ନୂଆଦିଲ୍ଲୀ,୧୧/୦୭; ମଧ୍ୟପ୍ରଦେଶରେ ପ୍ରବଳ ଉତ୍ତେଜନା । ମଧ୍ୟପ୍ରଦେଶ ଦାତିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା ହେବା ପରେ ସମଗ୍ର ଅଞ୍ଚଳରେ ରାଜନୈତିକ ପାଣିପାଗ ବଦଳି ଯାଇଛି । ଭାରତୀୟ ଜନତା ପାର୍ଟି ଦାତିଆ ବିଧାନସଭା ଆସନରୁ ଉପନିର୍ବାଚନ ପାଇଁ ନରୋତ୍ତମ ମିଶ୍ରାଙ୍କୁ ଟିକେଟ୍ ଦେବ ବୋଲି ଆଶା କରାଯାଉଥିଲା । କିନ୍ତୁ ସେମିତି କିଛି ହୋଇନଥିଲା । ବିଜେପି ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରିଥିଲା । ନରୋତ୍ତମ ମିଶ୍ରାଙ୍କୁ ଟିକେଟ୍ ନମିଳିବାରୁ ତାଙ୍କ ସମର୍ଥକ କ୍ଷୁବ୍ଧ ହୋଇଛନ୍ତି । ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମର୍ଥକ କ୍ରୋଧିତ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଭୋର ୪ଟାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନରୋତ୍ତମଙ୍କ ସମର୍ଥକ । ଏନଏଚ୍-୪୪ରେ ୧୫ କିଲୋମିଟର ଲମ୍ବା ରାସ୍ତା ଅବରୋଧ କରିଛନ୍ତି । ୩ ହଜାର ବିକ୍ଷୋଭକାରୀ ପୁଲିସ୍‌ ସହ ମୁହାଁମୁହିଁ ହୋଇଛନ୍ତି । ପୁଲିସ୍ ଉପରକୁ ପଥର ମାଡ କରିଛନ୍ତି । ଏନଏଚ୍ ଜାମ ଯୋଗୁଁ ରାସ୍ତାରେ ହଜାର ହଜାର ଗାଡ଼ି ଫସି ରହିଛି । ପଥର ମାଡରେ ଏସପିଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସ୍ଥିତି ନୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।

୨୪ ଘଣ୍ଟାର ଅଲଟିମେଟମ୍- କଂଗ୍ରେସ ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ହେବା ପରେ ଦାତିଆ ଆସନ ଖାଲି ପଡିଥିଲା । ସେଠାରେ ଉପନିର୍ବାଚନ ଘୋଷଣା ହୋଇଥିଲା । ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିଲା ଯେ, ବିଜେପି ପୁଣି ଥରେ ଦାତିଆରୁ ନରୋତ୍ତମ ମିଶ୍ରାଙ୍କୁ ପ୍ରାର୍ଥୀ କରିବ । କିନ୍ତୁ ଏପରି ହୋଇନାହିଁ । ଏଥିରେ କ୍ଷୁବ୍ଧ ହୋଇ ନରୋତ୍ତମଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଜେପିକୁ ଏକ ଚରମବାଣୀ ଶୁଣାଇଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଟିକେଟ୍ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଜାମ୍ ହଟାଇବା ବେଳେ ପୁଲିସକୁ ପଥରମାଡ଼-ପ୍ରତିବାଦ ହିଂସାତ୍ମକ ରୂପ ନେଇଥିଲା । ସକାଳୁ ସକାଳୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲା । ଏହି ସମୟରେ ପୁଲିସ୍ ଉପରକୁ ପଥର ମାଡ ହୋଇଥିଲା । ଯେଉଁଥିରେ ଦାତିଆ ଏସପି ମୟୂର ଖଣ୍ଡେଲୱାଲ ଏବଂ ଆଡିସନାଲ ଏସପିଙ୍କ ସମେତ ୬ରୁ ଅଧିକ ପୁଲିସ୍ ଗୁରୁତର ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ଅନୁସାରେ ଦାତିଆ ପୁଲିସ୍ ଅଧିକ୍ଷକ ମୟୂର ଖଣ୍ଡେଲୱାଲ କହିଛନ୍ତି, ଗତକାଲି ସନ୍ଧ୍ୟା ୬ଟାରୁ ୩ ହଜାରରୁ ଅଧିକ ବିକ୍ଷୋଭକାରୀ ସହରରେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରୁଥିଲେ । ସେମାନେ ଜୋରଜବରଦସ୍ତି ବଜାର ବନ୍ଦ କରିଦେଇଥିଲେ । ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାଜପଥରେ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ବଡ଼ ଟ୍ରାଫିକ୍ ଜାମ୍ ହୋଇଥିଲା । ଫଳରେ ପଡ଼ୋଶୀ ଜିଲ୍ଲାଗୁଡିକରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରତିବାଦକାରୀଙ୍କୁ ବାରମ୍ବାର ବୁଝାଯାଇଥିଲା କିନ୍ତୁ ସେମାନେ ଅରାଜି ହୋଇଥିଲେ । ପ୍ରାୟ ଭୋର ୪ଟାରେ ଆନ୍ଦୋଳନକାରୀ ହଠାତ୍ ପୁଲିସ୍ ଟିମ୍ ଉପରକୁ ପଥରମାଡ଼ କରିଥିଲେ । ପରିସ୍ଥିତି ବିଗିଡିବା ଦେଖି ପୁଲିସ୍ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ୍ ସ୍ପ୍ରେ କରିଥଲା । ପଥରମାଡ଼ରେ ୬ ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଦର୍ଶନକାରୀଙ୍କ ମଧ୍ୟରୁ କିଛି ଲୋକଙ୍କୁ ଅଟକ ରଖାଯାଇଛି । ଅନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦିଆଯାଇଛି ବୋଲି କହିଛନ୍ତି ପୁଲିସ୍ ଏସପି ।

ଏହା ବି ପଢନ୍ତୁ...National Anthem: 'ଯଦି ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ଜରୁରୀ ନୁହେଁ' କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶନାମା !    

ଦାତିଆରେ କାହିଁକି ଉପନିର୍ବାଚନ ? ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ରାଜେନ୍ଦ୍ର ଭାରତୀ ତତ୍କାଳୀନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ୭,୫୦୦ ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଚଳିତ ବର୍ଷ ଏପ୍ରିଲରେ ଦିଲ୍ଲୀ ହାଇକୋର୍ଟ ଏକ ଠକେଇ ମାମଲାରେ ରାଜେନ୍ଦ୍ର ଭାରତୀଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଦୋଷୀ ସାବ୍ୟସ୍ତ ହେବାରୁ ରାଜେନ୍ଦ୍ର ଭାରତୀଙ୍କ ବିଧାନସଭା ସଦସ୍ୟତା ବାତିଲ କରାଯାଇଥିଲା । ଯାହା ଫଳରେ ଦାତିଆ ଆସନ ଖାଲି ପଡ଼ିଥିଲା । ସେଠାରେ ଉପନିର୍ବାଚନ ଘୋଷଣା ହୋଇଥିଲା । ଜୁଲାଇ ୩୦ ତାରିଖରେ ଉପନିର୍ବାଚନ ନେଇ ଭୋଟ୍ ହେବ । ଅଗଷ୍ଟ ୩ ତାରିଖରେ ଫଳାଫଳ ଘୋଷଣା ହେବ ।