ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି, ଜାରି ରହିଛି ଉଦ୍ଧାରକାର୍ଯ୍ୟ, ମନ୍ଦିର ପ୍ରଶାସନ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଘଟିଥିବା ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୂଅ ଭିତରୁ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣା ସ୍ଥାନରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଇନ୍ଦୋର ଡିଭିଜନର କମିଶନର କହିଛନ୍ତି ଯେ ଏନଡିଆରଏଫ ପରେ ସେନା ମଧ୍ୟ ଏହି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି । ରାତିରେ କୂଅ ଭିତରୁ ୨୦ ଟି ମୃତଦେହ ବାହାର କରାଯାଇଥିଲା । ଏହି ଘଟଣା ଗୁରୁବାର ଦିନ ସକାଳ ପ୍ରାୟ ସାଢେ ୧୧ ଟା ସମୟରେ ହୋଇଥିଲା, ଯେତେବେଳେ କି ସାରାଦେଶରେ ଧୁମ୍ଧାମରେ ରାମନବମୀ ଉତ୍ସବ ପାଳନ କରାଯାଉଥିଲା ।
ଇନ୍ଦୋର ଘଟଣାକୁ ନେଇ ଶ୍ରୀ ବାଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିର ଟ୍ରଷ୍ଟ ସଭାପତି ତଥା ପୂର୍ବତନ କାଉନସିଲର ସେବାରାମ ଗଲାନି ଏବଂ ସଚିବ ଶ୍ରୀକାନ୍ତ ପଟେଲ ଏବଂ କୁମାର ସବନାନୀଙ୍କ ବିରୋଧରେ ଧାରା ୩୦୪ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି । ଇନ୍ଦୋର ପୋଲିସ କମିଶନର ମକରନ୍ଦ ଦେଓସ୍କର କହିଛନ୍ତି ଯେ ଏହି ମାମଲାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ତେଣୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ।
ସୂଚନାଥାଉକି, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ (NDRF) ର ୧୪୦ ଜଣିଆ ଟିମ୍ ନିୟୋଜିତ ଅଛନ୍ତି, ଯେଉଁଥିରେ ୧୫ ଜଣ ଏନଡିଆରଏଫ ଯବାନ, ଏସଡିଆରଏଫ୍ର (SDRF) ର ୫୦ ଜଣ ଯବାନ ଏବଂ ସେନାର ୭୫ ଜଣ ଯବାନ ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି । ତେବେ ଉଦ୍ଧାର କାର୍ଯ୍ୟରେ ପାଣି ଅସୁବିଧାର କାରଣ ପାଲଟିଛି । ପାଣି ନିଷ୍କାସନ କରି ଲୋକଙ୍କୁ ବାହାରକୁ ଅଣାଯାଉଛି । ହେଲେ ପ୍ରତି ଅଧଘଣ୍ଟାରେ ପାଣି ଭର୍ତ୍ତି ହେଉଯାଉଛି । ଅଧ ଘଣ୍ଟା ମଧ୍ୟରେ ପୁନର୍ବାର କୂଅରେ ଚାରି ରୁ ପାଞ୍ଚ ଫୁଟ ପର୍ଯ୍ୟନ୍ତ ପାଣି ଭରିଯାଉଛି । ଯେଉଁଥିପାଇଁ ପାଣି ଖାଲି କରିବାକୁ ପୁନର୍ବାର ଅପେକ୍ଷା କରିବାକୁ ପଡୁଛି । ଏହି କୂଅର ଗଭୀରତା ପ୍ରାୟ ୪୦ ଫୁଟ ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହା ବ୍ୟତୀତ ପିଏମ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଥିବା ବେଳେ ଆହତ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।