କେସିଙ୍ଗା,୦୬/୦୯: କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ୟୁରିଆ ସାରର ଘୋର ସମସ୍ୟା ଦେଖାଦେଇଛି । ୟୁରିଆ ସାର ଯୋଗାଡ଼ କରି ନପାରି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଅପରପକ୍ଷରେ କୃଷି ବିଭାଗ ପକ୍ଷରୁ ୟୁରିଆ ସାର ଯୋଗାଣରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାକୁ ଆବଶ୍ୟକତା ଠାରୁ ଅଧିକ ୟୁରିଆ ସାର ଯୋଗାଣ ସତ୍ତ୍ୱେ କାହିଁକି ଚାଷୀଙ୍କୁ ୟୁରିଆ ସାର ମିଳୁନାହିଁ ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ପରିସ୍ଥିତିରେ ଧାନ ଓ କପା ଚାଷ ପାଇଁ ୟୁରିଆ ସାର ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ତଳେ କେସିଙ୍ଗା ରେଲୱେ ରେକ୍ ପଏଣ୍ଟକୁ ୧୩୩୭.୪ ଶହ ମେଟ୍ରିକ ଟନ୍ ଆଇପିଏଲ ୟୁରିଆ ସାର ଆସିଥିଲା । ଏଥିରେ ବସ୍ତା ପିଛା ୪୫ କେଜି ହିସାବରେ ୨୯ ହଜାର ୭୨୦ ବସ୍ତା ରହିଥିଲା ।

ସେଥିମଧ୍ୟରୁ କେବଳ ୪୪୩.୫୨୦ ମେଟ୍ରିକ ଟନ୍ ଅର୍ଥାତ୍ ୯୮୫୬ ବସ୍ତା ୟୁରିଆ ସାର ମାର୍କଫେଡ୍ ଅଧିନରେ ଥିବା କେସିଙ୍ଗା ବୋଫରକୁ ଯୋଗାଇ ଦିଆଯାଇଥିଲା । ଅବଶିଷ୍ଟ ୧୯୮୬୪ ବସ୍ତା ୟୁରିଆ ସାର କେବଳ ଘରୋଇ ଡିଲରମାନଙ୍କୁ ଯୋଗାଇ ଦିଆଯାଇଥିଲା । ହେଲେ ୧୯୮୬୪ ବସ୍ତା ୟୁରିଆ ସାର କଳାହାଣ୍ଡି ଜିଲ୍ଲାର କେଉଁ କେଉଁ ଘରୋଇ ଡିଲରମାନଙ୍କ ପାଖକୁ ଯାଇଛି ତାହା ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ କେବଳ ମାର୍କଫେଡ୍ ଅଧିନସ୍ଥ କେସିଙ୍ଗା ବୋଫର ମ୍ୟାନେଜରଙ୍କ ଜରିଆରେ  ୨୬ ଗୋଟି ପେକ୍ସକୁ ୯୮୫୬ ବସ୍ତା ୟୁରିଆ ସାର ପଠାଯାଇଥିଲା । ଏଥିରେ ୩୦.୬ ଶହ ମେଟ୍ରିକ ଟନ୍ ରିଷିଡା ଏବଂ ୩୦.୪୨୦ ମେଟ୍ରିକ ଟନ୍ କର୍ଲାମୁଣ୍ଡା ପେକ୍ସ ଏବଂ ବାକି ଅନ୍ୟ ୨୪ ଗୋଟି ପେକ୍ସକୁ କେବଳ ୧୫.୩୦୦ ମେଟ୍ରିକ ଟନ୍ ଅର୍ଥାତ୍ ୩୪୦ ବସ୍ତା ଆଇପିଏଲ ୟୁରିଆ ସାର ଯୋଗାଇ ଦିଆଯାଇଥିଲା ।

ତେବେ ବର୍ତ୍ତମାନ ପରିସ୍ଥିତିରେ ଚାଷୀ ମାନଙ୍କ ଚାହିଦା ଦୃଷ୍ଟିରୁ ବିଭିନ୍ନ ପେକ୍ସକୁ ଆବଶ୍ୟକ ଅନୁସାରେ ଯେତିକି ୟୁରିଆ ସାର ପହଞ୍ଚିବା କଥା ତାହା ପହଞ୍ଚି ପାରିନଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।  ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଗଠନ ହୋଇଥିବା ପ୍ରାଥମିକ କୃଷି ସମବାୟ ସମିତି ମାନଙ୍କୁ ଆବଶ୍ୟକ ଅନୁସାରେ ୟୁରିଆ ସାର ଯୋଗାଇ ଦିଆନଯାଇ ଘରୋଇ ଡିଲରମାନଙ୍କୁ ଅଧିକ ସାର ଯୋଗାଇ ଦେବା ବିଷୟ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ୟୁରିଆ ସାର ପାଇଁ କେସିଙ୍ଗା ବ୍ଲକ ସମେତ ଅନ୍ୟ ବ୍ଲକର ବିଭିନ୍ନ ପେକ୍ସରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଚାଷୀ ନିଜ ଆଧାର କାର୍ଡ ଧରି ପେକ୍ସରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ୟୁରିଆ ସାର ନପାଇ ଚାଷୀ ନିରାଶ ହୋଇ ଘରକୁ ଫେରିଯାଇଥିଲେ ।‌

ଏବିଷୟରେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କରଙ୍କୁ ପଚାରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତଦନ୍ତ କରାଯାଉଛି ଏବଂ ଚାଷୀଙ୍କୁ ୟୁରିଆ ସାର ପାଇଁ ଆଉ ସମସ୍ୟା ରହିବ ନାହିଁ । ଦିନେ ଦୁଇଦିନ ଭିତରେ କଳାହାଣ୍ଡି ଜିଲ୍ଲାକୁ ଇଫକୋରେ ୟୁରିଆ ସାର ପହଞ୍ଚିବ ବୋଲି କହିଛନ୍ତି ।