ମୁମ୍ବାଇ,୧୧/୦୧: ଜାନୁଆରୀ  ୩ରେ ଶେଷ ହୋଇଥିବା ସପ୍ତାହରେ  ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ  ୫୬୯.୩ କୋଟି ଡଲାର ହ୍ରାସ ଘଟିଛି । ଫଳରେ ଏହା ୬୩୪୫୯ କୋଟି  ଡଲାରକୁ ଖସିଆସିଥିବା ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) ପ୍ରଦତ୍ତ ତଥ୍ୟରୁ  ଜଣାପଡ଼ିଛି । ଡିସେମ୍ବର ୨୭ରେ ଶେଷ  ହୋଇଥିବା ସପ୍ତାହରେ ଏଥିରେ ୪୧୦  କୋଟି ଡଲାର ହ୍ରାସ ଦେଖାଦେଇଥିଲା ।  ଫଳରେ ଏହା ୬୪୦୨୭ କୋଟି ଡଲାରକୁ  ଖସିଆସିଥିଲା । 

ଆର୍‌ବିଆଇର ସାପ୍ତାହିକ  ରିପୋର୍ଟ ଅନୁସାରେ, ଜାନୁଆରୀ ୩ରେ  ଶେଷ ହୋଇଥିବା ସପ୍ତାହରେ ଫରେନ୍‌  କରେନ୍ସି ଆସେଟ୍‌(ଏଫ୍‌ସିଏ) ୬୪୦ କୋଟି  ଡଲାର ସଂକୁଚିତ ହୋଇ ୫୪୫୪୭ କୋଟି  ଡଲାରକୁ ଖସିଆସିଛି । ସୁନା ଭଣ୍ଡାରରେ  ୮୨.୪ କୋଟି ଡଲାର ବୃଦ୍ଧି ଘଟିଛି । ଫଳରେ  ଏହା ୬୭୦୯ କୋଟି ଡଲାରରେ ପହଞ୍ଚିଛି ।