ନୂଆଦିଲ୍ଲୀ,୦୩/୧୧: ଅଦ୍ଭୁତ ଉତ୍ସାହ, ଭରପୂର ଉତ୍କଣ୍ଠା । ବିଶ୍ୱ ଦେଖିଲା ଭାରତର ନାରୀଶକ୍ତି । କମ୍ପି ଉଠିଥିଲା ଡି.ୱାଇ ପାଟିଲ ଷ୍ଟାଡିୟମର ଛାତି । ହର୍ମନପ୍ରୀତ ବାହିନୀ ଏବଂ ଦେଶର କୋଟି କୋଟି ପ୍ରଶଂସକ ଖୁସିରେ ଆତ୍ମବିଭୋର ହୋଇ ପଡ଼ିଥିଲେ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭାରତୀୟ ମହିଳା ଦଳ ୪୭ ବର୍ଷ ପରେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ପ୍ରଥମ ଥର ଦିନିକିଆ ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା । ହର୍ମନପ୍ରୀତ କୌରଙ୍କ ନେତୃତ୍ୱ, ଦିପ୍ତୀ ଶର୍ମା ଓ ଶେଫାଳି ବର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଇତିହାସ ରଚିଛି ଭାରତ । ସବୁଠି ଉତ୍ସାହ-ଉଲ୍ଲାସ । ବିଜୟ ଉତ୍ସବରେ ବୁଡ଼ିଛି ଭାରତ । ବିଜୟର ସେ ମୂହୁର୍ତ୍ତ ଥିଲା ସ୍ୱତନ୍ତ୍ର ।

ଡ଼ିୱାଇ ପାଟିଲ ଷ୍ଟାଡିୟମ ଆନନ୍ଦରେ ଫାଟି ପଡିଥିଲା । ଶେଷ ୱିକେଟ କ୍ଲାକଙ୍କ କ୍ୟାଚ ଧରି ହର୍ମନପ୍ରୀତ ପଡ଼ିଆରେ ଦୌଡ଼ି ଚାଲିଲେ । ଏହା ଥିଲା ବିଜୟର ଦୌଡ଼ । ଦିପ୍ତୀ ବୋଲିଂ କରୁଥିଲେ । କ୍ଲାକଙ୍କ କ୍ୟାଚ ଧରି ବିଶ୍ୱ ବିଜୟୀ ହୋଇସାରିଥିଲେ ଟିମ୍ ହର୍ମନପ୍ରୀତ । ଏହା ପରେ ଦିପ୍ତୀ ହର୍ମନପ୍ରୀତଙ୍କ ପାଖରେ ପହଞ୍ଚିଥିଲେ । ସବୁ ପ୍ଲେୟାର ଆସି ଏକାଠୀ ହୋଇଥିଲେ । ଏହାପରେ ସମସ୍ତଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ । ବିଶ୍ୱ ବିଜୟୀ ହେଲା ଭାରତୀୟ ମହିଳା କ୍ରିକେଟ ଦଳ । ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହେଲା । ଆତସବାଜିରେ ମୁମ୍ବାଇ ଆକାଶ ରଙ୍ଗୀନ ହୋଇଥିଲା । ଭାରତ, ଭାରତ ଧ୍ବନୀରେ କମ୍ପିଥିଲା ଗଗନ-ପବନ । ଉପ-ଅଧିନାୟିକା ସ୍ମୃତି ମାନ୍ଧନା ପ୍ରଶିକ୍ଷକ ଅମୋଲ ମଜୁମଜାରଙ୍କୁ ଆଲିଙ୍ଗନ କରି ଭାବ ବିହ୍ବଳ ହୋଇପଡିଥିଲେ । ସେ ସବୁର ଦୃଶ୍ୟ କ୍ୟାମେରା ଲେନ୍ସରେ ତୋଳି ଧରିଥିଲେ ଫୋଟଗ୍ରାଫର । ଯାହାକୁ ଦେଖି ଗର୍ବ କରୁଛନ୍ତି ୧୪୦ କୋଟି ଭାରତୀୟ ।

ହର୍‌-ମନ୍‌-ପ୍ରୀତ୍‌- ଗତ ୧୨ଟି ସଂସ୍କରଣ ଓ ୫୨ ବର୍ଷ ଧରି ଭାରତ ଯାହା ହାସଲ କରି ପାରିନଥିଲା । ଶେଷରେ ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ସେହି ସ୍ୱପ୍ନ ସାକାର ହୋଇଛି । ମହିଳା ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ରନ୍‌ର ହରାଇ ଅଧିନାୟିକା ହର୍ମନପ୍ରୀତ ଶେଷରେ ୧୪୦ କୋଟି ଭାରତୀୟଙ୍କ ମନକୁ ପ୍ରୀତ କରି ଦେଇଛନ୍ତି । ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ହେବା ପରେ ଅଧିନାୟିକା ହର୍ମନପ୍ରୀତ କୌରଙ୍କ ସମେତ ଦଳର ପ୍ରତ୍ୟେକ ଖେଳାଳିଙ୍କ ଆଖିରେ ଖୁସିର ଲୁହ ଜକେଇ ଆସିଥିଲା । ହର୍ମନପ୍ରୀତ ସାଥୀ ଖେଳାଳି, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ କୁଣ୍ଢାଇ କାନ୍ଦିଥିଲେ । ଟ୍ରଫି ବିତରଣ ଉତ୍ସବରେ ସେ କହିଥିଲେ ଯେ, ''ଦୀର୍ଘ ଦିନର ସ୍ୱପ୍ନ ପୂରଣ ରହିଛି । ଦେଶବାସୀ ଏବଂ ବିସିସିଆଇର ବିଶ୍ୱାସ ଏବଂ ସମର୍ଥନ ବଳରେ ଏହା ସମ୍ଭବ ହୋଇଛି । ଖାସ୍‌ କରି ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ସେମାନେ ଉତ୍ଥାନ ଓ ପତନ ସମୟରେ ଆମକୁ ଉତ୍ସାହିତ କରିବା ଜାରି ରଖିଥିଲେ । ଶେଫାଳି ବର୍ମା ଓ ଦୀପ୍ତି ଶର୍ମାଙ୍କୁ ସାଲ୍ୟୁଟ ଜଣାଉଛି । ଆଜି ଉଭୟଙ୍କର ଦିନ ଥିଲା । ଲୌରା ଉଲଭାର୍ଟ ଓ ସୁନି ଲୁସ୍‌ ଭଲ ବ୍ୟାଟିଂ କରିଥିଲେ । ଏହି ସମୟରେ ଶେଫାଳିଙ୍କୁ ଆକ୍ରମଣରେ ଲଗାଇବା ବରଦାନ ସଦୃଶ ରହିଥିଲା । ସେ ଯେଉଁଭଳି ବୋଲିଂ କରି ୨ଟି ୱିକେଟ୍‌ ନେଲେ ତାହା ପ୍ରଶଂସନୀୟ । ସେହିପରି ଦୀପ୍ତିଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ ।''

​​​​​​​