ନୂଆଦିଲ୍ଲୀ,୦୪/୧୧:ମଧ୍ୟପ୍ରଦେଶର ଇନ୍ଦୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସିମରୋଲ ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ, ଇନ୍ଦୋରର ସିମରୋଲ ପୁଲିସ ଷ୍ଟେସନ ଅଞ୍ଚଳରେ ଗତକାଲି ରାତି ପ୍ରାୟ ୯ଟା ୪୦ ସମୟରେ ଓମକାରେଶ୍ୱରରୁ ଇନ୍ଦୋର ଦେଇ ଉଜ୍ଜୟିନୀ ଯାଉଥିଲା ଏକ ଯାତ୍ରୀବାହୀ ବସ୍ । ହେଲେ ସେହି ସମୟରେ ବେରୁ ଘାଟରେ ନିୟନ୍ତ୍ରଣ ହରାଇ ବସଟି ୫୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏନେଇ ଖବର ପାଇ ସିମରୋଲ ପୁଲିସ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତମାନଙ୍କୁ ବସ୍ ରୁ ବାହାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ପରେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଇନ୍ଦୋରର ଏମଓ୍ୱାଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ସେମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବସ୍ ଡ୍ରାଇଭର ବେରୁ ଘାଟ ମୋଡ଼ରେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ବସଟି ନିୟନ୍ତ୍ରଣ ହରାଇ ସିଧା ଏକ ଗଭୀର ଘାଟିରେ ଖସି ପଡ଼ିଥିଲା।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସିମରୋଲ ପୁଲିସ ଷ୍ଟେସନ, ପ୍ରଶାସନିକ ଅଧିକାରୀ ଏବଂ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଏକ କ୍ରେନ୍ ସାହାଯ୍ୟରେ ବସ୍କୁ ଖାଇରୁ ବାହାର କରିବାକୁ ଚେଷ୍ଟା ଆରମ୍ଭ କରିଥିଲା। ରିପୋର୍ଟ ଅନୁଯାୟୀ, ବସ୍ଟି ଓମକାରେଶ୍ୱରରୁ ଫେରୁଥିବା ଯାତ୍ରୀମାନଙ୍କୁ ନେଇ ଯାଉଥିଲା, ଯେଉଁଥିରେ ଦିଲ୍ଲୀ ଏବଂ ଅନ୍ୟାନ୍ୟ ସହରରୁ ଯାତ୍ରୀ ମଧ୍ୟ ସାମିଲ ଥିଲେ। ମୃତକମାନେ ହେଲେ ଇନ୍ଦୋରର ତିଲକ ନଗରର ବାସିନ୍ଦା ପଦ୍ମା ବାଈ ଏବଂ ଉତ୍ତର ପ୍ରଦେଶର ଦେଓରିଆର ବାସିନ୍ଦା ରାହୁଲ ଓ ଇନ୍ଦୋରର ନ୍ୟୁ ଗୋରୀ ନଗରର ବାସିନ୍ଦା ଅଶୋକ ରାଓଙ୍କ ପତ୍ନୀ ଅନିତା।