PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ମଧ୍ୟାହ୍ନଭୋଜନରୁ ବାହାରିଲା ପୋକ

ଜୟପୁର,୧୨ା୨(ବ୍ୟୁରୋ): ଜୟପୁର ପୌରାଞ୍ଚଳ ଓ ବ୍ଲକର ସରକାରୀ ସ୍କୁଲକୁ ମଧ୍ୟାହ୍ନଭୋଜନ ଯୋଗାଉଥିବା ସଂସ୍ଥା ବିରୋଧରେ ଅଭିଯୋଗ । ଆଜି ଫାମ୍ପୁଣି ଓ ସ୍ଥାନୀୟ ପାଇକସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯୋଗାଯାଇଥିବା ସୋୟାବିନ ତରକାରୀରୁ ପୋକ ବାହାରିଥିଲା । ପୋକ ଥିବା ଜଣାପଡ଼ିିବା ପରେ ଦାୟିତ୍ୱରେ ଥିବା କର୍ମଚାରୀ ପିଲାଙ୍କୁ ଖାଇବାକୁ ଦେଇ ନଥିଲେ । ଫଳରେ ପିଲାମାନେ ଖାଳି ଥାଳି ଧରି ଅପରାହ୍ଣ ପର୍ଯ୍ୟନ୍ତ ଭୋକରେ ଆଉଟୁପାଉଟୁ ହୋଇଥିଲେ । ମଧ୍ୟାହ୍ନଭୋଜନ ଯୋଗାଇବାକୁ ଦାୟିତ୍ୱ ନେଇଥିବା ବେସରକାରୀ ସଂସ୍ଥା ବାଗଡଙ୍ଗା ପଶ୍ଚିମଘେରୀ ବିଷଲକ୍ଷ୍ମୀ କ୍ଲବ ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ଆଜି ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିଥିବା ଖବର ଶୁଣି ପ୍ରମେୟ ପ୍ରତିନିଧି ପହଞ୍ଚିଥିଲେ ସ୍ଥାନୀୟ ପାଇକସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ପିଲାମାନେ ଆସନ ପକାଇ ଥାଳି ଧରି ବସିଥିଲେ ମଧ୍ୟାହ୍ନଭୋଜନ ଖାଇବାକୁ । କିନ୍ତୁ ସମସ୍ତଙ୍କ ପ୍ଲେଟ ଖାଲି ପଡ଼ିଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କହିଲେ, ତରକାରୀରୁ ପୋକ ବାହାରିବାରୁ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇନି । ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି । ପିଲାଙ୍କୁ ଘରକୁ ଯାଇ ଖାଇବାକୁ କୁହାଯାଇଥିଲା । ହେଲେ ସ୍କୁଲରେ ଖାଇବାକୁ ଦିଆଯାଉଥିବାରୁ ତାଙ୍କ ପାଇଁ ଘରେ ଭାତ ରଖାଯାଉନାହିଁ ବୋଲି ପିଲାଏ କହିଥିଲେ । ଏହି ସମୟରେ ପହଞ୍ଚିଥିଲେ ସିଆରସିସି ମହେଶ୍ୱର ମିଶ୍ର । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମଧ୍ୟାହ୍ନଭୋଜନ ଯୋଗାଉଥିବା ବେସରକାରୀ ସଂସ୍ଥା ସହ ଯୋଗାଯୋଗ କରି ଅଲଗା ତରକାରୀ ପଠାଇବାକୁ ଅନୁରୋଧ କରିଥିଲେ । ଅପରାହ୍ଣ ୨ଟା ୩୦ରେ ତରକାରୀ ଆସିବା ପରେ ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା ।
ଫାମ୍ପୁଣି ସ୍କୁଲରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୋୟାବିନ ତରକାରୀରେ ପୋକ ଥିବା ଜାଣିବା ପରେ ଛାତ୍ରଛାତ୍ରୀ ଘରକୁ ଯାଇ ଖାଇଥିଲେ । ଜୟପୁର ବ୍ଲକର ଟି. ଗରୁଡଗୁଡା ପ୍ରାଥମିକ ବିଦ୍ୟାଳୟରେମଧ୍ୟାହ୍ନଭୋଜନରେ ମଧ୍ୟ ଦେଖାଦେଇଥିଲା ଅବ୍ୟବସ୍ଥା । ଆଜି ଏହି ସ୍କୁଲରେ ୧୪୫ ଜଣ ଉପସ୍ଥିତ ଥିଲେ । କିନ୍ତୁ ମାତ୍ର ୧୦୦ ଜଣଙ୍କ ପାଇଁ ଯୋଗାଣ ହୋଇଥିଲା ଖାଦ୍ୟ । ୧୦୦ ଜଣଙ୍କ ଖାଦ୍ୟକୁ ବାଣ୍ଟିକୁଣ୍ଟି ଖାଇଥିଲେ ୧୪୫ ଜଣ ।
ଏ ସମ୍ପର୍କରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜିନୀ ଦଣ୍ଡସେନା କହିଛନ୍ତି, ଆଜି ଏ ସମ୍ପର୍କରେ ଅଭିଯୋଗ ପାଇଛନ୍ତି । ସିଆରସିସିମାନେ ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି । ସେମାନଙ୍କଠାରୁ ରିପୋର୍ଟ ମିଳିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବେ । ବାରମ୍ବାର ଏଭଳି ଅବ୍ୟବସ୍ଥା ହେଉଥିବାରୁ ତାଗିଦ କରାଯାଉଛି । ବେସରକାରୀ ସଂସ୍ଥାର ଏମ୍‌ଡିଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇ ଆଗକୁ ଏଭଳି ନହେବା ଲାଗି କୁହାଯାଇଥିବା ସେ କହିଛନ୍ତି ।