ନୂଆଦିଲ୍ଲୀ ୦୬/ ୧୨: ବର୍ଷ ୨୦୨୨ ଶେଷ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଚଳିତ ବର୍ଷ ଦେଶବାସୀଙ୍କୁ ବେଶ ବାଧିଛି ଦରବୃଦ୍ଧି । ଜନତାଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି ମହଙ୍ଗା ମାଡ । ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଯାଏ ସବୁ କିଛି ମହଙ୍ଗା ହୋଇଛି । ବିଭିନ୍ନ ଜିନିଷ ପତ୍ର ମୂଲ୍ୟ ବୃଦ୍ଧି କାରଣରୁ ସମସ୍ୟା ଭୋଗୁଛନ୍ତି ଦରିଦ୍ର ଏବଂ ମଧ୍ୟବିତ୍ତ ପରିବାର । ଅନ୍ୟପଟେ କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ଏକରକମ୍ ଭୁଶୁଡି ପଡିଥିଲା । ତେଣୁ ଅର୍ଥନୀତିକୁ ଟ୍ରାକ୍କୁ ଆଣିବା ଏବଂ ଦରଦାମରେ ଲଗାମ ଲଗାଇବା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ।
ଆସୁଛି ନୂଆ ବର୍ଷ ୨୦୨୩ । ଆଉ ନୂଆ ବର୍ଷରେ ଦେଶବାସୀଙ୍କୁ ଆଶ୍ବସ୍ତି ମିଳିବାକୁ ଯାଉଛି । କାରଣ ନୂଆ ବର୍ଷରେ ମହଙ୍ଗା ମାଡରୁ ଜନସାଧାରଣଙ୍କୁ ବଡ ଆଶ୍ବସ୍ତି ମିଳିବ । ଏଭଳି ଆକଳନ କରିଛନ୍ତି ବିଶ୍ବ ବ୍ୟାଙ୍କର ଜଣେ ବରିଷ୍ଠ ଅର୍ଥଶାସ୍ତ୍ରୀ । ବିଶିଷ୍ଟ ଅର୍ଥଶାସ୍ତ୍ରୀ ଧ୍ରୁବ ଶର୍ମାଙ୍କ କହିବାନୁଯାୟୀ, '୨୦୨୩-୨୪ରେ ମହଙ୍ଗା ମାଡ ହ୍ରାସ ପାଇ ୫.୧ ପ୍ରତିଶତ ରହିପାରେ । ଏହା ହେଲେ କେବଳ ଦରଦାମ ହ୍ରାସ ପାଇବ ତାହା ନୁହେଁ ବରଂ ଏଏମ୍ଆଇ ଦେୟରୁ ମଧ୍ୟ ସାମାନ୍ୟ ଆଶ୍ବସ୍ତି ମିଳିବ'।
ଧ୍ରୁବ ଶର୍ମା କହିଛନ୍ତି, 'ଆସନ୍ତା ବର୍ଷ ରିଜର୍ଭ ବ୍ୟାଙ୍କର ଟୋଲରେନ୍ସ ବ୍ୟାଣ୍ଡ ୨-୬ ପ୍ରତିଶତ ମଧ୍ୟରେ ରହିପାରେ । ଖାଇବା ସାମଗ୍ରୀ ଦର ଚଳିତ ବର୍ଷ ଅହେତୁକ ବୃଦ୍ଧିପାଇଛି । ଖୁଜୁରା ମହଙ୍ଗା ଦର ବୃଦ୍ଧିପାଇ ୬.୭ ପ୍ରତିଶତ ରହିଛି । ଯାହାକି ଆସନ୍ତା ବର୍ଷ ହ୍ରାସ ପାଇପାରେ ଏବଂ ଦରଦାମ ନିୟନ୍ତ୍ରଣରେ ରହିପାରେ'।
ସୂଚନା ଥାଉକି, ୨୦୨୨ ଏପ୍ରିଲ ମାସରେ ଖୁଜୁରା ମହଙ୍ଗା ଦର ୭.୭୯ ପ୍ରତିଶତ ଯାଏଁ ପହଞ୍ଚିଯାଇଥିଲା । ଯେଉଁଥି ପାଇଁକି ସୁଧ ଦର ବୃଦ୍ଧି କରିବା ଆରମ୍ଭ କରିଥିଲା ଆରବିଆଇ । ଶକ୍ତ ଝଟ୍କା ସେତେବେଳେ ଲାଗିଥିଲା ଯେତେବେଳେ ଲଗାତାର ଭାବେ ରେପୋ ରେଟ୍ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଚଳିତ ବର୍ଷ ରେପୋ ରେଟ୍ ୪ ପ୍ରତିଶତରୁ ବୃଦ୍ଧିପାଇ ୫.୯୦ ପ୍ରତିଶତ କରାଯାଇଛି । ତେଣୁ ବ୍ୟାଙ୍କରେ ବିଭିନ୍ନ ଋଣ ବାବଦରୁ ସୁଧ ହାର ମଧ୍ୟ ବୃୃଦ୍ଧିପାଇଛି । ତେଣୁ ଯଦି ଆସନ୍ତା ବର୍ଷ ମହଙ୍ଗା ଦର ୫.୧ ପ୍ରତିଶତକୁ ହ୍ରାସ ପାଏ ତେବେ ଦରଦାମ ନିୟନ୍ତ୍ରଣକୁ ଆସି ପାରିବ ।
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ପୂର୍ବରୁ ମହଙ୍ଗା ମାଡକୁ ନେଇ ସକାରାତ୍ମକ ମନ୍ତବ୍ୟ ଦେଇସାରିଛନ୍ତି । ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ଦରବୃଦ୍ଧିରୁ ମୁକ୍ତି ମିଳିପାରେ କହିଛନ୍ତି ଆରବିଆଇ ଗଭର୍ଣ୍ଣର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆସନ୍ତା ବର୍ଷ ମହଙ୍ଗା ମାଡରୁ ମୁକ୍ତି ମିଳିବ ଏବଂ ଦରଦାମ ହ୍ରାସ ପାଇବା ନେଇ ଆଶବାଦୀ ଅଛନ୍ତି ।