କେନ୍ଦ୍ରାପଡ଼ା, ୮।୭: ରାଜ୍ୟରେ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ବଡ଼ଧରଣର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଜୋରଦାର ରେଡ୍ ଚାଲିଛି । ରେଞ୍ଜର ରବୀନ୍ଦ୍ର ନାୟକଙ୍କ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଭିଜିଲାନ୍ସର ଏକ ବିଶାଳ ଟିମ୍ ଗଠନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ସ୍ପେଶାଲ୍ ଡ୍ରାଇଭ୍ରେ ୫ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ଚଢ଼ାଉ ଜାରି ରଖିଛନ୍ତି ।
ଏହା ବି ପଢ଼ନ୍ତୁ... ଘଟଣାକ୍ରମ ଗୋଟିଏ ହେଲେ ଏକାଧିକ ଅପରାଧ, ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ : ହାଇକୋର୍ଟ
ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୪ଟି ପ୍ରମୁଖ ସ୍ଥାନରେ ଏକାସଙ୍ଗେ ଛାନଭିନ୍ ଚଳାଇଛି । ସେଗୁଡ଼ିକ ମଧ୍ୟରେ କଟକ ଜିଲ୍ଲା ମୁଣ୍ଡଳି ନିକଟରେ ଥିବା ତାଙ୍କର ଏକ ଆଲିସାନ ୪ ମହଲା ବିଲ୍ଡିଂ, ବାଙ୍କୀ ସାହାଡ଼ାପଡ଼ା ସ୍ଥିତ ତାଙ୍କର ପୈତୃକ ଘର, କେନ୍ଦ୍ରାପଡ଼ାର ବଡ଼ମଙ୍ଗଳା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ, କେନ୍ଦ୍ରାପଡ଼ା ସହରରେ ଥିବା ତାଙ୍କର ଅନ୍ୟ ଏକ ଭଡ଼ା ଘର ରହିଛି । ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ା ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିବା ସମୟରେ ରେଞ୍ଜର ରବୀନ୍ଦ୍ର ନାୟକ ସେଠାରେ ଉପସ୍ଥିତ ନଥିଲେ । ଭିଜିଲାନ୍ସର ୫ ଜଣିଆ ବିଶେଷ ଟିମ୍ କାର୍ଯ୍ୟାଳୟର ସମସ୍ତ ଦସ୍ତାବିଜ୍ ଯାଞ୍ଚ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଙ୍ଗରେ ନେଇଯାଇଛନ୍ତି । ଚଢ଼ାଉ ଜାରି ରହିଥିବାରୁ ବର୍ତ୍ତମାନ ସୁଦ୍ଧା ମୋଟ୍ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢ଼ାଉ ଶେଷ ହେବା ପରେ ସମ୍ପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିବ ।