୁ ଚେଷ୍ଟା ହେଉଛି । ମନସ୍ତତ୍ତ୍ୱ ବିଜ୍ଞାନରେ ଏହାକୁ ‘କନେକ୍ଟେଡ ମାଇଣ୍ଡସ୍ ଷ୍ଟଡି’ (ସଂଯୁକ୍ତ ମାନସିକ ଗବେଷଣା) କୁହନ୍ତି । ପୃଥିବୀସାରା ଲୋକେ ଅଷ୍ଟ୍ରେଲିଆର ଏହି ପ୍ରୟୋଗର ଫଳାଫଳକୁ ଉତ୍ସୁକତା ସହିତ ଅପେକ୍ଷା କରି ରହିଛନ୍ତି (ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ସମ୍ବଲପୁର, ପୃ-୭, ୧୦.୧୨.୨୫) । ଇଂଲଣ୍ଡର କଥା ଦେଖନ୍ତୁ । ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ଲେବର ପାର୍ଟିର ୬୦ରୁ ଊଦ୍ଧ୍ୱର୍ ସଦସ୍ୟ ତାଙ୍କୁ ଚିଠି ଲେଖି ଅଷ୍ଟ୍ରେଲିଆରେ ପ୍ରଣୀତ ଆଇନ ଅନୁରୂପ ଆଇନ ଇଂଲଣ୍ଡରେ ମଧ୍ୟ ପ୍ରଣୟନ କରିବା ପାଇଁ ଚିଠି ଲେଖିଛନ୍ତି । ଇଂଲଣ୍ଡ ସରକାରଙ୍କ ମନ୍ତ୍ରୀମାନେ ଏଥିପାଇଁ ଅଷ୍ଟ୍ରେଲିଆ ଯାଉଛନ୍ତି । ଛାତ୍ରଛାତ୍ରୀ ଓ ତାଙ୍କ ବାପାମାଆ ତଥା ଅନ୍ୟାନ୍ୟ ସହଯୋଗୀଙ୍କ ସହ ଆଲୋଚନା କରାଯାଉଛି (ଏକ୍ସପ୍ରେସ, ପୃ-୧୧, ୨୧.୧.୨୬) । ଏହି ପ୍ରବନ୍ଧ ଲେଖିଲା ବେଳକୁ ଆମେରିକାର ଲସ୍- ଆଞ୍ଜେଲସ ଅଦାଲତରେ ମେଟା, ୟୁଟ୍ୟୁବ, ବିରୁଦ୍ଧରେ ଛୁଆମାନଙ୍କ ସମ୍ଭାବ୍ୟ କ୍ଷତିକାରକ ଆଲଗୋରିଦମ, ଫିଚର ଆଦି ଜାଣିଶୁଣି ତିଆରି କରିଥିବା ଅଭିଯୋଗ ଉପରେ ଶୁଣାଣି ଆରମ୍ଭ ହୋଇଛି । ଅନ୍ୟ କିଛି ରାଜ୍ୟ ଯଥା- ଫ୍ଲୋରିଡା, ଇଟାଲି, ଟେକ୍ସାସ, ଓହାୟୋ, ଜର୍ଜିଆ ଆଦି ଏ ଦିଗରେ କଟକଣା ଜାରି କରିଛନ୍ତି ।

କେନ୍ଦ୍ରୀୟସ୍ତରରେ ଆଇନ ପ୍ରଣୟନ ବିଚାରାଧୀନ ଅଛି । ଫ୍ରାନ୍ସ, ଡେନମାର୍କ, ସ୍ପେନରେ ମଧ୍ୟ ଅନୁରୂପ ଆଇନ ପ୍ରଣୟନର ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତରେ ଆନ୍ଧ୍ରପ୍ରଦେଶ ଓ ଗୋଆରେ ଏ ଦିଗରେ ପ୍ରୟାସ ହୋଇଛି । ମାଡ୍ରାସ ହାଇକୋର୍ଟ ଏଥିପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାପାଇଁ ପରାମର୍ଶ ଦେଇଛନ୍ତି । ଉପସଂହାରକୁ ଆସିବା । କୋମଳମତି ଶିଶୁମାନେ ସମାଜ ଓ ଦେଶର ଭବିଷ୍ୟତ । ବାପାମାଆ ଶିକ୍ଷାବ୍ୟବସ୍ଥା ଓ ସମାଜର ବିଭିନ୍ନ ବର୍ଗ ମିଳିମିଶି ଛୁଆଙ୍କ ସର୍ବାଙ୍ଗ ବିକାଶ ପ୍ରକ୍ରିୟାରେ ସକ୍ରିୟ ସକାରାତ୍ମକ ଅଂଶଗ୍ରହଣ କରିବା ଉଚିତ । ଟେକ୍ନୋଲୋଜି ଏକ ମସ୍ତବଡ଼ ହସ୍ତକ୍ଷେପ । ଟେକ୍ନୋଲୋଜି ଯେକୌଣସି ସମୟରେ ଯେକୌଣସି ପଟୁ ପଶି ଆସିପାରେ । ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ବଡ଼ ବଜାର, ଅଧିକ ଉପଭୋକ୍ତା, ଅଧିକ ବିଜ୍ଞାପନ, ଅଧିକ ଲାଭ ଦରକାର । ଛୁଆମାନେ ସହଜ ଲକ୍ଷ୍ୟ । ଯେତେ ଅଧିକ ଛୁଆ ସୋସିଆଲ ମିଡିଆ ବ୍ୟବହାର କରିବେ, ବ୍ୟବସାୟର ପରିଧି ସେତେ ବେଶି ବଢ଼ିବ ।

ଏଣୁ ଛୁଆଙ୍କୁ ସୁହାଇଲା ଭଳି ଆଲଗୋରିଦମ୍ ସବୁ ତିଆରି ହେଉଛି । ଏମିତିକି ପାଠକ ଲକ୍ଷ୍ୟ କରିଥିବେ, ଅଧିକାଂଶ ବ୍ୟବସାୟଜନିତ ବିଜ୍ଞାପନ ମହିଳା ଓ ଶିଶୁଙ୍କୁ କେନ୍ଦ୍ରକରି ତିଆରି ହୁଏ । କାରଣ, ସେମାନେ ସେ ଦ୍ରବ୍ୟ କିଣିବାପାଇଁ ଚାପ ପକାଇବେ । ସୋସିଆଲ ମିଡିଆରେ ଶିଶୁ ଓ ଅପ୍ରାପ୍ତବୟସ୍କ ପିଲାଙ୍କ ପାଇଁ ଅନେକ ଶିକ୍ଷଣୀୟ ତଥା ଲଘୁ ମନୋରଞ୍ଜନଧର୍ମୀ କଣ୍ଟେଣ୍ଟ ଅଛି । ତାହା ଅଲଗା ପ୍ରସଙ୍ଗ । ସୋସିଆଲ ମିଡିଆର ଯେଉଁ ଦିଗ ଉପରେ ଆମେ ଆଲୋଚନା କରୁଛୁ ତାହା ହେଲା ଶିଶୁ, ଅପ୍ରାପ୍ତବୟସ୍କ ପିଲାଙ୍କ ଉପରେ କେଉଁ ନକାରାତ୍ମକ ପ୍ରଭାବ ପଡ଼ିବ ତାହା ଚିନ୍ତା ନକରି କେବଳ ବ୍ୟବସାୟ ବୃଦ୍ଧି ଉଦ୍ଦେଶ୍ୟରେ କଣ୍ଟେଣ୍ଟ ତିଆରି କରି ଅପଲୋଡ୍ କରିବା । ଶିଶୁଙ୍କର କ୍ଷତି ହେଉ ପଛେ, ଅଧିକ ଲାଭ ହେଉ । ଏଣେ ଏହା ଯେ କ୍ରମଶଃ ସମଗ୍ର ସମାଜର କ୍ଷତିସାଧନ କରିବ ସେଥିପାଇଁ ଭ୍ରୂକ୍ଷେପ ନାହିଁ । ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଏବଂ ଗଭୀର ଚିନ୍ତାର କାରଣ । ଅଷ୍ଟ୍ରେଲିଆରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ ଦେଶ ଓ ଆମ ପ୍ରଦେଶରେ ମଧ୍ୟ ଏ ବିଷୟରେ ଚର୍ଚ୍ଚା ହେବା ଜରୁରି ।