କଟକ, ୦୫/୦୫ : ସ୍ୱାଭାବିକ ଭାବେ ପ୍ରସବ ବା ନର୍ମାଲ୍‌ ଡେଲିଭରି ଅପେକ୍ଷା ଏବେ ଅପରେସନ୍‌ ହୋଇ ସିଜିରିଆନ୍‌ ଡେଲିଭରି ସଂଖ୍ୟା ବଢ଼ୁଛି । ତେବେ ପ୍ରସୂତିମାନେ କିପରି ସ୍ୱାଭାବିକ ଭାବେ ପ୍ରସବ କରିବେ ସେଥିଲାଗି ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତରରେ କାର୍ଯ୍ୟରତ ଥିବା ଅଭିଜ୍ଞ ନର୍ସିଂ ଅଫିସର୍‌ମାନଙ୍କୁ ଚୟନ କରାଯାଇ ଗତ ତିନି ବର୍ଷ ହେଲା ତାଲିମ୍‌ ପ୍ରଦାନ କରାଯାଉଛି । ଏସ୍‌ସିବି ମେଡିକାଲ କଲେଜ ସମେତ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ବୁର୍ଲାସ୍ଥିତ ଭିମ୍‌ସାରରେ ନର୍ସିଂ କର୍ମଚାରୀମାନେ ଟ୍ରେନିଂ ଜାରି ରହିଛି। ଏସ୍‌ସିବି ମେଡିକାଲରେ ୨୦୨୨ରୁ ଅଦ୍ୟାବଧି ଦୁଇଟି ବ୍ୟାଚ୍‌ରେ ୬୦ ଜଣ ନର୍ସିଂ ଅଫିସର୍‌ ୧୮ ମାସିଆ ଟ୍ରେନିଂ ନେଇସାରିଲେଣି । ଏସ୍‌ସିବି ପରି ଏମ୍‌କେସିଜି ଓ ଭିମ୍‌ସାରରେ ମଧ୍ୟ ମିଡ୍‌ୱାଇଭସ୍‌ ଟ୍ରେନିଂ କାର୍ଯ୍ୟକ୍ରମ ଦୁଇଟି ବ୍ୟାଚ୍‌ର ସରିଲାଣି । ତେବେ ଟ୍ରେନିଂପ୍ରାପ୍ତ ନର୍ସିଂ କର୍ମଚାରୀମାନଙ୍କୁ ନେଇ ଜିଲ୍ଲା ସ୍ତରରେ ମିଡ୍‌ୱାଇଫ୍‌ ଲିଡ୍‌ କେୟାର ୟୁନିଟ୍‌ (ଏମ୍‌ଏଲ୍‌ସିୟୁ) ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ହେଁ ତାହା କଟକ ସମେତ ରାଜ୍ୟର ଅନେକ ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ନଥିବା ସୂଚନା ମିଳିଛି । ଏଣୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ (ଏନ୍‌ଏଚ୍‌ଏମ୍‌)ର ଏହି ନର୍ମାଲ ଡେଲିଭରି ଅଭିଯାନ ଉଦ୍ୟମ ଏବେ କାଗଜପତ୍ରରେ ସୀମିତ ରହିଯାଇଛି ବୋଲି ଏସ୍‌ସିବିର ଜଣେ ବରିଷ୍ଠ ପ୍ରସୂତି ବିଶେଷଜ୍ଞ କହିଛନ୍ତି ।  

ପ୍ରସୂତିମାନଙ୍କୁ ନର୍ମାଲ୍‌ ଡେଲିଭରି କରାଇବା ଅପେକ୍ଷା ବିଭିନ୍ନ ମେଡିକାଲରେ ସିଜିରିଆନ୍‌ ଡେଲିଭରି କରାଇ ଦିଆଯାଉଛି । ସିଜିରିଆନ୍‌ ଡେଲିଭରିର ପରବର୍ତ୍ତୀ ସମୟରେ ମହିଳାମାନଙ୍କ ଶରୀରରେ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଛି । ପିଲା ଜନ୍ମ ଲାଭ କରାଇବାର ଲମ୍ବା ସମୟର ବ୍ୟବଧାନ ପରେ ମା’ ପାଇଁ ସମସ୍ୟା ଉପୁଜିୁଥିବାର ବିଶେଷଜ୍ଞମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ତେଣୁ ଗର୍ଭଧାରଣ ହେବାଠୁ ପ୍ରସବ କରାଇବା ପର୍ଯ୍ୟନ୍ତ ଜଣେ ପ୍ରସୂତିର ଦୈନନ୍ଦିନ କାର୍ଯ୍ୟ, ଜୀବନଶୈଳୀ ଓ ପ୍ରତିଷେଧକ ଆଦି ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବା ସହ ଲେବର୍‌ ରୁମ୍‌ରେ ପ୍ରସୂତିଙ୍କୁ ଦେଖାଶୁଣା କରିବାରେ ନର୍ସିଂ ଅଫିସର୍‌ମାନଙ୍କ ବଡ଼ ଭୂମିକା ରହୁଛି । ଏଣୁ କିଭଳି ଭୂମିକା ନିର୍ବାହ କରିବାକୁ ପଡ଼ିବ ସେନେଇ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟଚିକିତ୍ସା କେନ୍ଦ୍ରରେ ନିୟୋଜିତ ଦକ୍ଷ ନର୍ସିଂ ଅଫିସର୍‌ମାନଙ୍କୁ ତାଲିମ୍‌ ଦିଆଯାଉଛି । 

ଏସ୍‌ସିବିରେ ମାଲକାନାଗିରି, ବଲାଙ୍ଗିର, କନ୍ଧମାଳ ଓ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲର ପ୍ରଥମ ବ୍ୟାଚ୍‌ରୁ ୩୦ ଜଣ ନର୍ସିଂ ଅଫିସର ୧୮ ମାସିଆ ଟ୍ରେନିଂ କୋର୍ସ ସାରି ଯିବା ପରେ ଆଉ ଦିନ କେଇଟା ପରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍ପିଟାଲ)ର ନର୍ସିଂ ଅଫିସର ସମେତ ଏସ୍‌ସିବି, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦୁଝର, ଜଗତସିଂହପୁର ଆଦି ଜିଲ୍ଲାରୁ ଗୋଟିଏ ବ୍ୟାଚ୍‌ରେ ୫ ଜଣ ଲେଖାଏଁ ନର୍ସିଂ ଅଫିସର ମୋଟ ୩୦ ଜଣ ଟ୍ରେନିଂ ପାଇଛନ୍ତି । ଦକ୍ଷତା ହାସଲ କରିଥିବା ସମ୍ପୃକ୍ତ ନର୍ସିଂ ଅଫିସର୍‌ମାନେ ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ଫେରି ଯାଉଥିଲେ ହେଁ ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଠିକ୍‌ ଭାବେ ବିନିଯୋଗ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି । ଷ୍ଟେଟ୍‌ ମିଡ୍‌ୱାଇଭସ୍‌ ଟ୍ରେନିଂ ସେଣ୍ଟର୍‌ ପ୍ରଥମେ ଏସ୍‌ସିବିରେ ଆରମ୍ଭ ହୋଇଥିଲା । ସେହିପରି ଏସ୍‌ସିବି ମେଡିକାଲର ପ୍ରସୂତି ବିଭାଗରେ ରାଜ୍ୟରେ ପ୍ରଥମେ ମିଡ୍‌ୱାଇଫ୍‌ ଲିଡ୍‌ କେୟାର ୟୁନିଟ୍‌ ସ୍ଥାପନ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏମ୍‌କେସିଜି ଓ ଭିମସାର୍‌ରେ ଉକ୍ତ ୟୁନିଟ୍‌ ସ୍ଥାପନ ହୋଇଥିଲା । ମାତ୍ର ଜିଲ୍ଲା ସ୍ତରରେ ମିଡ୍‌ୱାଇଫ୍‌ ଲିଡ୍‌ କେୟାର୍‌ ୟୁନିଟ୍‌ ସ୍ଥାପନରେ ବିଳମ୍ବ ହୋଇଛି । ଅନୁଧ୍ୟାନ ଥାଇ ମଧ୍ୟ ଅନେକ ସ୍ଥାନରେ ସ୍ଥାପନ ହୋଇପାରୁନାହିଁ । 

ସୂଚନାଯୋଗ୍ୟ, ହସ୍ପିଟାଲଗୁଡ଼ିକରେ ନର୍ମାଲ୍‌ ଡେଲିଭରି କରାଇବାରେ ଉଦ୍ୟମ ନକରି ହଠାତ୍‌ ସିଜିରିଆନ୍‌ ଡେଲିଭରି କରାଯାଉଛି । ବ୍ଲକ୍‌ ସ୍ତରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଜିରିଆନ୍‌ ଡେଲିଭରିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଆସନ୍ତାକାଲି ଅନ୍ତର୍ଜାତୀୟ (ଇଣ୍ଟର୍‌ନ୍ୟାସନାଲ୍‌) ମିଡ୍‌ୱାଇଭସ୍‌ ଦିବସ ପାଳନ ହେବ । ଏହି ଅବସରରେ ଏସ୍‌ସିବିରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଏସ୍‌ସି ନର୍ସିଂ କଲେଜରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ନର୍ମାଲ ଡେଲିଭରିରେ ନର୍ସିଂ ଅଫିସର୍‌ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବେ ବୋଲି ଧାର୍ଯ୍ୟ ହୋଇଛି ।