ଅହମ୍ମଦାବାଦ,୧୮/୦୨: ଭାରତ ୧୭ ରନରେ ନେଦଲ୍ୟାଣ୍ଡସକୁ ପରାସ୍ତ କରିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା। ଜବାବରେ ନେଦରଲ୍ୟାଣ୍ଡସ୍ କେବଳ ୧୭୬ ରନ କରିପାରିଥିଲା। ଶିବମ୍ ଦୁବେଙ୍କ ଅର୍ଦ୍ଧଶତକ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ତିନୋଟି ୱିକେଟ ଭାରତର ବିଜୟରେ ପ୍ରମୁଖ ଅବଦାନ ରଖିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୪) ଏବଂ ତିଲକ ବର୍ମା (୩୧) ରନ୍ କରିଥିଲେ। ତଥାପି, ସବୁଠାରୁ ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ ଶିବମ୍ ଦୁବେଙ୍କ ଠାରେ ଦେଖିବାକୁ ମିଳିଥିଲା, ଯିଏକି ୩୧ ବଲ୍ ରେ ୬୬ ରନ୍ କରିଥିଲେ। ଦୁବେ ଏହି ଇନିଂସରେ ୪ ଚୌକା ଏବଂ ୬ ଛକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୩୦ ରନ୍ କରିଥିଲେ।
ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା ନେଦରଲ୍ୟାଣ୍ଡସ୍:
୧୯୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ନେଦରଲ୍ୟାଣ୍ଡସର ଆରମ୍ଭ ଅତ୍ୟନ୍ତ ଧୀର ଏବଂ ନୈରାଶ୍ୟଜନକ ହୋଇଥିଲା। ପ୍ରଥମ ଆଠ ଓଭରରେ, ଡଚ୍ ଦଳର ରନ ହାର ପ୍ରାୟ ୬ ଥିଲା। ତା'ପରେ କଲିନ୍ ଏକରମ୍ୟାନ୍ ଏବଂ ବାସ୍ ଡି ଲିଡେ ଦ୍ରୁତ ଗତିରେ ୪୯ ରନର ପାର୍ଟନରସିପ୍ କରି ସ୍କୋରକୁ ଗତିଶୀଳ କରିଥିଲେ। ଏକରମ୍ୟାନ୍ ୨୩ ଏବଂ ଡି ଲିଡେ ୩୩ ରନ କରିଥିଲେ। ୧୫.୫ ଓଭର ସୁଦ୍ଧା, ନେଦରଲ୍ୟାଣ୍ଡସ୍ ୧୨୫ ରନ୍ କରି ୬ ଓ୍ବିକେଟ ହରାଇସାରିଥିଲା ଏବଂ ଏକ ବଡ଼ ପରାଜୟ ପ୍ରାୟ ନିଶ୍ଚିତ ମନେ ହେଉଥିଲା।