ଲଗାତର ଦ୍ବିତୀୟ ଥର ପାଇଁ ଫାଇନାଲରେ ଗୁଜରାଟ; ରବିବାର ଚେନ୍ନାଇ ସହ ଅନ୍ତିମ ମୁକାବିଲା

Image Courtesy: IPL twitter
ଅହମ୍ମଦାବାଦ: କ୍ରମାଗତ ଦ୍ଵିତୀୟ ଥର ଫାଇନାଲ୍ରେ ପହଞ୍ଚିଛି ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ଟାଇଟନ୍ସ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍ରେ ଶୁଭମନ ଗିଲ୍ଙ୍କ ଶତକ ଏବଂ ମୋହିତ ଶର୍ମାଙ୍କ ଶାଣିତ ବୋଲିଂ ବଳରେ ଗୁଜରାଟ୍ ୬୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଫାଇନାଲ୍ରେ ଏବେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ୍ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ୍ ଶୁଭମନ ଗିଲ୍ଙ୍କ ଦମଦାର ୧୨୯ ରନର ଇନିଂସ ବଳରେ ୩ ଓ୍ଵିକେଟ୍ ହରାଇ ୨୩୩ ରନ କରିଥିଲା। ସାଇ ସୁଦର୍ଶନ ୪୩ ରନର ଇନିଂସ ଖେଳିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮.୨ ଓଭରରେ ୧୭୧ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୬୧ ରନ, ତିଳକ ବର୍ମା ୪୩ ଏବଂ କ୍ୟାମେରୁନ ଗ୍ରୀନ ୩୦ ରନ କରିଥିଲେ। ଗୁଜରାଟ୍ ପକ୍ଷରୁ ମୋହିତ ଶର୍ମା ୧୦ ରନରେ ୫ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
୨୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଖରାପ ଥିଲା। ରୋହିତଙ୍କ ସହ ପ୍ରଥମ ଥର ଓପନିଂ କରିଥିବା ନେହଲ ଓ୍ଵଧେରା(୪) ଆଉଟ୍ ହୋଇଥିଲେ। ହେଲେ ଅଧିନାୟକ ରୋହିତ ଶର୍ମା ନିଜର ଖରାପ ଫର୍ମ ବଜାୟ ରଖି ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଏବଂ ସୂର୍ଯ୍ୟକୁମାର ଯାଦବ ତୃତୀୟ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ହେଲେ ତିଳକ ବର୍ମା ଆଉଟ୍ ହେବା ମୁମ୍ବାଇକୁ ବଡ଼ ଝଟକା ଦେଇଥିଲା। ସେ ୧୪ ବଲ୍ରୁ ୫ ଚୌକା ଏବଂ ୩ ଛକା ସହ ୪୩ ରନ କରିଥିଲେ। ପୁଣି ସୂର୍ଯ୍ୟ ଏବଂ କ୍ୟାମେରୁନ ଗ୍ରୀନ ଦ୍ରୁତ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ିଥିଲେ। ଗ୍ରୀନ (୩୦ ରନ) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ମୁମ୍ବାଇ ଇଣ୍ଡିଆନ୍ସର ଫାଇନାଲ୍ ଖେଳିବା ସ୍ଵପ୍ନ ଧୂଳିସାତ କରିଥିଲା।
କ୍ରିଜରେ ଜମି ରହିଥିବା ସୂର୍ଯ୍ୟ ୩୮ ବଲ୍ରୁ ୭ ଚୌକା ଏବଂ ୨ ଛକା ସହ ୬୧ ରନରେ ଆଉଟ୍ ହୋଇଥିଲେ। ଏହା ପରେ ମୁମ୍ବାଇ ଇନିଂସ ଦିଗହରା ହୋଇ ପଡ଼ିଥିଲା। ନିମ୍ନକ୍ରମରେ ଗୁଜରାଟ୍ ବୋଲର ମୋହିତ ଶର୍ମା ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଶେଷରେ ମୁମ୍ବାଇ ୧୮.୨ ଓଭରରେ ୧୭୧ ରନରେ ଅଲଆଉଟ୍ ହୋଇ ୬୨ ରନରେ ପରାଜିତ ହୋଇଛି। ଗୁଜରାଟ୍ ପକ୍ଷରୁ ମୋହିତ ଶର୍ମା ଘାତକ ବୋଲିଂ କରି ମାତ୍ର ୧୦ ରନ ଦେଇ ୫ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରଶିଦ ଖାନ ଏବଂ ମହମ୍ମଦ ଶାମି ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।