ନୂଆଦିଲ୍ଲୀ,୧୪।୬: ଏଆଇ ଡାଟା ସେଣ୍ଟର ଓ ହାଇପରଫରମାନ୍ସ କମ୍ପ୍ୟୁଟିଂର ବଢୁଥିବା ଆବଶ୍ୟକତା ଭିତରେ ସାରା ଦୁନିଆରେ ମେମୋରି ଚିପ୍ର ଆବଶ୍ୟକତା ଦୃତ ଗତିରେ ବଢିବାରେ ଲାଗିଛି। ଏହାକୁ ଦେଖି ଭାରତ ମଧ୍ୟ ସେମିକଣ୍ଡକ୍ଟର ଓ ମେମୋରି ଚିପ୍ ନିର୍ମାଣ କ୍ଷେତ୍ରରେ ବଡ଼ ନିବେଶ କରିବାର ପ୍ରସ୍ତୁତି କରୁଛି। କେନ୍ଦ୍ର ଇଲୋକ୍ଟେ୍ରାନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗାମୀ ସମୟରେ ଭାରତରେ ମେମୋରୀ ଚିପ୍ ନିର୍ମାଣ ସମ୍ପର୍କିତ ନୂଆ କମ୍ପାନୀ ନିବେଶ କରି ପାରିବେ, ସେଭଳି ପୂର୍ବରୁ ଥିବା କମ୍ପାନୀ ମଧ୍ୟ ନିଜ ପ୍ରଡକ୍ଟ ଉତ୍ପାଦନ କ୍ଷମତାକୁ ବଢାଇବା ଉପରେ କାମ କରିପାରିବ।

ମନ୍ତ୍ରୀଙ୍କ କହିବା ଅନୁସାରେ, ବିଶ୍ବ ସ୍ତରରେ ମେମୋରୀ ଚିପ୍‌ର ଆବଶ୍ୟକତା ଓ ଯୋଗାଣ ଭିତରେ ବଡ଼ ଧରଣର ପ୍ରାର୍ଥକ୍ୟ ଦେଖିବାକୁ ମିଳିଛି। ବିଶେଷ ଭାବରେ ଏଆଇ ଡାଟା ସେଣ୍ଟର, କ୍ଳାଉଡ୍ କମ୍ପ୍ୟୁଟିଂ, ସୁପର କମ୍ପ୍ୟୁଟର ଓ ହାଇ-ବ୍ୟାଣ୍ଡଓ୍ବିଡଥ୍ ମେମୋରି ଚିପ୍‌ର ଆବଶ୍ୟକତା ଉଦ୍ୟୋଗ ଜଗତ ଉପରେ ଚାପ ପକାଉଛି। ଏହି କାରଣରୁ ଗତ କିଛି ତ୍ରୟମାସିକରେ ମେମୋରି ଚିପ୍ର ଦାମ୍ ବି ଲଗାତାର ବଢିବାରେ ଲାଗିଛି। ଏହାର ପ୍ରଭାବ ସ୍ମାର୍ଟଫୋନ୍ ଓ ଅନ୍ୟ ଇଲୋକ୍ଟେ୍ରାନିକ୍ସ ଉପକରଣର ଉପରେ ବି ପଡିଛି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସେମି କଣ୍ଡକ୍ଟର ଉଦ୍ୟୋଗର ଇତିହାସରେ ପ୍ରଥମ ଥର କିଛି ବିଶେଷ ପ୍ରକାରର ମେମୋରି ଚିପ୍ର ଅଭାବ ଅନୁଭୂତ ହେଉଛି। ଏଆଇ ଆଧାରିତ ଟେକ୍ନୋଲୋଜିର ବିସ୍ତାର କାରଣରୁ ଡାଟା ପ୍ରୋସେସିଂ ଓ ଷ୍ଟୋରେଜର ଦାବି ରେକର୍ଡ ସ୍ତରରେ ପହଁଞ୍ଚିପାରେ। ଏଭଳି ସ୍ଥିତିରେ ସାରା ଦୁନିଆରେ କମ୍ପାନୀ ଗୁଡିକ ନୂଆ ଉତ୍ପାଦନ ୟୁନିଟ୍ ତିଆରି କରିବା ଓ ଥିବା ପ୍ଲାଣ୍ଟର ବିସ୍ତାର କରିବାରେ ଲାଗିଛନ୍ତି। ତାଙ୍କର କହିବା ଅନୁସାରେ, ହାଇ ବ୍ୟାଣ୍ଡଓ୍ବିଡଥ୍ ମେମୋରୀ ଚିପ ବ୍ୟବହାର ମୁଖ୍ୟ ରୂପରେ ଏଆଇ ସିଷ୍ଟମ, ଡାଟା ସେଣ୍ଟର, ସୁପର କମ୍ପ୍ୟୁଟର ଓ ଆଡଭାନ୍ସ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍‌ କରାଯାଏ। ବର୍ତ୍ତମାନ ଏହି ଚିପ୍‌ର ଆବଶ୍ୟକତା ଏତେ ଅଧିକ ଯେ, ବହୁ କମ୍ପାନୀ ନୂଆ ଫ୍ୟାକ୍ଟ୍ରି ଆରମ୍ଭ କରୁଛନ୍ତି।