ନୂଆଦିଲ୍ଲୀ: ଭାରତ ନିଜର ଆକାଶ ମାର୍ଗର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି। ଦେଶର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରବର୍ତ୍ତୀ ପିଢ଼ିର 'ଲଙ୍ଗ୍ ରେଞ୍ଜ ଏୟାର୍-ଟୁ-ସର୍ଫେସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍' (LR ASSCM) ବିକାଶ ଦିଗରେ ଏକ ବଡ଼ ସଫଳତା ହାସଲ କରିଛି । ଏହି ମିସାଇଲ୍ ବାୟୁସେନାର ଶକ୍ତିଶାଳୀ ଲଢ଼ୁଆ ବିମାନ ସୁଖୋଇ-୩୦ଏମକେଆଇ ବେଡ଼ାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । DRDO ଅଧ୍ୟକ୍ଷ ସମୀର ଭି. କାମତ ଚଳିତ ବର୍ଷ ଆରମ୍ଭରେ ଏହି ପ୍ରକଳ୍ପ ନେଇ ସୂଚନା ଦେଇଥିଲେ । ଭାରତର 'ଷ୍ଟାଣ୍ଡଅଫ୍ ଷ୍ଟ୍ରାଇକ୍' କ୍ଷମତାକୁ ବଢ଼ାଇବା ପାଇଁ ଏହି ମିସାଇଲକୁ ମଞ୍ଜୁରୀ ମିଳିସାରିଛି । ଏହା ଶତ୍ରୁ ପକ୍ଷର ରାଡାର୍ ନଜରକୁ ନଆସି ବହୁ ଦୂରରୁ ସଠିକ୍ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହେବ ।

ଏହା ବି ପଢ଼ନ୍ତୁ... ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ପାର ହେବା ପାଇଁ ଇରାନ କେତେ ଆଦାୟ କରିବ ‘ଗୁଣ୍ଡା ଟିକସ’ ? ତେହେରାନର ସାଂସଦ ଜାଣନ୍ତୁ କ’ଣ କହିଲେ...

‘LRASSCM’ ର ପ୍ରମୁଖ ବିଶେଷତ୍ୱ:

  • ଏହି ମିସାଇଲ୍ ସୁପରସୋନିକ୍ ବେଗରେ ଗତି କରିଥାଏ । ଏଥିରେ 'ରାମଜେଟ୍ ପ୍ରୋପଲସନ୍' ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହା ପୂର୍ବରୁ ବ୍ରହ୍ମୋସ ମିସାଇଲରେ ସଫଳତାର ସହ ପରୀକ୍ଷିତ ହୋଇଛି ।
  • ସବସୋନିକ୍ ମିସାଇଲ୍ ତୁଳନାରେ ଏହା ସମ୍ପୂର୍ଣ୍ଣ ଉଡ଼ାଣ ସମୟରେ ନିଜର ପ୍ରଚଣ୍ଡ ବେଗ ବଜାୟ ରଖିଥାଏ । ଫଳରେ ଶତ୍ରୁ ପକ୍ଷର ଏୟାର ଡିଫେନ୍ସ ସିଷ୍ଟମକୁ ଏହାକୁ ରୋକିବା ପାଇଁ ସମୟ ମିଳିବ ନାହିଁ ।
  • ଏହାର ଲକ୍ଷ୍ୟଭେଦ କ୍ଷମତା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହାଦ୍ୱାରା ଭାରତୀୟ ବିମାନଗୁଡ଼ିକ ଶତ୍ରୁ ସୀମା ଭିତରକୁ ନଯାଇ ବାହାରେ ରହି ମଧ୍ୟ ଗଭୀର ଭିତରକୁ ଆକ୍ରମଣ କରିପାରିବେ ।

ପ୍ରଥମେ Su-30MKIରେ ହେବ ନିୟୋଜିତ:

ଡିଫେନ୍ସ ପୋର୍ଟାଲ୍ 'idrw.org'ର ରିପୋର୍ଟ ଅନୁସାରେ, LRASSCMକୁ ପ୍ରଥମେ କେବଳ ବାୟୁସେନାର Su-30MKI ବିମାନରେ ସାମିଲ କରାଯିବ । ସୁଖୋଇ ବିମାନର ଭାରୀ ବୋଝ ବହନ କରିବା କ୍ଷମତା ଏବଂ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଉଡ଼ିବାର ଦକ୍ଷତା ଏହାକୁ ଏହି ମିସାଇଲ୍ ପାଇଁ ସବୁଠାରୁ ଉପଯୁକ୍ତ ପ୍ଲାଟଫର୍ମ ଭାବେ ଗଢ଼ି ତୋଳିଛି । ସୂତ୍ର ଅନୁସାରେ, ସୁଖୋଇ ବିମାନରେ ଏହି ମିସାଇଲର କ୍ୟାରେଜ୍ ଟ୍ରାଏଲ୍ ଏବଂ ସେପାରେସନ୍ ଟେଷ୍ଟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଚାଲିଥିବା "ସୁପର ସୁଖୋଇ" ଅପଗ୍ରେଡ୍ ପ୍ୟାକେଜ୍ ଅଧୀନରେ ନୂତନ ରାଡାର, ଇଞ୍ଜିନ ଏବଂ ଇଲେକ୍ଟ୍ରୋନିକ୍ ୱାରଫେର୍ ସୁଟ୍ ସହିତ ଏହି ମିସାଇଲ୍ ଯୋଡ଼ିହେବା ପରେ ଭାରତୀୟ ବାୟୁସେନା ଏସିଆ ମହାଦେଶରେ ଏକ ଅଜେୟ ଶକ୍ତି ଭାବେ ଉଭା ହେବ । ଏହାସହ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ନିର୍ଭରଶୀଳତା କମିବ ଏବଂ 'ଆତ୍ମନିର୍ଭର ଭାରତ' ଅଭିଯାନ ଆହୁରି ମଜବୁତ ହେବ ।