ବର୍ମିଂହାମ: ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନକୁ ଭାରତୀୟ ଦଳର ନିଜ ନାମରେ କରିଛି। ଇଂଲଣ୍ଡ ବିପକ୍ଷରେ ବୁଧବାର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୩୧୦ ରନ୍ ସଂଗ୍ରହ କରିଛି। ଅଧିନାୟକ ଶୁଭମନ ଗିଲ୍ ୧୧୪ ଏବଂ ରବିନ୍ଦ୍ର ଜାଡେଜା ୪୧ ରନ୍ କରି ଅପରାଜିତ ରହିଛନ୍ତି। ଉଭୟ ଷଷ୍ଠ ୱିକେଟ୍ ପାଇଁ ଅପରାଜିତ ଭାବେ ୯୯ ରନ୍ ର ଭାଗୀଦାରି ଖେଳିଛନ୍ତି। ଓପନର୍ ଯଶସ୍ୱୀ ଜୟସ୍ୱାଲ୍ ୮୭ ରନ୍ କରି ଆଉଟ୍ ହୋଇଥିଲେ। କରୁଣ ନାୟାର ୩୧ ଏବଂ ରିଷଭ ପନ୍ତ ୨୫ ରନ୍ ର ଯୋଗଦାନ କରିଥିଲେ।
ବର୍ମିଂହାମର ଏଜବାଷ୍ଟନ୍ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଅଧିବେଶନରେ ୯୮ ରନ୍ ରେ ୨ ୱିକେଟ୍ ହରାଇବା ପରେ, ଭାରତୀୟ ଦଳ ଚା’ ବିରତି ପର୍ଯ୍ୟନ୍ତ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଏଠାରେ ଭାରତୀୟ ଦଳର ସ୍କୋର ୧୮୨/୩ ଥିଲା। କିନ୍ତୁ, ତୃତୀୟ ଅଧିବେଶନ ଆରମ୍ଭରେ ଦଳ ଲଗାତାର ଦୁଇଟି ଓଭରରେ ରିଷଭ ପନ୍ତ ଏବଂ ନୀତିଶ କୁମାର ରେଡ୍ଡୀଙ୍କ ୱିକେଟ୍ ହରାଇଥିଲା।
ଦଳର ୫ ବ୍ୟାଟ୍ସମ୍ୟାନ୍ ୨୧୧ ରନ୍ ସଂଗ୍ରହ କରି ପ୍ୟାଭିଲିୟନ୍ ଫେରିଥିଲେ। ଏପରି ପରିସ୍ଥିତିରେ ଅଧିନାୟକ ଶୁଭମନ ଗିଲ ଏବଂ ରବିନ୍ଦ୍ର ଜାଡେଜା ଷଷ୍ଠ ୱିକେଟ ପାଇଁ ଅପରାଜିତ ରହି ୯୯ ରନର ପାର୍ଟନରସିପ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ ୨ ୱିକେଟ ନେଇଥିଲେ। ବ୍ରାଇଡନ୍ କାର୍ସେ, ସୋଏବ ବଶିର ଏବଂ ବେନ୍ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି।