PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅମୃତ ମହୋତ୍ସବ ସମାରୋହ ସମିତିର ବୁଦ୍ଧିଜୀବୀ ସମ୍ମିଳନୀ , ଭାରତଯୋଡ଼ ଅଭିଯାନ ଆଜିର ଆହ୍ୱାନ

ଭୁବନେଶ୍ୱର,୧୫/୮ : ସ୍ୱାଧୀନତା ସ୍ୱୟଂପ୍ରେରିତ, ସ୍ୱୟଂ ପ୍ରେଷିତ ହେବା ଉଚିତ । ଏ ପରିସ୍ଥିତିରେ ଦେଶର ପ୍ରତ୍ୟେକ ନାଗରିକ ନିଜକୁ ସ୍ୱାଧୀନଚେତା ନାଗରିକ ଭାବେ ଗଢ଼ିତୋଳିବାର ଆବଶ୍ୟକତା ରହିଛି । ଯେବେ ସାମାନ୍ୟ ନାଗରିକ ବିନା ଦ୍ୱିଧାରେ ପ୍ରଶାସନ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯାଏ ବିନା ବାଧାରେ ପହଞ୍ଚିପାରିବ ସେବେ ଆମେ ସ୍ୱାଧୀନ ବୋଲି କହିବା । ଅତୀତରେ ଯେମିତି ଭାରତ ଛାଡ଼ ଆନ୍ଦୋଳନ କରାଯାଇଥିଲା, ବର୍ତ୍ତମାନ ଭାରତଯୋଡ଼ ଅଭିଯାନ ଚଳାଇବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ ।

ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ପୂର୍ବପ୍ରାନ୍ତ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସମିତି ଦ୍ୱାରା ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆଇଟିଇଆର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ଲେଖକ ଓ ଚିନ୍ତାନାୟକ ରାମ ମାଧବ କହିଲେ, ଭାରତକୁ  ସ୍ୱାଧୀନତା ଦେବା ପ୍ରସଙ୍ଗରେ ଇଂରେଜ ଶାସକ କହୁଥିଲେ ଭାରତୀୟମାନେ ସ୍ୱାଧୀନତାକୁ ସମ୍ଭାଳି ରଖିପାରିବେ ନାହିଁ । ହେଲେ ସ୍ୱାଧୀନତାର ୭୫ ବର୍ଷ ପରେ ଭାରତ ଆଜି ପ୍ରମାଣିତ କରିପାରିଛି ଯେ, ଏହା କେବଳ ନିଜର ସ୍ୱାଧୀନତା ବଜାୟ ରଖିପାରି ନାହିଁ ବରଂ ଗଣତନ୍ତ୍ରକୁ ସୁଦୃଢ଼ କରିପାରିଛି । ଆମକୁ ଗଣତନ୍ତ୍ରର ମୂଲ୍ୟବୋଧ ବୁଝାଉଥିବା ଅନେକ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କଠାରୁ ଆମ ଗଣତନ୍ତ୍ର ଯେ ଖୁବ୍‌ ମୁଜଭୁତ ତାହା ବାରମ୍ବାର ପ୍ରମାଣିତ ହୋଇଛି । ପୃଥିବୀର ସର୍ବପୁରାତନ ଗଣତନ୍ତ୍ର ବୋଲାଉଥିବା ଆମେରିକା ୨୩୦ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ହେଲେ ମହିଳା ରାଷ୍ଟ୍ରପତି ଦେଇ ପାରିଲେ ନାହିଁ । କିନ୍ତୁ ମାତ୍ର ୭୫ ବର୍ଷର ଗଣତନ୍ତ୍ର ଭାରତ ଦୁଇ ଜଣ ମହିଳା ରାଷ୍ଟ୍ରପତିଙ୍କୁ ଦେଶର ପ୍ରଥମ ନାଗରିକର ସମ୍ମାନ ପ୍ରଦାନ କରିଛି । ଆଜି ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛୁ । ଏକ ରାଷ୍ଟ୍ର ନିମନ୍ତେ ୭୫ ବର୍ଷର କାଳଖଣ୍ଡ କିଛି ବଡ଼ ସମୟ କୁହାଯାଇ ପାରେନା କିନ୍ତୁ ବିଗତ ୭୫ ବର୍ଷ ମଧ୍ୟରେ ଆମ ଦେଶ ବିଭିନ୍ନ କ୍ଷେତ୍ରରେ ଯେଉଁ ଉପଲବ୍ଧି ହାସଲ କରିଛି ତାହା କିଛି କମ୍‌ ନୁହେଁ ବୋଲି ସେ କହିଥିଲେ ।

ଦେଶର ସ୍ୱାଧୀନତା ପାଇଁ ସମସ୍ତେ ଯେମିତି ଯୋଗ ଦେଇଥିଲେ, ସ୍ୱାଧୀନତାକୁ ବଜାୟ ରଖିବାକୁ ମଧ୍ୟ ସମସ୍ତେ ସେହିଭଳି ଯୋଗଦେବାକୁ ହେବ । ୧୯୪୭ ମସିହାରେ ହୋଇଥିବା ଭାରତର  ବିଭାଜନକୁ ଏକ କୃତ୍ରିମ ବିଭାଜନ ବୋଲି ବର୍ଣ୍ଣନା କରି ଶ୍ରୀ ମାଧବ କହିଲେ, ଧର୍ମ ଆଧାରରେ ହୋଇଥିବା ଏହି ବିଭାଜନ ଭାରତର ସଂସ୍କୃତି ଅନୁକୂଳ ବିଭାଜନ ନୁହେଁ । ଭାରତରେ ବସବାସ କରୁଥିବା ସମସ୍ତ ବ୍ୟକ୍ତି ଭାରତୀୟ । ଭାରତୀୟତା ହିଁ ଆମର ସାଂସ୍କୃତିକ ପରିଚୟ । ଆମେ ଭାରତରେ ବସବାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଭାରତୀୟ ବୋଲି ମନେ କରିଥାଉ । ଏଥିରେ ଧର୍ମ, ମତ, ସଂପ୍ରଦାୟର କୌଣସି ବିଭେଦ ନାହିଁ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ସମିତିର ସଭାପତି ପ୍ରଫେସର ହରିହର ପଣ୍ଡା । ସମ୍ପାଦକ ରବି ନାରାୟଣ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସୁମନ୍ତ କୁମାର ପଣ୍ଡା, ଡା.ବସନ୍ତ ପତି, ଜୟକୃଷ୍ଣ ପୃଷ୍ଟି, ନିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।