ନୂଆଦିଲ୍ଲୀ, ୧୭|୦୫: ସଂଧ୍ୟାରେ ଆଇପିଏଲ୍ର ୬୨ତମ ଲିଗ୍ ମୁକାବିଲା ଖେଳାଯିବ । ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଦିଲ୍ଲୀ ଏହି ମ୍ୟାଚ୍ ଜିତି ପ୍ଲେ- ଅଫ୍ ଆଶା ଉଜ୍ଜୀବିତ ରଖିବ । ପରାଜିତ ହେଲେ ବିଦାୟ ନେବ । ରାଜସ୍ଥାନ ୧୧ଟି ମ୍ୟାଚ ଖେଳି ୧୨ ପଏଣ୍ଟ ଅର୍ଜନ କରି ସାରିଛି । ଶେଷ ଦୁଇଟି ମ୍ୟାଚରେ ଯଥାକ୍ରମେ ଦିଲ୍ଲୀ ଓ ଗୁଜରାଟ ଠାରୁ ପରାଜିତ ହୋଇଥିବା ରାଜସ୍ଥାନ ପାଇଁ ମଧ୍ୟ ବିଜୟ ଜରୁରି ହୋଇ ପଡ଼ିଛି ।
ଗୁଜରାଟ ବିପକ୍ଷ ମ୍ୟାଚରେ ଯଶସ୍ୱୀ ଜୈସ୍ୱାଲ୍ ନେତୃତ୍ୱ ନେଇଥିଲେ । ରିୟାନ ପରାଗ ଆହତ ଥିବାରୁ ଖେଳି ପାରିନଥିଲେ । ଆଜି ମଧ୍ୟ ତାଙ୍କ ଖେଳିବା ନେଇ ଆଶଙ୍କା ରହିଛି । ଅବଶ୍ୟ ସେ ଅଭ୍ୟାସ ଜାରି ରଖିଛନ୍ତି । ଆଜିର ମ୍ୟାଚରେ ମିଚେଲ ଷ୍ଟାର୍କ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିପାରେ । ଚଳିତ ସିଜନରେ ବୈଭବ ବିଶ୍ୱର ସବୁ ପେସ୍ ବୋଲର ଯଶପ୍ରୀତ ବୁମରା, ଜୋସ ହାଜେଲଉଡ୍, ପ୍ୟାଟ୍ କମିନ୍ସ, ଟ୍ରେଣ୍ଟ ବୋଲ୍ଟଙ୍କୁ ନିର୍ମମ ପ୍ରହାର କରିସାରିଛନ୍ତି । କେବଳ ପାୱାର ପ୍ଲେରେ ସେ ସର୍ବାଧିକ ୩୦ଟି ଛକା ମାରି ସାରିଛନ୍ତି । ଦିଲ୍ଲୀ ପେସ୍ ବୋଲର ମୁକେଶ କୁମାର ଇତି ମଧ୍ୟରେ ୬ଜଣ ବାମ ହାତି ବ୍ୟାଟରଙ୍କୁ ଆଉଟ୍ କରି ସାରିଛନ୍ତି । ଆଜି ତାଙ୍କୁ ବୈଭବ ଓ ଜୈସ୍ୱାଲଙ୍କ ବିପକ୍ଷରେ ବୋଲିଂ କରାଇବାକୁ ଦିଲ୍ଲୀ ଗୁରୁତ୍ୱ ଦେବ । କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ୍ ଖେଳା ଯାଉଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ମାତ୍ର ଏହି ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଶେଷ ୪ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଛନ୍ତି ।
ସମ୍ଭାବ୍ୟ ଦିଲ୍ଲୀ ଟିମ୍: ଅଭିଷେକ ପୋରେଲ, କେଏଲ ରାହୁଲ, ସାହିଲ ପରଖ, ଡେଭିଡ ମିଲର, ଆଶୁତୋଷ ଶର୍ମା, ଅକ୍ଷର ପଟେଲ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ମାଧବ ତିୱାରୀ, କୁଲଦୀପ ଯାଦବ, ମିଚେଲ ଷ୍ଟାର୍କ, ଲୁଙ୍ଗି ଏନଗିଡ଼ି, ମୁକେଶ କୁମାର ।
ସମ୍ଭାବ୍ୟ ରାଜସ୍ଥାନ ଟିମ୍: ଯଶସ୍ୱୀ ଜୈସ୍ୱାଲ୍, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ(ଅଧିନାୟକ), ଡୋନୋଭାନ ଫେରେରା, ଶୁଭମ ଦୁବେ, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ରବି ବିଷ୍ଣୋଇ/ୟଶରାଜ ପୁଞ୍ଜା, ନାନ୍ଦ୍ରେ ବର୍ଗର, ବ୍ରିଜେଶ ଶର୍ମା, ତୁଷାର ଦେଶପାଣ୍ଡେ ।
ଅଧିକ ପଢ଼ନ୍ତୁ- KKR VS GT: କୋଲକାତାରେ କାହିଁକି ବୁଡ଼ିଲା ଗୁଜରାଟ ଟାଇଟନ୍ସ ? ଆସିଷ୍ଟାଣ୍ଡ କୋଚ୍ ଖୋଲିଲେ ସିକ୍ରେଟ୍