ମାଲକାନଗିରି,୩/୧୨ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ବୁଟିଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୁଧବାର ମାଲକାନଗିରି ଶିକ୍ଷା ବ୍ଲକର ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହେଇଯାଇଛି । ସ୍ବତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମଧ୍ଯରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ସେମାନଙ୍କର ଉନ୍ନତିକୁ ଆଖିଆଗରେ ରଖି ମାଲକାନଗିରି ଶିକ୍ଷା ବ୍ଲକ୍ ତରଫରୁ ଆୟୋଜିତ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ୍ ୫୫ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।
ଉଦଘାଟନ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମାଲକାନଗିରି ଗୋଷ୍ଠୀ ଶିକ୍ଷାଧିକାରୀଣୀ ମମତା ଶୋଏ ଉପସ୍ଥିତଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୌରାଙ୍ଗ ସଜନ ଓ ଅଶ୍ବିନୀ କୁମାର ମାଝି ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ମନ ଭିତରେ ଆତ୍ମ ବିଶ୍ୱାସ ଆଣିବା ତଥା ପ୍ରେରଣାଦାୟକ ଅଭିଭାଷଣ ଦେଇ ଅତିଥିମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଥିବା କେତେକ ଦିବ୍ଯାଙ୍ଗ ବ୍ୟକ୍ତି ବିଶେଷଙ୍କ ଉଦାହରଣ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଶିକ୍ଷାଧିକାରୀ ଅଶ୍ବିନୀ କୁମାର ମାଝିଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ବେଙ୍ଗଡିଆଁ, ଦୌଡ଼, ଜିଲାପି ଦୌଡ଼, ଗୀତ, ଚିତ୍ରାଙ୍କନ ଓ ହାଣ୍ଡିଭଙ୍ଗା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ସମସ୍ତ ପ୍ରତିଯୋଗିତାକୁ ବି.ଆର୍.ଜି. ସଦସ୍ଯ ଦିଗମ୍ବର ବେହେରା ପରିଚାଳିତ କରିଥିଲେ ।
ଶିକ୍ଷକ ଦୟାନିଧି ବେହେରା, ଯୋଗେନ୍ଦ୍ର ସାହୁ, ଚିତ୍ତରଞ୍ଜନ ଡାକୁଆ, ରାଜକୁମାର ନାୟକ ଓ ଶିକ୍ଷୟିତ୍ରୀ ରଶ୍ମିତା ରାଉତ, ସଙ୍ଗୀତା ସ୍ବାଇଁ ଏବଂ ବୁଟିଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବୁଟିଗୁଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିନ୍ନକ୍ଷମ ହେଲେ ମଧ୍ଯ ଛାତ୍ରଛାତ୍ରୀମାନେ କୌଣସି ଗୁଣରେ କମ୍ ନୁହଁ ଏ କଥା ପ୍ରମାଣିତ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଭିନ୍ନକ୍ଷମ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ଲଡ଼ୁ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କେତେକ ଅଭିଭାବକ ମତ ରଖିଥିଲେ ଏହିଭଳି କାର୍ଯ୍ୟକ୍ରମ ଦ୍ବାରା ପିଲାମାନେ ନିଜକୁ ଅକ୍ଷମ ମନେ କରିବେ ନାହିଁ ଓ ସାଧାରଣ ପିଲାମାନଙ୍କ ଭଳି ଅନୁଭବ କରି ଆଗକୁ ବଢ଼ି ପାରିବେ ।