ପୁରୀ,୧୫/୦୭: ରଥଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ଲାଗିବ ଖଚାଖଚ୍ ଭିଡ଼ । କଡ଼ା ନଜରରେ ରହିବ ସହର । ଏପରିକି ସହର ତଳି ଅଞ୍ଚଳ ବି ସୁରକ୍ଷା ବଳୟ ଭିତରେ ରହିବ । ତେଣୁ ରଥଯାତ୍ରା ଗହଳିକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ମଦ ଦୋକାନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ରଥଯାତ୍ରା ଅବସରରେ ସହରର ସମେତ ସଦର ଉପକଣ୍ଠରେ ସମସ୍ତ ବିଦେଶୀ, ଦେଶୀ ମଦ ଦୋକାନ ଓ ବାର୍ ପାଖାପାଖି ୪ ଦିନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ସାମଲ ।

ଅବକାରୀ ଅଧୀକ୍ଷକ ଶ୍ରୀ ସାମଲଙ୍କ ସୂଚନା ଅନୁସାରେ, ସହର ଓ ଉପକଣ୍ଠରେ ଥିବା ୨୫ଟି ଠିପି ବନ୍ଦ ଓ ଠିପି ଖୋଲା ଏବଂ ୬ରୁ ଊଦ୍ଧ୍ୱର୍ ଭାଙ୍ଗ ଦୋକାନ ବନ୍ଦ ରହିବ । ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ୧୫ ତାରିଖ ଅପରାହ୍ଣ ୪ଟାରୁ ୧୬ ତାରିଖ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । ସେହିଭଳି ବାହୁଡ଼ା ଯାତ୍ରା ପୂର୍ବଦିନ ଅର୍ଥାତ୍ ୨୩ ତାରିଖ ଅପରାହ୍ଣ ୪ଟାରୁ ୨୪ତାରିଖ ବାହୁଡ଼ା ଯାତ୍ରା ଓ ୨୫ ତାରିଖ ସୁନାବେଶ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ଓ ବାର୍ ବନ୍ଦ ରହିବ । ଏହି କଟକଣା ସହର ନିକଟବର୍ତ୍ତୀ ଚନ୍ଦନପୁର, ଜାନକାଦେଇପୁର ଓ ବଳିଆପଣ୍ଡା ରୟାଲ ପ୍ୟାଲେସ ରେସ୍ତୋରାଁ ଏବଂ ତୋଷାଳି ସ୍ୟାଣ୍ଡ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ :- Rath Yatra 2026: ରଥଖଳାରେ ପହଞ୍ଚିଲା ଆଜ୍ଞାମାଳ, ବାଜି ଉଠିଲା ବିଜେ କାହାଳୀ, ସିଂହଦ୍ବାର ସମ୍ମୁଖରେ ଲାଗିବ ୩ ରଥ

ଅନ୍ୟପକ୍ଷରେ ଏହି ୪ ଦିନ ସହ ରଥଯାତ୍ରା ସମୟରେ ମୋଟା ଅଙ୍କର କାରବାର କରିବାକୁ ଚୋରା ବେପାରୀମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ସହରର ପେଣ୍ଠକଟା, ଅଠରନଳା, ସ୍ୱର୍ଗଦ୍ୱାର, ତାଳବଣିଆ ଓ ବଡ଼ଦାଣ୍ଡ ନିକଟ କିଛି ଗଳିକନ୍ଦିରେ ବିଦେଶୀ ମଦ କାରବାର ଜାରି ରହିଛି । ନିକଟରେ ରହିଥିବା ସରକାରୀ ମଦ ଦୋକାନରୁ ବିପୁଳ ପରିମାଣରୁ ମଦ କିଣି ନିଜ ନିଜର ସୁରକ୍ଷିତ ସ୍ଥାନରେ ଗଚ୍ଛିତ ରଖିଥିବା ନେଇ ବିଶେଷ ସୂତ୍ରର ସୂଚନା ମିଳିଛି । ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ଶ୍ରୀ ସାମଲ କହିଛନ୍ତି, ଏହି ସମୟରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ ସହର ସମେତ ଉପକଣ୍ଠ ଅଞ୍ଚଳରେ ଚୋରା ମଦ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯିବ ।