ଭୁବନେଶ୍ୱର, ୩୧।୫ : ଓଡିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ଏଡିସି (ପୋଲିସ) ଭାବେ ନିଯୁକ୍ତି ଦେଇଛନ୍ତି I ଅନନ୍ୟା ଅୱସ୍ତି ରାଜ୍ୟପାଳଙ୍କ ସମ୍ମାନଜନକ ଏଡିସି ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ।
ରବିବାର ଲୋକଭବନରେ ରାଜ୍ୟପାଳ ଅନନ୍ୟା ଅୱସ୍ତିଙ୍କୁ ନୂତନ ପୋଲିସ ଏଡିସି ଭାବରେ ସ୍ୱାଗତ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ଅନନ୍ୟା ଅୱସ୍ତି କଟକର ୟୁପିଡିର ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି) ଭାବରେ କାର୍ଯ୍ୟରତ ଥିଲେ। ଓଡିଶାର ରାଜ୍ୟପାଳଙ୍କ ଏଡିସି ଭାବରେ କାର୍ଯ୍ୟ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଅନନ୍ୟା ଅୱସ୍ତି ଆଇପିଏସ୍ ଅଧିକାରୀ କୁଲଦୀପ ମୀନାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି।
ରାଜ୍ୟପାଳଙ୍କ ବିଭିନ୍ନ ସରକାରୀ କାର୍ଯ୍ୟ, ଆନୁଷ୍ଠାନିକ ସମାରୋହ ଏବଂ ଅନ୍ୟାନ୍ୟ ପ୍ରୋଟୋକଲ-ସମ୍ବନ୍ଧୀୟ କର୍ତ୍ତବ୍ୟ ନିର୍ବାହ ସମୟରେ ରାଜ୍ୟପାଳଙ୍କୁ ସହାୟତା କରିବାରେ ଏଡିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଦୁଇଜଣ ଏଡ଼ିସିଙ୍କ ମଧ୍ୟରେ ଜଣେ ଭାରତୀୟ ନୌସେନାର ଏବଂ ଅନ୍ୟ ଜଣେ ପୋଲିସ ଅଧିକାରୀ ଅଟନ୍ତି ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହର୍ଷିତ ଦେଓ ରାଜ୍ୟପାଳଙ୍କ ନୌସେନା ଏଡିସି ଭାବରେ କାର୍ଯ୍ୟରତ ଅଛନ୍ତି I