ନୂଆଦିଲ୍ଲୀ, ୨୪।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ କମିବାର ନାଁ ନେଉନି । ଜଙ୍ଗର ୨୫ତମ ଦିନରେ ଇରାନ ନିଜର ଶକ୍ତି ପ୍ରଦର୍ଶନ କରି ସାରା ବିଶ୍ୱକୁ ଚକିତ କରିଦେଇଛି । ନିକଟରେ ଇରାନ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ପାହାଡ଼ ତଳେ ଶହ ଶହ ମିଟର ଗଭୀରରେ ନିର୍ମିତ ଏକ ବିଶାଳ 'ଅଣ୍ଡରଗ୍ରାଉଣ୍ଡ ମିସାଇଲ ସିଟି' ଦେଖିବାକୁ ମିଳିଛି । ଇରାନ କହିଛି, "ଏହା ତ କେବଳ ଟ୍ରେଲର, ଅସଲି ପିକଚର୍ ଏବେ ବି ବାକି ଅଛି ।" ଇରାନ ସରକାରୀ ଗଣମାଧ୍ୟମ ଦ୍ୱାରା ଜାରି ଏହି ଭିଡିଓରେ କଂକ୍ରିଟ୍ରେ ତିଆରି ବିଶାଳ ସୁଡ଼ଙ୍ଗ ଦେଖାଯାଉଛି । ଏଠାରେ ଶହ ଶହ ସଂଖ୍ୟାରେ ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିସାଇଲ୍ର ଭଣ୍ଡାର ରହିଛି । ଇରାନର ଦାବି ଅନୁଯାୟୀ, ଏହା ତାଙ୍କ ସାମରିକ କ୍ଷମତାର ମାତ୍ର ଏକ କ୍ଷୁଦ୍ର ଅଂଶ ।

ବଙ୍କର୍ ବଷ୍ଟର୍ ବୋମା ବି ହେବ ଫେଲ୍ !

ରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏହି ମିସାଇଲ ସିଟିଗୁଡ଼ିକ ଏତେ ଗଭୀରରେ ନିର୍ମିତ ଯେ ଆମେରିକାର ସବୁଠାରୁ ଶକ୍ତିଶାଳୀ 'ବଙ୍କର୍ ବଷ୍ଟର୍' ବୋମା ମଧ୍ୟ ଏହାର କିଛି କ୍ଷତି କରିପାରିବ ନାହିଁ । ଯେଉଁ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଭାବୁଥିଲେ ଯେ ୭ ଦିନରେ ଇରାନ ଆତ୍ମସମର୍ପଣ କରିବ, ସେଠାରେ ୨୫ ଦିନ ପରେ ବି ଇରାନ ପୂରା ଦମ୍‌ରେ ଯୁଦ୍ଧ ଲଢ଼ୁଛି ।

ଏହା ବି ପଢ଼ନ୍ତୁ... ଟ୍ରମ୍ପଙ୍କ ୟୁଟର୍ଣ୍ଣ ପରେ ବି ଥମିନି ଯୁଦ୍ଧ ; ଇରାନର ପାୱାର ଷ୍ଟେସନ- ଗ୍ୟାସ ଗ୍ରୀଡ ଉପରେ ଆକ୍ରମଣ, କୁଏତରେ ବିଦ୍ୟୁତ୍ ଠପ୍

ସାଇକୋଲୋଜିକାଲ୍ ୱାର୍:

ବାରମ୍ବାର ଏଭଳି ଭିଡିଓ ଜାରି କରି ଇରାନ ଶତ୍ରୁପକ୍ଷ ଉପରେ ମାନସିକ ଚାପ ପକାଇବାକୁ ଚେଷ୍ଟା କରୁଛି । ଏହି ଭିଡିଓ ଜରିଆରେ ଇରାନ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଯଦି ତା’ ଉପରେ ପୁଣି ଆକ୍ରମଣ ହୁଏ, ତେବେ ଜବାବୀ କାର୍ଯ୍ୟାନୁଷ୍ଠାନ ଏତେ ଭୟଙ୍କର ହେବ ଯେ ଆମେରିକା ଓ ଇସ୍ରାଏଲର ସହଯୋଗୀ ଦେଶମାନେ ନିଜକୁ ରକ୍ଷା କରିବା କଷ୍ଟକର ହୋଇପଡ଼ିବ । ଅନ୍ୟପଟେ, ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ସହ ଆମେରିକାର 'ମଜବୁତ ଆଲୋଚନା' ଚାଲିଛି ଏବଂ ଖୁବ୍‌ଶୀଘ୍ର ଏକ ଚୁକ୍ତି ହୋଇପାରେ । ସେ ଚେତାବନୀ ଦେଇଛନ୍ତି ଯେ, ଯଦି କଥାବାର୍ତ୍ତା ବିଫଳ ହୁଏ ତେବେ ବୋମାମାଡ଼ ଜାରି ରହିବ । ତେବେ ଇରାନ ଗଣମାଧ୍ୟମ ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । ସେମାନଙ୍କ କହିବା ଅନୁସାରେ, ଆମେରିକା ସହ କୌଣସି ଆଲୋଚନା ହେଉନାହିଁ । ବିଶ୍ୱ ବଜାରରେ ତେଲ ଦର ନିୟନ୍ତ୍ରଣ କରିବା ପାଇଁ ଟ୍ରମ୍ପ ଏଭଳି ମିଥ୍ୟା ବୟାନ ଦେଉଛନ୍ତି । ଋଷିଆ ମଧ୍ୟ ଇରାନ ସପକ୍ଷରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଯୁଦ୍ଧ ଆହୁରି ଲମ୍ବା ସମୟ ଧରି ଚାଲିବାର ସଙ୍କେତ ମିଳୁଛି ।