କୋଲକାତା,୧୯/୦୪: ଚଳିତ ଆଇପିଏଲ୍‌ର ୨୮ତମ ଲିଗ୍ ମ୍ୟାଚରେ କୋଲକାତା ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନକୁ ଭେଟିବ । ଇତି ମଧ୍ୟରେ ୬ଟି ମ୍ୟାଚ ଖେଳି ୧ ପଏଣ୍ଟ ଅର୍ଜନ କରିଥିବା କୋଲକାତା ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଗୋଟିଏ ପରାଜୟ ଦଳକୁ ବିଦାୟ ରାସ୍ତା ଦେଖାଇ ପାରେ । ରାଜସ୍ଥାନ ପ୍ରଥମ ୪ଟି ଯାକ ମ୍ୟାଚ ଜିତିବା ପରେ ପଞ୍ଚମ ମ୍ୟାଚରେ ହାଇଦ୍ରାବାଦ ଠାରୁ ପରାଜିତ ହୋଇଥିଲା । ରିୟାନ ପରାଗଙ୍କ ଦଳ ପୁଣିଥରେ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।

ପୂର୍ବ ରେକର୍ଡ କୋଲକାତା ପକ୍ଷରେ ରହିଥିଲେ ହେଁ ଚଳିତ ସିଜନର ପ୍ରଦର୍ଶନ ସମ୍ପୂର୍ଣ୍ଣ ଓଲଟା । ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ କୋଲକାତା ୧୬ଟି ମ୍ୟାଚ ଜିତିଥିବାବେଳେ ୧୪ଟି ମ୍ୟାଚରେ ପରାଜିତ ହୋଇଛି । ଗତ ବର୍ଷ କୋଲକାତା ୨ଟି ଯାକ ମ୍ୟାଚରେ ରାଜସ୍ଥାନକୁ ହରାଇଥିଲା । ଚଳିତ ବର୍ଷ କୋଲକାତାର ପ୍ରଦର୍ଶନ ଦୟନୀୟ ରହିଛି ।

ଅଧିକ ପଢ଼ନ୍ତୁ :-  ଚେନ୍ନାଇକୁ ୧୦ ରନରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ ବିପକ୍ଷରେ କରିଥିବା ଛୋଟ ମୋଟ ତ୍ରୁଟି ସୁଧାରି ରାଜସ୍ଥାନ ପୁଣି ଥରେ ଦଳଗତ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି । କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । ଯଶପ୍ରୀତ ବୁମରା, ଜୋସ ହାଜେଲଉଡଙ୍କ ଭଳି ବୋଳରଙ୍କୁ ଛକା ମାରି ସାରିଥିବା ବୈଭବ ଆଜି କୋଲକାତାର ଲୟଚ୍ୟୁତ ବୋଲିଂକୁ ନିମର୍ମ ପ୍ରହାର କରିବା ଆଶା କରାଯାଉଛି ।

ଇଡେନ ଗାର୍ଡେନ୍ସ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଅପରାହ୍ଣରେ ମ୍ୟାଚ ରହିଥିବାରୁ ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ରାଜସ୍ଥାନ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ (ଅଧିନାୟକ), ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ରବି ବିଷ୍ଣୋଇ, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ, ସନ୍ଦିପ ଶର୍ମା ।

କୋଲକାତା: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଟିମ ସାଇଫର୍ଟ, ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରୋଭମାନ ପାୱେଲ, ରିଙ୍କୁ ସିଂହ, ଅନୁକୂଳ ରୟ, ରମଣଦୀପ ସିଂହ, ସୁନୀଲ ନାରାଏନ, କାର୍ତ୍ତିକ ତ୍ୟାଗୀ, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ।