ମୁଲନପୁର,୨୯/୦୫: ଚଳିତ ଆଇପିଏଲ୍‌ରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଖେଳାଯିବ । ପ୍ରଥମ କ୍ୱାଲିଫାୟରରେ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇଥିବା ଗୁଜରାଟ ଏଲିମିନେଟର ମୁକାବିଲାର ବିଜେତା ରାଜସ୍ଥାନକୁ ଭେଟିବ । ବିଜୟୀ ଦଳ ୩୧ତାରିଖ ଦିନ ଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ଭେଟିବ ।

ଲିଗ ରାଉଣ୍ଡ୍‌ରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିସାରିଛନ୍ତି ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ରାଜସ୍ଥାନ ମୁଖ୍ୟତଃ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଓ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ କ୍ୱାଲିଫାୟର ପର୍ଯ୍ୟନ୍ତ ପହଞ୍ଚି ପାରିଛି । ବୈଭବ ଇତି ମଧ୍ୟରେ ୬୮୦ ରନ ସଂଗ୍ରହ କରିସାରିଛନ୍ତି ଓ ଅରେଞ୍ଜ କ୍ୟାପ୍ ନିଜ ନିଜଟରେ ରଖିଛନ୍ତି । ସେହିପରି ଧ୍ରୁବ ଜୁରେଲ ୫୦୮ ଓ ଯଶସ୍ୱୀ ଜୈସ୍ୱାଲ୍ ୪୨୬ ରନ ସଂଗ୍ରହ କରିଛନ୍ତି । ବୋଲିଂରେ ଆର୍ଚର ଇତି ମଧ୍ୟରେ ୨୪ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସେହିପରି ନାନ୍ଦ୍ରେ ବର୍ଗର ଓ ବ୍ରିଜେଶ ଶର୍ମା ୧୩ଟି ଲେଖାଏଁ ୱିକେଟ ନେଇଛନ୍ତି ।

 

ଗୁଜରାଟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏପର୍ଯ୍ୟନ୍ତ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଜାରି ରଖିଛି । ସାଇ ସୁଦର୍ଶନ, ଶୁଭମନ ଗିଲ ଓ ଜୋସ ବଟଲର ଚମତ୍କାର ଫର୍ମରେ ରହିଛନ୍ତି । ସୁଦର୍ଶନ ୬୫୨, ଗିଲ୍ ୬୧୮ ଓ ବଟଲର ୪୯୮ ରନ ସଂଗ୍ରହ କରିସାରିଛନ୍ତି । ସେହିପରି କାଗିସୋ ରାବାଡ଼ା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ରସିଦ ଖାନ ଶୃଙ୍ଖଳିତ ବୋଲିଂ ଜାରି ରଖିଛନ୍ତି । ରାବାଡା ୨୬ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରସିଦ ଖାନ ୧୯, ସିରାଜ ୧୭ ଓ ପ୍ରସିଦ୍ଧ କ୍ରିଷ୍ଣା ୧୫ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ଆଜି ବୈଭବ ଓ ଗୁଜରାଟ ପେସ୍ ବାହିନୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବା ନିଶ୍ଚିତ । ବୈଭବଙ୍କୁ ଆଉଟ୍ କରିବା ପାଇଁ ଗୁଜରାଟକୁ ଏକାଧିକ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ବୈଭବଙ୍କୁ ଅଟକାଇ ପାରିଲେ ଅତି କମ୍‌ ମ୍ୟାଚର ୫୦% ଗୁଜରାଟ ନିୟନ୍ତ୍ରଣକୁ ଚାଲି ଆସିବ । ଗୁଜରାଟକୁ ପ୍ରଥମେ ବେଙ୍ଗାଲୁରୁ ବିପକ୍ଷରେ କରିଥିବା ତ୍ରୁଟିକୁ ସୁଧାରିବା ଜରୁରି । ସଠିକ୍ ଇମ୍ପାକ୍ଟ ଖେଳାଳି ଚୟନ କରିବା ଅଧିନାୟକ ଗିଲଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ହେବ ।

ଅଧିକ ପଢ଼ନ୍ତୁ :-  Vaibhav Sooryavanshi: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରେ ଏମିତି କ’ଣ ଅଛି, ଯାହାଦ୍ବାରା ସେ ସବୁ ବଲକୁ ସହଜରେ ମାରୁଛନ୍ତି ଛକା, ଜାଣନ୍ତୁ ସତ କ'ଣ?

ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ। ତଥାପି କୁଲୱନ୍ତ ଖେଜ୍‌ରୋଲିଆଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭାବେ ଅର୍ସଦ ଖାନଙ୍କୁ ଫେରାଇ ଆଣିବା ଆଶା କରାଯାଉଛି । ସେ ନିମ୍ନ ଭାଗରେ ଦ୍ରୁତ ରନ ସଂଗ୍ରହ କରିବାର କ୍ଷମତା ରଖିଛନ୍ତି ।

ମୁଲନପୁର ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୪୩ ରନ ସଂଗ୍ରହ କରିଥିଲା ଓ ୪୭ରନରେ ବିଜୟ ହାସଲ କରିଥିଲା । ତେଣୁ ଆଜି ମଧ୍ୟ ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଗୁଜରାଟ: ଶୁଭମନ ଗିଲ୍(ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ରାହୁଲ ତେୱାତିଆ, ନିଶାନ୍ତ ସିନ୍ଧୁ, ରସିଦ ଖାନ, ଅର୍ସଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ରାଜସ୍ଥାନ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା/ଶୁଭମ ଦୁବେ, ଡାସୁନ ଶଣକା, ଜୋଫ୍ରା ଆର୍ଚର, ୟଶ ରାଜ ପୁଞ୍ଜା, ବ୍ରିଜେଶ ଶର୍ମା, ସନ୍ଦିପ ଶର୍ମା, ନାନ୍ଦ୍ରେ ବର୍ଗର ।