ନୂଆଦିଲ୍ଲୀ : ଭିଏତନାମରରେ ଶନିବାର ଦିନ ଏକ ବଡ଼ ଦୁର୍ଘଟଣା ଘଟିଥିବା ଖବର ଆସିଛି। ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇଯାଉ ଥିବା ଏକ ବୋଟ୍ ଶନିବାର ଓଲଟି ପଡିଥିଲା। ଏହାପରେ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ତଲାସୀ ଓ ଉଦ୍ଧାର ଅଭିଯାନ ଜାରି ରହିଛି। ଭିଏତନାମରେ ଭାରତୀୟ ଦୂତାବାସ ଏହାର ସୂଚନା ଦେଇଛି। ସ୍ଥାନୀୟ ମିଡିଆର କହିବାନୁସାରେ , ଏହି ଭୟାନକ ଦୁର୍ଘଟଣାରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେସୁଦ୍ଧା ଜଣାପଡ଼ି ନାହିଁ ମୃତକଙ୍କ ମଧ୍ୟରେ କେତେ ଜଣ ଭାରତୀୟ ଅଛନ୍ତି।

କୁହାଯାଉଛି ଯେ, ଏହି ବୋଟ୍ ୨୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିଲା। ଶ୍ରୀନିବାସ ନାମକ ଜଣେ ଟୁରିଷ୍ଟ କହିଛନ୍ତି ଯେ, ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା ଓ ତାମିଲନାଡୁରୁ ୧୦୫ ଜଣ ଟୁରିଷ୍ଟ ଭିଏତନାମ ବୁଲିବାକୁ ଯାଇଥିଲେ ଏବଂ ବୋଟରେ ପ୍ରାୟ ୨୪ ଜଣ ଲୋକ ବସି ଥିଲେ। ଯେଉଁଥିରେ ଆନ୍ଧ୍ର ପ୍ରଦେଶର ୫ ଓ ତାମିଲନାଡୁର ୧୭ ଜଣ ଲୋକ ଥିଲେ। ଆନ୍ଧ୍ର ପ୍ରଦେଶର ୨ ଜଣ ଲୋକ ସୁରକ୍ଷିତ ଅଛନ୍ତି, ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାମିଲନାଡୁର ମଧ୍ୟ ଅନେକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି , ଏକ ଦୁଃଖଦ ଘଟଣାରେ କିଛି ଘଣ୍ଟା ପୂର୍ବରୁ ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଅନେକ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଟ୍ ଓଲଟି ପଡ଼ିଛି। ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ତଲାସୀ ଓ ଉଦ୍ଧାର ଅଭିଯାନ ଜାରି ରହିବା କାରଣରୁ ଘଟଣାର ସଠିକ୍ ତଥ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରାଯାଉଛି।

ଦୂତାବାସ କହିଛି ଯେ, ପ୍ରଭାବିତ ପରିବାର ଗୁଡ଼ିକର ସାହାଯ୍ୟ କରିବା ଓ ଘଟଣା ବିଷୟରେ ସୂଚନା ଦେବା ପାଇଁ ସେମାନେ ହୋ ଚି ମିନହ ସିଟି ଓ ହନୋଇରେ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛନ୍ତି। ପ୍ରଭାବିତ ପରିବାର ସୂଚନା ନେବା ପାଇଁ +୮୪-୩୬୨୮୧୭୯୩୦, +୮୪-୯୧୫୫୨୩୭୧୪ ଏବଂ +୮୪-୩୩୪୫୨୦୪୧୪ ନମ୍ବରରେ ଯୋଗାଯୋଗ କରିପାରିବେ।

ମିଡିଆ ରିପୋର୍ଟ ଅନୁଯାୟୀ, ଓଲଟି ପଡ଼ିଥିବା ବୋଟକୁ ଦେଖି ଅନେକ ଡଙ୍ଗା ଚାଳକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ। ଜଣେ ଡଙ୍ଗା ଚାଳକ ଭିଏତନାମୀୟ ନ୍ୟୁଜ୍ ୱେବସାଇଟ୍ VnExpress ଇଣ୍ଟରନ୍ୟାସନାଲକୁ କହିଛନ୍ତି ଯେ, ତାଙ୍କ ବୋଟ୍ ପ୍ରାୟ ପାଞ୍ଚ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲା। ତଥାପି, ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଥିଲା, କାରଣ ଅନେକ ଯାତ୍ରୀ ଓଲଟି ପଡ଼ିଥିବା ଡଙ୍ଗା ଭିତରେ ଫସି ରହି ଥିଲେ। ଡଙ୍ଗା ଚାଳକ କହିଛନ୍ତି ଯେ କେବଳ କିଛି ଲୋକଙ୍କୁ ହୋସ୍ ଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ଆହୁରି ମଧ୍ୟ ପଢନ୍ତୁ : କରୋନା ପରେ ଆଉ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ, WHO ର ବଡ଼ ଚେତାବନୀ !

ଏହି ଦୁର୍ଘଟଣା ଭିଏତନାମରେ ହୋଇଥିବା ଆଉ ଏକ ବଡ଼ ଦୁର୍ଘଟଣାର ପ୍ରାୟ ବର୍ଷେ ପରେ ହୋଇଛି। ଉଲ୍ଲେଖନୀୟ ଯେ, ଜୁଲାଇ ୨୦୨୫ ମସିହାରେ ହା ଲଙ୍ଗ ବେ’ ରେ ହଠାତ୍ ଝଡ଼ ଆସିବାରୁ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ିଥିଲା, ଯେଉଁଥିରେ ଅତି କମରେ ୨୦ ଜଣ ପିଲାଙ୍କ ସହ ୪୮ ଜଣ ଲୋକ ଥିଲେ। ସେଥିରେ ପ୍ରାୟ ୩୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ବର୍ତ୍ତମାନ ଉକ୍ତ ସଦ୍ୟ ଘଟଣା ଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ସାମୁଦ୍ରୀକ ସୁରକ୍ଷା ଓ ଜରୁରୀକାଳୀନ ପ୍ରସ୍ତୁତିକୁ ପୁଣି ଚିନ୍ତା ବଢାଇ ଦେଇଛି।