ନୂଆଦିଲ୍ଲୀ, ୨୪।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି । ଏହି ସମୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ପାକିସ୍ତାନର ଗ୍ୟାସ୍ ବ୍ୟବସ୍ଥା କିପରି କାମ କରେ । ଭାରତରେ ଇଣ୍ଡେନ୍ ଏକ ବିଶାଳ ବ୍ରାଣ୍ଡ୍ ହୋଇଥିବାବେଳେ ପାକିସ୍ତାନର ମଡେଲ୍ କିନ୍ତୁ ଟିକେ ଅଲଗା ।

୧. ପାକିସ୍ତାନର ସବୁଠାରୁ ବଡ଼ ବ୍ରାଣ୍ଡ୍: 'ପାକ୍ ଗ୍ୟାସ୍'

ଭାରତର ଇଣ୍ଡେନ୍ ଭଳି ପାକିସ୍ତାନରେ ସବୁଠାରୁ ବଡ଼ ସରକାରୀ ବିକଳ୍ପ ହେଉଛି ପାକିସ୍ତାନ ଷ୍ଟେଟ୍ ଅଏଲ୍ (PSO) । ଏହା 'ପାକ୍ ଗ୍ୟାସ୍' ବ୍ରାଣ୍ଡ୍ ନାମରେ LPG ଯୋଗାଇଥାଏ । ସାରା ଦେଶରେ ଏହାର ୨୫୦ରୁ ଅଧିକ ବିତରକ ଅଛନ୍ତି । ଚିତ୍ରାଲ୍, ଗିଲଗିଟ୍ ଏବଂ ସ୍କାର୍ଦୁ ଭଳି ପାହାଡ଼ିଆ ଅଞ୍ଚଳରେ, ଯେଉଁଠି ପାଇପଲାଇନ ପହଞ୍ଚିବା ଅସମ୍ଭବ, ସେଠାରେ 'ପାକ୍ ଗ୍ୟାସ୍' ହିଁ ଲୋକଙ୍କ ଭରସା ସାଜିଥାଏ ।

ଏହା ବି ପଢ଼ନ୍ତୁ... ଇରାନର 'ମିସାଇଲ୍ ସିଟି': କହିଲା ଏହା ତ କେବଳ ଟ୍ରେଲର, ପୁରା ପିକଚର୍ ଏବେ ବି ବାକି !

୨. ଏକାଧିକ ଘରୋଇ କମ୍ପାନୀଙ୍କ ପ୍ରଭାବ

ଭାରତ ପରି ପାକିସ୍ତାନରେ କୌଣସି ଗୋଟିଏ କମ୍ପାନୀର ଏକଛତ୍ରବାଦ ଶାସନ ନାହିଁ । ସେଠାରେ ଅନେକ ବଡ଼ ବଡ଼ ଘରୋଇ କମ୍ପାନୀ ମଧ୍ୟ କାମ କରୁଛନ୍ତି ।

Parco Pearl Gas: ଏହା ନିଜର ଆଧୁନିକ ଭିତ୍ତିଭୂମି ପାଇଁ ପରିଚିତ ।

Burshane LPG: ଏହା ପାକିସ୍ତାନର ଅନ୍ୟତମ ପୁରୁଣା ଗ୍ୟାସ୍ କମ୍ପାନୀ ।

୩. ପାକିସ୍ତାନର ଗ୍ୟାସ୍ ପ୍ରଣାଳୀ: ଦୁଇଟି ଭାଗରେ ବିଭକ୍ତ

ପାକିସ୍ତାନରେ ମୁଖ୍ୟତଃ ଦୁଇ ପ୍ରକାରର ଗ୍ୟାସ୍ ଯୋଗାଣ ହୋଇଥାଏ । LPG ସିଲିଣ୍ଡର: ଯେଉଁଠି ପାଇପ୍ ନାହିଁ, ସେଠାରେ ସିଲିଣ୍ଡର ବ୍ୟବହାର ହୁଏ । ପାଇପ୍ ଗ୍ୟାସ୍ (PNG): ସୁଇ ନରଦର୍ଣ୍ଣ ଗ୍ୟାସ୍ ପାଇପଲାଇନ୍ ଲିମିଟେଡ୍ (Sui Northern Gas Pipelines Limited) ପରି କମ୍ପାନୀଗୁଡ଼ିକ ସହରାଞ୍ଚଳରେ ପାଇପ୍ ଜରିଆରେ ଗ୍ୟାସ୍ ପହଞ୍ଚାନ୍ତି ।

କିପରି କାମ କରେ ସପ୍ଲାଏ ଚେନ୍ ?

LPG ସିଲିଣ୍ଡର ପାଇଁ ରିଫାଇନାରୀରୁ ଗ୍ୟାସ୍ ବାହାରିବା ପରେ ତାକୁ ତରଳ ଅବସ୍ଥାକୁ ଅଣାଯାଏ । ଏହାପରେ ବୋଟଲିଂ ପ୍ଲାଣ୍ଟରେ ସିଲିଣ୍ଡର ଭର୍ତ୍ତି କରାଯାଇ ଲୋକାଲ୍ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ପଠାଯାଏ । ଗ୍ରାହକମାନେ ଆପ୍ କିମ୍ବା ଫୋନ୍ କଲ୍ ଜରିଆରେ ସିଲିଣ୍ଡର ବୁକ୍ କରନ୍ତି ।

ପାଇପ୍ ଗ୍ୟାସ୍ ପାଇଁ ଗ୍ୟାସ୍ ଫିଲ୍ଡରୁ ବଡ଼ ପାଇପଲାଇନ ଜରିଆରେ ସହରକୁ ଗ୍ୟାସ୍ ଅଣାଯାଏ । ସହରର ଷ୍ଟେସନରେ ଗ୍ୟାସ୍ ପ୍ରେସରକୁ କମ୍ କରାଯାଇ ମାଟି ତଳେ ଥିବା ପାଇପ୍ ନେଟୱାର୍କ ଜରିଆରେ ଘରକୁ ଘର ବଣ୍ଟାଯାଏ । ପ୍ରତି ଘରେ ଏକ ମିଟର ଲାଗିଥାଏ ଏବଂ ବ୍ୟବହାର ଅନୁସାରେ ମାସିକ ବିଲ୍ ଆସିଥାଏ । ଭାରତରେ ଇଣ୍ଡେନ ପରି ସରକାରୀ ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ଥିବାବେଳେ, ପାକିସ୍ତାନରେ ସରକାରୀ ସହିତ ବହୁ ସଂଖ୍ୟକ ଘରୋଇ କମ୍ପାନୀ ମଧ୍ୟ ଏହି ବଜାରକୁ ନିୟନ୍ତ୍ରଣ କରୁଛନ୍ତି ।