ଆପଣମାନେ ଆଇ.ଓ.ଟି. ଶବ୍ଦକୁ ନେଇ ଅଳ୍ପ ଦ୍ୱନ୍ଦ୍ୱରେ ପଡ଼ିଥିବେ, ଆଉ ବୋଧହୁଏ ଆମ ଓଡ଼ିଆର "ଆଉଟିବା’ ଶବ୍ଦ ସହ ଯୋଡ଼ି ହୋଇଥିବେ । ପ୍ରକୃତରେ ଦୁଇଟିଯାକ ସମ୍ପୂର୍ଣ୍ଣ ଭିନ୍ନ । ଆଇ.ଓ.ଟି. ଏକ ଇଂରାଜୀ ଶବ୍ଦ ଯାହାକୁ ସମ୍ପ୍ରସାରଣ କରିଲେ "ଇଣ୍ଟରନେଟ ଅଫ୍ ଥିଙ୍ଗ୍ସ’ ବୋଲି ଅଭିହିତ ହେବ ଓ ପରିବେଶ ପରିଚାଳନାରେ ବହୁ ଉପଯୋଗୀ ମଧ୍ୟ । ଆଇ.ଓ.ଟି. ଗୋଟିଏ ସ୍ମାର୍ଟ ପଦ୍ଧତି । ଯେପରି ଗୋଟିଏ ସମାଜ ଏକ ମନ ଓ ଲକ୍ଷ୍ୟ ନେଇ ଉଚିତ କାର୍ଯ୍ୟ ପାଇଁ ସଂଗଠିତ ହୋଇଥାଏ, ସେହିପରି ଯଦି କିଛି ବସ୍ତୁକୁ ଯୋଡ଼ି ଦିଆଯାଏ, ତେବେ ଆଇ.ଓ.ଟି. ରେ କିଛି ବସ୍ତୁ ଯଥା- ସେନ୍ସର, କମ୍ପୁଟର ତଥା ଅନ୍ୟାନ୍ୟ ନିରୀକ୍ଷଣ, ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ କରିବା ଯନ୍ତ୍ରକୁ ପରସ୍ପର ସହ ଇଣ୍ଟରନେଟ ମାଧ୍ୟମରେ ଯୋଡ଼ି ଦିଆଯାଏ ଏବଂ ସେହି ଯନ୍ତ୍ରସବୁ ନିଜ ସ୍ଥାନରେ ତଥ୍ୟର ସଂଗ୍ରହ, ସଂରକ୍ଷଣ, ବିଶ୍ଳେଷଣ କରି ଅନ୍ୟ ଆଡ଼କୁ ପଠାନ୍ତି ତଥା ନିଜ ସ୍ଥାନରେ ମଧ୍ୟ ପ୍ରଦର୍ଶନ କରନ୍ତି । ଏହି ତଥ୍ୟ ସମ୍ପୂର୍ଣ୍ଣରୂପେ ପରିବେଶର ସଂରକ୍ଷଣ ନିମିତ୍ତ ଉଦ୍ଦିଷ୍ଟ । ଏହାଦ୍ୱାରା ପ୍ରାକୃତିକ ସମ୍ବଳର କ୍ରମାଗତ ନିରୀକ୍ଷଣ ସହ ପୂର୍ବ ସତର୍କତାମୂଳକ ପଦକ୍ଷେପଗୁଡ଼ିକ ନେଇହୁଏ, ଯଦ୍ଦ୍ୱାରା ନେଡ଼ି ଗୁଡ଼ ଆଉ କହୁଣୀକୁ ବହେନାହିଁ ଏବଂ ସମୟ ଥାଉଁ ଥାଉଁ ଯଥେଷ୍ଟ ପ୍ରତିକାର ମଧ୍ୟ କରିହୁଏ ।
ଆଇ.ଓ.ଟି.ରେ ସେନ୍ସର ଦ୍ୱାରା ତାପମାତ୍ରା, ଆର୍ଦ୍ରତା, ଶବ୍ଦ ଆଦିର ଗୁଣାତ୍ମକ ଓ ପରିମାଣାତ୍ମକ ତଥ୍ୟ ନିର୍ଣ୍ଣୟ କରିହୁଏ । ଏହାପରେ ତଥ୍ୟକୁ ସଂଯୋଗୀକୃତ ନେଟୱାର୍କ ମାଧ୍ୟମରେ ଆଗକୁ ପଠାହୁଏ ଯାହାର ବିଶ୍ଳେଷଣ ହୁଏ । ଏହାପରେ ତଥ୍ୟର ସଂରକ୍ଷଣ ସହ ପ୍ରଦର୍ଶନ ମଧ୍ୟ ହୁଏ । ଏହି ତଥ୍ୟ ପରବର୍ତ୍ତୀ ସମୟରେ ସୂଚନାରେ ରୂପାନ୍ତର ହୁଏ, ଯାହାର ଆଧାରରେ ଉପଯୁକ୍ତ ପରିବେଶର ସଂରକ୍ଷଣ ପାଇଁ ପଦକ୍ଷେପ ନେଇହୁଏ । କିନ୍ତୁ ଆଇ.ଓ.ଟି. କାହିଁକି? କାରଣ, ବର୍ତ୍ତମାନ ସୁଦ୍ଧା ଯେଉଁ ଭାବରେ ପରିବେଶୀୟ ତଥ୍ୟ ସଂଗ୍ରହ ହେଉଛି ତାହା ସ୍ୱଳ୍ପ, ବିଳମ୍ବିତ ହୁଏତ ସାପ୍ତାହିକ କିମ୍ବା ମାସିକ ଏବଂ ଘଟିଗଲା ପରେ ତଥ୍ୟ ହାସଲ ହୁଏ ତଥା ଏହାର ପରିଚାଳନା ଖର୍ଚ୍ଚ ମଧ୍ୟ ଅଧିକ । ଅପରପକ୍ଷରେ ଆଇ.ଓ.ଟି. ମାଧ୍ୟମରେ ତଥ୍ୟ ସଂଗ୍ରହ ଘନ, ତୁରନ୍ତ, କ୍ରମାଗତ, ଭବିଷ୍ୟତର ଆକଳନ ସ୍ୱଳ୍ପ ଖର୍ଚ୍ଚରେ ହୁଏ ।
ଦଶନ୍ଧି ଦଶନ୍ଧି ଧରି ପରିବେଶ ପରିଚାଳନା ଦୁର୍ବଳ ନିରୀକ୍ଷଣ ପଦ୍ଧତି ଉପରେ ନିର୍ଭର କରିଆସୁଥିଲା । ବାୟୁର ମାନକ କେବଳ ବଡ଼ ସହରରେ, ନଦୀର ପାଣି କ୍ୱଚିତ ଭାବରେ, ଜଙ୍ଗଲର ସର୍ଭେ ଅନିୟମିତାରେ, ଶବ୍ଦ ଆଉ ମୃତ୍ତିକା ସର୍ଭେ କେବଳ ଆବଶ୍ୟକ ସ୍ଥଳେ ହେଉଥିଲା । ପ୍ରାକୃତିକ ବିପତ୍ତିର ବିଭୀଷିକା ଘଟଣାର ପରେ ହିଁ ଅନୁଭବ ହୋଇପାରୁଥିଲା । ତେଣୁ ଏହାକୁ "ପରିବେଶୀୟ ଅନ୍ଧତ୍ୱ’ ବୋଲି କୁହାଯାଉଥିଲା । କିନ୍ତୁ ଆଇ.ଓ.ଟି. ସବୁ ସମୟରେ କ୍ରମାଗତ ଭାବରେ ଅପରପକ୍ଷରେ ନଜର ରଖିଆସୁଛି । ବାୟୁ ପ୍ରଦୂଷଣ ପ୍ରକୃତରେ ଅଦୃଶ୍ୟ ଘାତକ । ଆମେ ଯାହା ଅନୁଭବ କରୁ ତାହା ବାସ୍ତବଠାରୁ ବହୁତ କମ୍ । ସୁତରାଂ, ବାୟୁ ପ୍ରଦୂଷଣର ସମସ୍ତ ମାନ ଯେପରିକି ଛୋଟ ଧୂଳିକଣା, କାର୍ବନ, ନାଇଟ୍ରୋଜେନ, ସଲଫର ଯୌଗିକ ଅଣୁ ସବୁ ଆମର ଦୃଷ୍ଟିଗୋଚର ହୁଏନାହିଁ । ବାୟୁ ପ୍ରଦୂଷଣ ମାନର ତଥ୍ୟ ଆଗରୁ କେବଳ ବଡ଼ ସହରମାନଙ୍କରେ ଅନିୟମିତ ଭାବରେ ସଂଗୃହୀତ ହେଉଥିଲା । ତେଣୁ ଛୋଟ ସହର ଏହି ବାୟୁର ମାନ ଜାଣିବାରେ ଅଗୋଚର ଥିଲେ ତଥା ବଡ଼ ସହର ବି କ୍ରମାଗତ ଭାବରେ ଏହି ତଥ୍ୟ ସଂଗ୍ରହ ନକରିବା ହେତୁ ଏକ ପୂର୍ଣ୍ଣାଙ୍ଗ ତଥ୍ୟ ବିଶ୍ଳେଷଣ କରିନପାରି ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚି ପାରୁନଥିଲେ । କିନ୍ତୁ ଆଇ.ଓ.ଟି. ମାଧ୍ୟମରେ ସର୍ବଦା କ୍ରମାଗତ ତଥ୍ୟ ଦ୍ୱାରା ବାୟୁ ପ୍ରଦୂଷଣର ମୁଖ୍ୟ କେନ୍ଦ୍ର ସବୁ ଜଣାପଡ଼ୁଛି ତଥା ଏହାର କାରଣ ମଧ୍ୟ ଲିପିବଦ୍ଧ ହୋଇପାରୁଛି । ଏହା ସହ ଏହି ତଥ୍ୟ ଜନସାଧାରଣଙ୍କ ଗୋଚରରେ ରହିବା ଦ୍ୱାରା ସହରରେ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ମଧ୍ୟ ମିଳୁଛି । ଯାନବାହନ ନିୟନ୍ତ୍ରଣ ଏବଂ ଶିଳ୍ପରୁ ନିର୍ଗତ ଧୂଆଁକୁ ମଧ୍ୟ ଆୟତ୍ତ କରିହେଉଛି ।
ଓଡ଼ିଶାରେ ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା, ପୁରୀ, ବ୍ରହ୍ମପୁର ଆଦି ସହରର ବାୟୁ ପ୍ରଦୂଷଣ ତଥା ରାଉରକେଲା, ଅନୁଗୁଳ, ତାଳଚେର, କଳିଙ୍ଗ ନଗର, ବ୍ରଜରାଜନଗର ଏବଂ ରାୟଗଡାରେ ଶିଳ୍ପାୟନଜନିତ ବାୟୁ ପ୍ରଦୂଷଣ ମାତ୍ରା ମାପିବା ପାଇଁ ଆଇ.ଓ.ଟି.ର ବ୍ୟବହାର ହେଉଛି । ସେହିପରି ଭୁବନେଶ୍ୱର ସହରରେ ପାୱାର ହାଉସ, ଡମଣା, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, କଳ୍ପନା, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀ ବିହାର, ଫାୟାର ଷ୍ଟେସନ, ଖଣ୍ଡଗିରି, ସିଆରପି ଆଦି ଘନ ଟ୍ରାଫିକ ଥିବା ଛକମାନଙ୍କରେ ଆଇ.ଓ.ଟି. ପର୍ଯ୍ୟବେସିତ ବାୟୁର ମାନ ପ୍ରଦର୍ଶନ ବୋର୍ଡ ସବୁ ଅଛି ଏବଂ ଏହା ସର୍ବଦା ବାୟୁର ମାନକୁ ଅହରହ ପ୍ରଦର୍ଶନ କରୁଛି । ଏହା ମଧ୍ୟ ସ୍ୱାର୍ଟ ସିଟି ସୂଚନା ଭିତ୍ତିଭୂମି ତଥା ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ସେହିପରି ପାଣିର ଅଭାବ ତଥା ପ୍ରଦୂଷଣ ଆଗକୁ ଏକ ଭୟାବହ ସମସ୍ୟା ସୃଷ୍ଟି କରିବ । ଆଇ.ଓ.ଟି. ବାସ୍ତବଧର୍ମୀ ତଥ୍ୟ ଯୋଗାଇ ସମନ୍ୱିତ ଜଳ ପରିଚାଳନାକୁ ସହାୟକ ହୁଏ ।
ଆଇ.ଓ.ଟି. ପଦ୍ଧତିରେ ସେନ୍ସର ନଦୀ, ହ୍ରଦ, ଉପକୂଳ ତଥା ଅନ୍ୟାନ୍ୟ ଜଳଉତ୍ସକୁ କ୍ରମାଗତ ଭାବରେ ନିରୀକ୍ଷଣ କରୁଥାଏ ଯଦ୍ଦ୍ୱାରା ଜଳର ମାନ ଯଥେଷ୍ଟ ପୂର୍ବରୁ ଜାଣିହୁଏ ଏବଂ ସମ୍ଭାବ୍ୟ ପରିସଂସ୍ଥାନୀୟ କ୍ଷୟକ୍ଷତି ସହ ସର୍ବସାଧାରଣ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଅଚିରେ ରୋକିହୁଏ । ସହରରେ ଜଳ ଯୋଗାଣରେ ଅପଚୟ, ପମ୍ପଗୁଡ଼ିକର ଚାଲିବା ସମୟ ଏବଂ ଭରସାକୁ ମଧ୍ୟ ଆଇ.ଓ.ଟି. ମାଧ୍ୟମରେ ପରିଚାଳନା କରିହୁଏ । ସେହିପରି ଆଇ.ଓ.ଟି.ରେ ପିଜାମିଟର ଦ୍ୱାରା ଭୂଜଳର ସ୍ତର, ଗୁଣବତ୍ତା, ନିଷ୍କାସନ ନିୟନ୍ତ୍ରଣ ସହ ଭୂଗର୍ଭ ଜଳଭଣ୍ଡାର ପୁନର୍ଭରଣ ରଣନୀତି ତିଆରି କରିହୁଏ । କୃଷିରେ ଆଇ.ଓ.ଟି. ଆହୁରି ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରେ । ମୃତ୍ତିକାର ଆର୍ଦ୍ରତା ଅନୁଯାୟୀ ଜଳସିଞ୍ଚନ, ପୋଷଣତତ୍ତ୍ୱ ଅନୁଯାୟୀ ଖତସାର ପ୍ରୟୋଗ, ମୃତ୍ତିକାର ସୂକ୍ଷ୍ମ ପରିବେଶର ନିରୀକ୍ଷଣ ତଥା ସର୍ବୋପରି ଜଳ, ଶକ୍ତି ଏବଂ ପୋଷଣତତ୍ତ୍ୱର ନିୟନ୍ତ୍ରଣ କରିଥାଏ । ସୂଚନାଯୋଗ୍ୟ, ଏଠାରେ ଆଇ.ଓ.ଟି.ର ଯନ୍ତ୍ରସବୁ କୃଷକର ସ୍ଥାନ ଗ୍ରହଣ କରୁନାହାଁନ୍ତି ବରଂ କୃଷକର ପାରମ୍ପରିକ ଜ୍ଞାନକୁ ସହାୟତା କରୁଛନ୍ତି । ଯେଉଁଠି ଜଣେ କୃଷକ ଖତସାର ଅନାବଶ୍ୟକ ଭାବରେ ପକାଉଥିଲା ଏବଂ ତାହାଦ୍ୱାରା ଅତ୍ୟଧିକ ପୋଷଣ, ଜଳ ଅପଚୟ ହିଁ ହେଉଥିଲା, ଆଇ.ଓ.ଟି. ମାଧ୍ୟମରେ ଯେତିକି ଆବଶ୍ୟକ ସେତିକି ହିଁ ସେ ପ୍ରୟୋଗ କରିବ । କୃଷକଟିଏ ଅଯଥା ଖର୍ଚ୍ଚାନ୍ତ ହେବନି ତଥା ଜମି ନଷ୍ଟ ହେବାରୁ ମଧ୍ୟ ବଞ୍ଚିଯିବ ।
ଜଙ୍ଗଲ ସୁରକ୍ଷାରେ ଆଇ.ଓ.ଟି.ର ଅନୁରୂପ ଅବଦାନ ପ୍ରତିଫଳିତ ହୁଏ । ଜଙ୍ଗଲର ନିଆଁକୁ ଆଇ.ଓ.ଟି.ର ଉତ୍ତାପ ଏବଂ ଧୂଆଁ ସେନ୍ସର ଜାଣିପାରେ । ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ ବା ଜିପିଏସ୍ ଲାଗିଥିବା ବନ୍ୟଜନ୍ତୁମାନଙ୍କ ବେକର ପଟି ଦ୍ୱାରା ସେମାନଙ୍କ ସ୍ଥାନାନ୍ତରଣ ଜାଣିହୁଏ, ସେମାନଙ୍କ ବୋବେଇବା ବା ଗର୍ଜନ ଦ୍ୱାରା ପ୍ରଜାତି ନିର୍ଣ୍ଣୟ କରିହୁଏ ଏବଂ ଅନୁରୂପେ କାଠଚୋରି ତଥା ଜଙ୍ଗଲରେ ଜବରଦଖଲ ଖବର ମଧ୍ୟ ଜାଣିହୁଏ । ସହରର ପାରମ୍ପରିକ ବର୍ଜ୍ୟ ପରିଚାଳନା ପ୍ରକୃତପକ୍ଷେ ଅପାରଗତା ମଧ୍ୟରେ ଗତିକରେ । ଡଷ୍ଟବିନଗୁଡ଼ିକ ସଦା ମଇଳାରେ ଉଛୁଳୁଥାଏ । ଅଳିଆ ନେବାର ମାର୍ଗ ମଧ୍ୟ ଅନିଶ୍ଚିତ ଏବଂ ଆବର୍ଜନାର ଡମ୍ପିଂୟାର୍ଡରେ କୌଣସି ବର୍ଜ୍ୟର ପୃଥକୀକରଣ ହୋଇନଥାଏ । ଆଇ.ଓ.ଟି. ଯୋଗୁଁ ସ୍ମାର୍ଟ ବିନ୍ ବାକ୍ସର ଭର୍ତ୍ତି, ଜୈବିକ ଓ ଅଜୈବିକ ଆବର୍ଜନା ସ୍ତର ଜଣାଇଥାଏ । ଜିପିଏସ ମାଧ୍ୟମରେ ଆବର୍ଜନାବାହୀ ଗାଡ଼ିଗୁଡ଼ିକରେ ଉପଯୁକ୍ତ ମାର୍ଗର ନିର୍ଦ୍ଧାରଣ ସମ୍ଭବ ହୁଏ । ତେଣୁ ସ୍ମାର୍ଟ ବିନ୍ର ତଥ୍ୟ ବର୍ଜ୍ୟବସ୍ତୁର ପୁନଃଚକ୍ରୀକରଣ ସମ୍ଭାବନାକୁ ସୂଚାଏ । ଆଇ.ଓ.ଟି. ଯୋଗୁଁ ସମୟାନୁଯାୟୀ ସହରଗୁଡ଼ିକ କେବଳ ଆବର୍ଜନା ନିଷ୍କାସନର ସ୍ଥାନ ପରିବର୍ତ୍ତେ ପ୍ରତ୍ୟାବର୍ତ୍ତନ ଅର୍ଥନୀତିର ସ୍ଥାନ ରୂପେ ପ୍ରତିପାଦିତ ହୋଇପାରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ସ୍ମାର୍ଟ ସିଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ଉପରୋକ୍ତ କାର୍ଯ୍ୟକ୍ରମ ପାଳନ ହେଉଛି । ତତ୍ସହିତ, ନାଗରିକ ଅଭିଯୋଗ ପ୍ଲାଟଫର୍ମ ମାଧ୍ୟମରେ ସହରରେ ଆବର୍ଜନା ସଂଗ୍ରହକୁ ଅଧିକ କାର୍ଯ୍ୟକ୍ଷମ, ପାରଦର୍ଶୀ ଏବଂ ସମୟୋପଯାଗୀ କରାଯାଉଛି । ଜଳବାୟୁ ପରିବର୍ତ୍ତନରେ ଆଇ.ଓ.ଟି.ର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦିଓ ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରୀୟ, ସ୍ଥାନୀୟ ତଥ୍ୟର ସମାହାରରେ ସମୁଦାୟ ପୃଥିବୀର ଗ୍ୟାସ ନିର୍ଗମନ ତଥ୍ୟ ଯୋଗୁଁ ଉପଯୁକ୍ତ ପଦକ୍ଷେପ ନିଆଯାଇପାରୁଛି । ବନ୍ୟା, ବାତ୍ୟା, ଉଷ୍ମପ୍ରବାହ ଆଦି ବିପର୍ଯ୍ୟୟ ତଥ୍ୟ ଯୋଗୁଁ ଜଳବାୟୁ ମଡେଲ୍ ଦ୍ୱାରା ପୂର୍ବାନୁମାନ କରିବା ସମ୍ଭବ ହୁଏ ଏବଂ ଧନଜୀବନ ବଞ୍ଚେଇହୁଏ । ତେଣୁ ଆଇ.ଓ.ଟି. ଜଳବାୟୁ ବିଜ୍ଞାନ ଓ କ୍ଷେତ୍ରସ୍ତରର ପଦକ୍ଷେପର ଯୋଗସୂତ୍ର ସ୍ଥାପନ କରେ ।
ତଥ୍ୟ ସେନ୍ସର ଦ୍ୱାରା ସଂଗ୍ରହ ହେଲାପରେ ନେଟୱାର୍କ ମାଧ୍ୟମରେ ଯାଇ ଗୋଟିଏ ସ୍ଥାନରେ ପହଞ୍ଚେ ଏବଂ ବଛାବଛି ହେବାପରେ ସେଠାରେ ସୁରକ୍ଷିତ ରହିବା ସହ ପ୍ରକ୍ରିୟାକରଣ ମଧ୍ୟ ହୁଏ । ପ୍ରକ୍ରିୟାକୃତ ତଥ୍ୟ ସିଧାସଳଖ ହେଉ ବା ଗ୍ରାଫ ମାଧ୍ୟମରେ ବୋର୍ଡ଼ରେ ଦେଖାଯାଏ, ଯାହା ସୁରକ୍ଷା ପାଇଁ କିମ୍ବା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ନେବାରେ ସହାୟକ ହୁଏ । ଆଇ.ଓ.ଟି. ପ୍ରକୃତପକ୍ଷେ ଚ୍ୟାଲେଞ୍ଜମୁକ୍ତ ନୁହଁ । ତଥ୍ୟର ବିଶ୍ୱସନୀୟତା ଏବଂ ସେନ୍ସରର କ୍ୟାଲିବ୍ରେସନ, ପ୍ରତିଷ୍ଠାନର ପ୍ରାୟୋଗିକ ଦକ୍ଷତା, ଭିନ୍ନ ପ୍ଲାଟଫର୍ମମାନଙ୍କ ମଧ୍ୟରେ ପରସ୍ପର ସଂଗତି ତଥା ତଥ୍ୟ ପରିଚାଳନା ଏବଂ ଗୋପନୀୟତା ଚିନ୍ତା ଆଦି ମୁଖ୍ୟ ଚ୍ୟାଲେଞ୍ଜ ଅନ୍ତର୍ଭୁକ୍ତ । ଲାଭ ଅନୁପାତରେ ଏହା ମୁଖ୍ୟ ନୁହଁ ବରଂ ଗୌଣ । ଆଜିପର୍ଯ୍ୟନ୍ତ ଭାରତର ଅନୁଭବ ଦର୍ଶାଏ ଯେ ଆଇ.ଓ.ଟି. ପ୍ରମୁଖ ଭାବରେ ନିରୀକ୍ଷଣ, କାର୍ଯ୍ୟକ୍ଷମତା ଏବଂ ପରିବେଶୀୟ ସହନଶୀଳତାକୁ ବଢ଼ାଇଥାଏ । ତେଣୁ ଅନୁରୂପ ପୁଞ୍ଜିନିବେଶ, ସାଙ୍ଗଠନିକ ସଶକ୍ତିକରଣ ଏବଂ ସାମଗ୍ରିକ ଶାସନ ଦ୍ୱାରା ଆଇ.ଓ.ଟି.ର ପୂର୍ଣ୍ଣ କଳେବର ମାଧ୍ୟମରେ ଚିରସ୍ଥାୟୀ ବିକାଶ ସମ୍ଭବ ହେବ ନିଶ୍ଚୟ ।