- ପାକିସ୍ତାନର ହଜାର ହଜାର ନାଗରିକ ନୋ-ଫ୍ଲାଇ ଲିଷ୍ଟରେ
- ପାକିସ୍ତାନକୁ ଲଗାତାର ସାଉଦୀ, ୟୁଏଇ ଭଳି ଦେଶରୁ ମିଳୁଛି ଚେତାବନୀ
- ୫୦ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀଙ୍କୁ ସାଉଦୀ କଲା ବାହାର
ନୂଆଦିଲ୍ଲୀ : ପାକିସ୍ତାନ ଆମେରିକା ଓ ଚୀନ ବଳରେ ଯେତେ ଆଗେଇଲେ ବି ତାକୁ ଅନ୍ତର୍ଜାତୀୟ ଅପମାନର ସମ୍ମୁଖୀନ ହେବାକୁ ପଡ଼ୁଛି। ଆର୍ଥିକ ସଙ୍କଟର ଶିକାର ପାକିସ୍ତାନର ଲୋକେ ସାଉଦୀ ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ଭଳି ମଧ୍ୟ-ପୂର୍ବର ଧନୀକ ଇସଲାମିକ ଦେଶ ଗୁଡ଼ିକୁ ଯାଇ ଭିକ ମାଗୁଛନ୍ତି। ଏହି ଦେଶ ଗୁଡ଼ିକର ଚେତାବନୀ ସତ୍ତ୍ୱେ, ପାକିସ୍ତାନୀ ନିଜର ଭିକାରୀଙ୍କ ଉପରେ ଲଗାମ ଲଗେଇବାରେ ଅସଫଳ ହୋଇଛି। ନିକଟରେ ସାଉଦୀ ଆରବ ଭିକ୍ଷା ମାଗିବା ଅଭିଯୋଗରେ ପାଖାପାଖି ୫୬,୦୦୦ ପାକିସ୍ତାନୀଙ୍କୁ ଦେଶରୁ ନିର୍ବାସିତ କରିଛି।
ସାଉଦୀ , ୟୁଏଇ ପାକିସ୍ତାନକୁ ବାରମ୍ୱାର ୱାର୍ଣ୍ଣିଂ ଦେଇଛନ୍ତି ଯେ, ସେ ନିଜର ଭିକାରୀଙ୍କ ଉପରେ ଲଗାମ ଲଗାଉ। ଚାପ ମଧ୍ୟରେ ପାକିସ୍ତାନ ହଜାର ହଜାର ପାକିସ୍ତାନୀଙ୍କୁ ନୋ-ଫ୍ଲାଏ ଲିଷ୍ଟରେ ପକାଇ ଦେଇଛି ଅର୍ଥାତ୍ ଏବେ ଏହି ପାକିସ୍ତାନୀ ଦେଶ ବାହାରକୁ ଯାଇ ପାରୁ ନାହାନ୍ତି। ରିପୋର୍ଟ ମୁତାବିକ , ସଙ୍ଗଠନ ଭିକ୍ଷା ମାଗୁଥବା ଦଳଙ୍କୁ ବିଦେଶ ଯିବାରେ ରୋକିବା ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା , ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ) ୨୦୨୫ରେ ୬୬,୧୫୪ ଜଣ ଯାତ୍ରୀଙ୍କୁ ଉଡ଼ାଣ ଭରିବାରେ ରୋକି ଦେଇଛି।
ଗତ ମାସରେ ୟୁଏଇ ଅଧିକାଂଶ ପାକିସ୍ତାନୀ ନାଗରିକଙ୍କୁ ଭିସା ଜାରି କରିବା ରୋକି ଦେଇ ଥିଲା। କୁହାଯାଇ ଥିଲା ଯେ, ପାକିସ୍ତାନୀ ଗଲ୍ଫ ଦେଶକୁ ଯାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ହୋଇଥାନ୍ତି ଏବଂ ଭିକ୍ଷା ମାଗନ୍ତି ,ଯାହାକୁ ଦେଖି ୟୁଏଇ ଏହି ନିଷ୍ପତ୍ତି ନେଇଛି।
ଏହି ତଥ୍ୟ ପାକିସ୍ତାନୀ ସଂସଦର ନ୍ୟାସନାଲ ଆସେମ୍ୱଲୀର ଏକ କମିଟି ସେତେବେଳେ ଜାରି କରିଛି, ଯେତେବେଳେ ପାକିସ୍ତାନ ହଜାର ହଜାର ନାଗରିକଙ୍କୁ ଏଗଜିଟ୍ କଣ୍ଟ୍ରୋଲ ଲିଷ୍ଟ ( ଇସିଏଲ) କିମ୍ୱା ନୋ-ଫ୍ଲାଇ ଲିଷ୍ଟରେ ପକାଇ ଦେଇଥିଲା। ଗତ ବର୍ଷ ସାଉଦୀ ଆରବ ପାକିସ୍ତାନକୁ କହିଥିଲା ଯେ, ସେ ଉମରାହ ଭିସାର ଦୁରୁପଯୋଗ କରି ମକ୍କା ଓ ମଦିନା ପହଞ୍ଚି ଭିକ୍ଷା ମାଗିବା ଲୋକଙ୍କ ଉପରେ ରୋକ୍ ଲଗାଉ।
ପାକିସ୍ତାନରେ ଅନେକ ଗୋଷ୍ଠୀ ଉମରାହ ଭିସାରେ ଭିକାରୀଙ୍କୁ ସାଉଦୀ , ୟୁଏଇ ଭଳି ଦେଶକୁ ପଠାଇ ଭିକ୍ଷା ମଗାଇ ଥାନ୍ତି। ପାକିସ୍ତାନୀ ଗଲ୍ଫ ଦେଶ ଗୁଡ଼ିକୁ ଯାଏ ଅପରାଧିକ କାର୍ଯ୍ୟ ମଧ୍ୟ କରିବାର ଦେଖା ଯାଇଛି। ଏଥିରେ ପାକିସ୍ତାନର ତୀର୍ଥଯାତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ମୁସ୍କିଲ ବଢିଛି , କାରଣ ସାଉଦୀ , ୟୁଏଇ ଭଳି ଦେଶ ପାକିସ୍ତାନୀଙ୍କୁ ଭିସା ଜାରି କରିବାରେ ଅମଙ୍ଗ ହେଉଛନ୍ତି।