ଭାରତୀୟ ମହିଳାଙ୍କ ପାଖରେ ରହିଛି ୨୪ ହଜାର ଟନ୍ ସୁନା, ଡବ୍ଲ୍ୟୁଜିସି କଲା ଖୁଲାସା

telegraph
ନୂଆଦିଲ୍ଲୀ ୨୪/୦୧: ଅଳଙ୍କାର ବିନା ବାକ୍ୟ ଅଧୁରା, ଆଭୁଷଣ ବିନା ନାରୀର ସୌନ୍ଦର୍ଯ୍ୟ ଅଧୁରା । ବାକ୍ୟକୁ ସୃତି ମଧୁର କରିବା ଯେପରି ଶବ୍ଦ ଅଳଙ୍କାର ଆବଶ୍ୟକ, ଠିକ୍ ସେହିପରି ନାରୀକୁ ଅଳଙ୍କୃତ କରିଥାଏ ଆଭୁଷଣ । ସେ ସୁନା ହେଉକି ଚାନ୍ଦି ଏହାକୁ ପିନ୍ଧି ସୌନ୍ଦର୍ଯ୍ୟ ଶୀର୍ଷରେ ପହଞ୍ଚିଥାଏ ନାରୀ । ଆଉ ଯଦି ବିଶ୍ବକୁ ଆକଳନକୁ ନେବା ତେବେ ଏଥିରେ ସର୍ବାଗ୍ରେ ରହିବେ ଭାରତୀୟ ନାରୀ । ଭାରତୀୟ ମହିଳାଙ୍କ ପାଖରେ ସର୍ବାଧିକ ସୁନା ଅଳଙ୍କାର ରହିଛି । ସୁନା ମୂଲ୍ୟବାନ ଧାତୁ ହୋଇଥିଲେ ବି ଭାରତରେ ଏହାର ଚାହିଦା ଅଧିକ ରହିଛି । ରୁଚି ସାଙ୍ଗକୁ ମହିଳାଙ୍କ ପସନ୍ଦ ବଦଳିଛି । ନୂଆ ନୂଆ ଅଳଙ୍କାର ଡିଜାଇନ୍ ପ୍ରତି ଆକର୍ଶିତ ହେଉଛନ୍ତି ନାରୀ। ଏକ ତଥ୍ୟରୁ ଭାରତୀୟ ମହିଳାଙ୍କ ନିକଟରେ ୨୪ ହଜାର ଟନ୍ ସୁନା ଗହଣା ଥିବା ଜଣାପଡ଼ିଛି ।

ବର୍ତ୍ତମାନ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୫୮ ହଜାର ଟଙ୍କା ପାର୍ କରିଛି । କିନ୍ତୁ ସମୟ ଥିଲା ଏହାର ଦାମ୍ ଦିଲ୍ଲୀ-ମୁମ୍ବାଇ ବିମାନ ଟିକଟଠାରୁ ବି କମ୍ ଥିଲା । ୧୯୪୭ରେ ଦିଲ୍ଲୀରୁ ମୁମ୍ବାଇ ଫ୍ଲାଇଟ୍ ଟିକଟ ଦାମ ଥିଲା ୧୪୦ ଟଙ୍କା । ହେଲେ ସୁନା ଦର ୧୦ ଗ୍ରାମ ପ୍ରତି ମାତ୍ର ୮୮ ଟଙ୍କା ରହିଥିଲା । ସୁନା ଅଳଙ୍କାର ପ୍ରତି ମହିଳାଙ୍କ ଆକର୍ଷଣ ଏହାର ଚାହିଦାକୁ ବଢ଼ାଇ ଦେଇଛି । ଭାରତରେ ପର୍ବପର୍ବାଣୀ, ବିବାହ ଓ ବ୍ରତରେ ଅଧିକ ସୁନା ଅଳଙ୍କାର ବିକ୍ରି ହୋଇଥାଏ । ଫଳରେ ଭାରତୀୟ ନାରୀଙ୍କ ନିକଟରେ ଏହି ମୂଲ୍ୟବାନ ଧାତୁ ସର୍ବାଧିକ ରହିଥିଲା ଏକ ରିପୋର୍ଟରୁ ଜଣାପଡ଼ିଛି ।
ହିନ୍ଦୁ ପରମ୍ପରାରେ ରହିଛି ସୁନାର ବହୁଳ ବ୍ୟବହାର। ପିଲା ଜନ୍ମ ହେବା ପରଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ। ସବୁ ସମୟରେ ବ୍ୟବହାର ହୁଏ ସୁନା। ଆମେରିକା ଏବଂ ୟୁରୋପରେ ବିବାହ ଉତ୍ସବରେ ୯ କ୍ୟାରେଟ ସୁନା ମୁଦିରେ କାମ ଚଳାଇ ଦିଆଯାଏ । କିନ୍ତୁ ଭାରତୀୟମାନେ ୨୪ କିମ୍ବା ୨୨ କ୍ୟାରେଟ ସୁନାରେ ଦେଖାଇଥାନ୍ତି ଉତ୍ସାହ ।
ଉତ୍ସବ ହେଉ କିମ୍ବା ବିବାହ। ପ୍ରତି ଅବସରରେ ଭାରତୀୟ ମହିଳା ସୁନା ଗହଣା ପିନ୍ଧିବାକୁ କରନ୍ତି ପସନ୍ଦ । ୱାର୍ଲଡ ଗୋଲ୍ଡ କାଉନ୍ସିଲ୍(ଡବ୍ଲ୍ୟୁଜିସି) ମଧ୍ୟ ଏହାକୁ ସ୍ୱୀକାର କରିଛି । ୨୦୧୯ ମେ’ରେ ଡବ୍ଲ୍ୟୁଜିସି ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ, ଭାରତୀୟ ମହିଳାମାନଙ୍କ ନିକଟରେ ଗହଣା ଆକାରରେ ୨୪ ହଜାର ଟନ୍ ଜମା ରହିଛି । ଏହା ବିଶ୍ୱର ସର୍ବବୃହତ୍ ସୁନା ଭଣ୍ଡାର ।

ଡବ୍ଲ୍ୟୁଜିସି ଅନୁସାରେ, ଭାରତୀୟ ମହିଳା ବିଶ୍ୱର ମୋଟ ସୁନା ଭଣ୍ଡାରର ୧୧% ଅଂଶକୁ ଆଭୁଷଣ ଆକାରରେ ପିନ୍ଧନ୍ତି । ଏହା ବିଶ୍ୱର ଶ୍ରେଷ୍ଠ ୫ ଦେଶର ସୁନା ଭଣ୍ଡାରଠାରୁ ବଡ଼ । ସୂଚନାଯୋଗ୍ୟ, ଆମେରିକାର ସୁନା ଭଣ୍ଡାରର ଆକାର ୮,୦୦୦ ଟନ୍ ହୋଇଥିବାବେଳେ ଜର୍ମାନିର ୩,୩୦୦ ଟନ୍, ଇଟାଲିର ୨,୪୫୦ ଟନ୍, ଫ୍ରାନ୍ସର ୨,୪୦୦ ଟନ ଏବଂ ରୁଷର ୧,୯୦୦ ଟନ୍ । ଦେଶର ମୋଟ ସୁନା କ୍ରୟରେ ଦକ୍ଷିଣ ଭାରତୀୟଙ୍କ ଭାଗ ୪୦% । କେବଳ ତାମିଲନାଡୁରେ ଏହା ୨୮%।