ଜାନୁୟାରୀ ୩୧ରୁ ରାଜଧାନୀରେ ଆନ୍ତର୍ଜାତିକ ଆଲୁମିନିୟମ୍ ସମ୍ମିଳନୀ: ପ୍ରମେୟ କାର୍ଯ୍ୟାଳୟରେ ମାସ୍କଟ୍ ‘ଆଲୁମୋଫ୍’

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଦେଶର ଆଲୁମିନିୟମ୍ ପେଣ୍ଠସ୍ଥଳ ଭାବେ ଉପସ୍ଥାପିତ ହେବ ଓଡ଼ିଶା । କୋଣ ଅନୁକୋଣରୁ ଆଲୁମିନିୟମ୍ ଶିଳ୍ପର ରଥୀ ମହାରଥୀମାନଙ୍କର ସମାଗମ ହେବ ରାଜଧାନୀ ଭୁବନେଶ୍ୱରରେ । ଭାରତୀୟ କମ୍ପାନିଗୁଡିକ ବିଦେଶୀ ଜ୍ଞାନକୌଶଳ ବିଷୟରେ ଜାଣିବାର ସୁଯୋଗ ପାଇବେ ଏବଂ ନିଜକୁ ଆହୁରି ପ୍ରତିଯୋଗିତାକ୍ଷମ କରିବେ । ଏଥିସହ ବିଶ୍ୱର ଆଲୁମିନିୟମ୍ ରାଜଧାନୀ ପାଲଟିବ ଓଡ଼ିଶା । ଏହି ଉଦ୍ଦେଶ୍ୟରେ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେଉଛି ‘ସପ୍ତମ ଆନ୍ତର୍ଜାତିକ ଆଲୁମିନିୟମ୍ ସମ୍ମିଳନୀ’ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜନ କରାଯାଉଛି । ନାଲ୍କୋ ସହଯୋଗିତାରେ ଭାରତୀୟ ଆଲୁମିନିୟମ୍ ସଂଘ (ଏଏଆଇ) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଫେବୃୟାରୀ ୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଚାଲିବ । ଏହି ପରିପ୍ରେକ୍ଷୀରେ ଆଲୁମିନିୟମ୍ ପ୍ରଦର୍ଶନୀ ଏବଂ ସମ୍ମିଳନୀ ଇନ୍କାଲ୍-୨୦୧୯ର ମାସ୍କଟ ‘ଆଲୁମୋଫ୍’ ଆଜି ଦୈନିକ ଖବରକାଗଜ ‘ପ୍ରମେୟ’ କାର୍ଯ୍ୟାଳୟ ପରିଦର୍ଶନ କରିଛି ।
ପ୍ରମେୟ ଏବଂ ନ୍ୟୁଜ୍୭ ଗ୍ରୁପ୍ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ମାସ୍କଟ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ଏଭଳି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରାଯିବା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ । ବିଶ୍ୱକପ୍ ହକି ପରେ ଏହା ଆଉ ଏକ ସଫଳତା ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏଏଆଇର ଅଧ୍ୟକ୍ଷ ତଥା ନାଲ୍କୋ ସିଏମ୍ଡି ତପନ କୁମାର ଚାନ୍ଦଙ୍କ ବାର୍ତ୍ତାକୁ ଏହି ଅବସରରେ ନାଲ୍କୋ ଅଧିକାରୀମାନେ ପ୍ରମେୟ ଓ ନ୍ୟୁ୭ ଗ୍ରୁପ୍ ସମ୍ପାଦକ ଶ୍ରୀ ମହାପାତ୍ର ଏବଂ ସିଇଓ ସୁନୀଲ ଦାସଙ୍କୁ ହସ୍ତାନ୍ତର କରିଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରୁପ୍ର ମାର୍କେଟିଂ ବିଭାଗ ଉପ-ସଭାପତି ଲିଙ୍ଗରାଜ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ ।
ମାସ୍କଟ୍ର ପରିଦର୍ଶନ ଅବସରରେ ପ୍ରମେୟ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ନାଲ୍କୋ ଅର୍ଥ ବିଭାଗ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି ଯେ, ଜାନୁୟାରୀ ୩୧ରୁ ଫେବୃୟାରୀ ୩ ପର୍ଯ୍ୟନ୍ତ ଏହି ସମ୍ମିଳନୀ ସ୍ୱସ୍ତି ପ୍ରମିୟମ୍ରେ ଚାଲିବ । ପ୍ରଦର୍ଶନୀ ଜନତା ମୌଦାନରେ ହେବ । ଆଲୁମିନିୟମ୍କୁ ଏକ ପ୍ରମୁଖ ଧାତବ ଭାବେ ଉପସ୍ଥାପନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ରହିବ । ଏଥିରେ ଦେଶ ବିଦେଶରୁ ୧୦୦୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେବେ । ୩୦୦ ବିଦେଶୀ ପ୍ରତିନିଧିଏଥିରେ ଅଂଶଗ୍ରହଣ କରିବେ । ମୋଟ ୨୦ଟି ରାଷ୍ଟ୍ରରୁ ଆଲୁମିନିୟମ୍ ଶିଳ୍ପ ଜଗତର ନାମୀଦାମୀ ଆଲୁମିନିୟମ୍ କମ୍ପାନୀ ଏଥିରେ ଯୋଗ ଦେଉଛନ୍ତି । ଏମାନେ ନିଜ ନିଜର ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଉôପାଦକୁ ଏଠାରେ ପ୍ରଦର୍ଶିତ କରିବେ । ଫଳରେ ଭାରତୀୟ କମ୍ପାନିଗୁଡିକ ବିଦେଶୀ ଟେକ୍ନୋଲୋଜି ବିଷୟରେ ଜାଣିବାର ସୁଯୋଗ ପାଇବେ । ନୀତି ନିର୍ଦ୍ଧାରଣକାରୀ, ଶିଳ୍ପ ଜଗତର ନାମୀଦାମୀ ବ୍ୟକ୍ତିବିଶେଷ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସମେତ ସରକାରୀ ଅଧିକାରୀମାନେ ଏଥିରେ ଯୋଗ ଦେବେ । ଆଲୁମୋଫ୍ର ବିଶେଷତ୍ୱକୁ ନେଇ ଶ୍ରୀ ପାତ୍ର କହିଛନ୍ତି ଯେ, ଏହାର ବଡି କଲର୍ ଆଲୁମିନିୟମ୍ ରଙ୍ଗରେ ପ୍ରସ୍ତୁତ ହୋଇଛି । ଏହା ଏକ ସବୁଜ ରଙ୍ଗର ଜୋତା ପିନ୍ଧିଛି, ଯାହାକି ପରିବେଶ ସାପେକ୍ଷତାକୁ ଦର୍ଶାଉଛି ।
ଏହି ଅବସରରେ ନାଲ୍କୋ ଡିଜିଏମ୍(ସିସି ଆଣ୍ଡ୍ ପିଆର୍) ଲଲାଟେଣ୍ଡୁ ଦାସ ଏବଂ ନାଲ୍କୋ ଡିଜିଏମ୍ (କର୍ପୋରେଟ୍ କମ୍ୟୁନିକେସନ୍) ଆଶୁତୋଷ ରଥ କହିଛନ୍ତି ଯେ, ଦେଶରେ ଆଲୁମିନିୟମ୍ ବ୍ୟବହାର ବଢ଼ାଇବା ଏବଂ ଆଲୁମିନିୟମ୍ ଶିଳ୍ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ସମ୍ମିଳନୀରେ ୧୫୦ରୁ ଊଦ୍ଧ୍ୱର୍ ସନ୍ଦର୍ଭ ଉପସ୍ଥାପନ କରାଯିବ । ଫୋକସ୍ ଓଡ଼ିଶା ଓ ଏନ୍ଜିଓ ଉପରେ ସ୍ୱତନ୍ତ୍ର ଅଧିବେଶନ, ବି୨ବି ଏବଂ ବି୨ଜି ସମ୍ମିଳନୀର ଆୟୋଜନ କରାଯିବ । ଫେବୃୟାରୀ ୩ରେ ପ୍ରତିନିଧିମାନେ ଅନୁଗୋଳ ଆଲୁମିନିୟମ୍ ପାର୍କ ପରିଦର୍ଶନ କରିବେ ।
ମାସ୍କଟ୍ଟି କିଛି ସମୟ ପର୍ଯ୍ୟନ୍ତ ପ୍ରମେୟ କାର୍ଯ୍ୟାଳୟରେ ରହିଥିଲା । ଏହି ଅବସରରେ ଅଫିସ୍ର କର୍ମକର୍ତ୍ତା ଏବଂ ଷ୍ଟାଫ୍ମାନେ ଏହା ସହ ସେଲ୍ଫି ନେଇଥିଲେ । ଆଗକୁ ମାସ୍କଟ୍ଟି ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ବାର୍ତ୍ତା ପ୍ରଚାର କରିବ ।
ମାସ୍କଟର ପ୍ରମେୟ ଅଫିସ ପରିଦର୍ଶନ ଅବସରରେ ବେଦାନ୍ତ କର୍ପୋରେଟ୍ ବ୍ୟାପାର ଉପ-ସଭାପତି ସଞ୍ଜୟ ପଟ୍ଟନାୟକ , ହିଣ୍ଡାଲ୍କୋ କର୍ପୋରେଟ୍ କମ୍ୟୁନିକେଶନ ମୁଖ୍ୟ ଡ. ବିଭୁଦତ୍ତ ମହାପାତ୍ର ଏବଂ ନାଲ୍କୋ କର୍ପୋରେଟ୍ କମ୍ୟୁନିକେସନ ବିଭାଗ ଅଧିକାରୀ ପ୍ରତାପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।