ନୂଆଦିଲ୍ଲୀ, ୧୧/୧୨: ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆର୍ କ୍ଷେତ୍ରକୁ ମିସାଇଲ, ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ଦ୍ୱାରା ଆକ୍ରମଣ ବିପଦରୁ ସୁରକ୍ଷା ଦେବା ପାଇଁ ଭାରତର ସ୍ୱଦେଶୀ ବହୁସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ ଲଗାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଏହି ପ୍ରୋଜେକ୍ଟ ଉପରେ ଜୋରଦାର କାମ ଚାଲିଛି ।

ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ନୂଆ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱିପନ୍ ସିଷ୍ଟମ (ଆଇଏଡିଡବ୍ଲ୍ୟୁଏସ୍) ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ପ୍ରସ୍ତୁତ ହେବ। ଏହି ସିଷ୍ଟମର ବଡ଼ ଭାଗରେ ଡିଆର୍‌ଡିଓ ଦ୍ୱାରା ବିକଶିତ କ୍ୟୁଆର୍‌ଏସ୍ଏଏମ୍ ମିସାଇଲ ଏବଂ ଭିଏସ୍ଏଚ୍ଓଆର୍‌ଏଡିଏସ୍ ରହିବ । ଏଥିସହ ବହୁ ପ୍ରକାରର ସେନ୍ସର, ରାଡାର, ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ସିଷ୍ଟମ ଯୋଡ଼ାଯିବ । ଏହା ଦ୍ୱାରା ବିପଦ ଉପରେ ତୁରନ୍ତ ନଜର ରଖାଯାଇପାରିବ । ପୂରା ସିଷ୍ଟମକୁ ଭାରତୀୟ ବାୟୁସେନା ପରିଚାଳିତ କରିବ ।

ଗତ ଅଗଷ୍ଟ ୨୩ରେ ଆଇଏଡିଡବ୍ଲ୍ୟୁଏସ୍‌ର ସଫଳ ପରୀକ୍ଷଣ କରାଯାଇଛି । ଏହା ଏକ ବହୁ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ । ଏହା ଶତ୍ରୁପକ୍ଷର ଆକାଶମାର୍ଗରୁ ହେଉଥିବା ଆକ୍ରମଣକୁ ରୋକିବ । ଏହାକୁ ସୁଦର୍ଶନ ଚକ୍ର ମିଶନର ଏକ ଅଂଶ ବିବେଚନା କରାଯାଉଛି । ଏହା ଏକାଥରକେ ଛଡ଼ା ଯାଉଥିବା ଡ୍ରୋନ୍ ଆକ୍ରମଣକୁ ରୋକିବା ଲାଗି ରକ୍ଷାକବଚ ଭଳି କାମ କରିବ । ପରୀକ୍ଷଣ ବେଳେ ଏହି ସିଷ୍ଟମ ୨ ହାଇସ୍ପିଡ୍ ଫିକ୍ସ ୱିଙ୍ଗ୍ ଅନ୍‌ମ୍ୟାନ୍‌ ଡ୍ରୋନ, ମଲ୍ଟି କପ୍ଟର ଡ୍ରୋନ ସମେତ ୩ ଅଲଗା ଅଲଗା ଟାର୍ଗେଟକୁ ଆକ୍ରମଣ କରିଥିଲା ଏବଂ ଏକସଙ୍ଗରେ ସମସ୍ତ ଟାର୍ଗେଟକୁ ନଷ୍ଟ କରିପାରିଥିଲା ।