ନୂଆଦିଲ୍ଲୀ,୨୬/୦୭: ବିଶ୍ୱର ଅନ୍ୟତମ ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି ଇଣ୍ଟେଲ୍‌ ଏ ବର୍ଷ  ନିଜ କର୍ମଚାରୀମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ବା  ୨୪,୦୦୦ରୁ ଅଧିକଙ୍କୁ ଛଟେଇ କରିବ । କମ୍ପାନି ନୂଆ ସିଇଓ ଲିପ୍‌-ବୁ ତାନ୍‌ଙ୍କ ନେତୃତ୍ୱରେ ବଡ଼ ଆକାରରେ  ଖର୍ଚ୍ଚକାଟ ଯୋଜନା ପ୍ରସ୍ତୁତ କରିଛି । ଏହାସହିତ ଇଣ୍ଟେଲ୍‌ ଜର୍ମାନୀ ଏବଂ ପୋଲାଣ୍ଡରେ ନିଜର ଜରୁରୀ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକୁ ବି ରଦ୍ଦ କରିଦେଇଛି ।  କାରଣ କମ୍ପାନି ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା  ଏବଂ ବଜାରରେ ପ୍ରତିଯୋଗିତାକୁ ମଜଭୁତ କରିବାର  ଉଦ୍ୟମ କରୁଛି । 

୨୦୨୪ ଶେଷ ସୁଦ୍ଧା ଇଣ୍ଟେଲ୍‌ର ମୋଟ କର୍ମଚାରୀ ସଂଖ୍ୟା ୯୯,୫୦୦ ଥିଲା । ଛଟେଇ  ପରେ ୨୦୨୫ ଶେଷ ସୁଦ୍ଧା ଏ ସଂଖ୍ୟା ହ୍ରାସ ପାଇ  ୭୫,୦୦୦ ହୋଇଯିବ । ସିଇଓ ତାନ୍‌ କର୍ମଚାରୀଙ୍କୁ  ଲେଖିଥିବା ଏକ ଲେଟର୍‌ରେ କମ୍ପାନିର ଏ ନିଷ୍ପତ୍ତିକୁ  ଜରୁରୀ ଏବଂ କଠୋର ବୋଲି ଦର୍ଶାଇଛନ୍ତି । ଏ ବର୍ଷ ଦ୍ୱିତୀୟ ତ୍ରୟମାସରେ କମ୍ପାନି ପୂର୍ବରୁ ହିଁ  ମ୍ୟାନେଜ୍‌ମେଣ୍ଟ ସ୍ତରକୁ ଅଧା କରିଦେଇଛି  ।