ତେହରାନ/ୱାଶିଂଟନ ଡିସି, ୦୭/୦୪ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ‘ମଙ୍ଗଳବାର ଡେଡ୍ଲାଇନ୍’କୁ ଥଟ୍ଟାରେ ଉଡ଼ାଇ ଦେଇଛି ଇରାନ । କହିଛି ହୋର୍ମୁଜ ପ୍ରଣାଳୀକୁ ଖୋଲାଯାଇ ପାରିବ ନାହିଁ । ଏହାର ଚାବି କେଉଁଠାରେ ହଜିଯାଇଛି । ପୁଣି କହିଛି, ଚାବିକୁ ଫୁଲଦାନି ତଳେ ସଜେଇ ରଖାଯାଇଛି । କେବଳ ବନ୍ଧୁ ରାଷ୍ଟ୍ର ପାଇଁ ଏହା ବ୍ୟବହୃତ ହେବ । ଆମେରିକା ରାଷ୍ଟ୍ରପତି ଇରାନକୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ । କହିଥିଲେ, ତୁରନ୍ତ ହୋର୍ମୁଜକୁ ନ ଖୋଲିଲେ, ଇରାନରେ ବିନାଶଲୀଳା ହେବ । ସବୁ ଛାରଖାର କରି ଦିଆଯିବ । ସୋମବାର ମଧ୍ୟ ସେ ନିଜ ଧମକପୂର୍ଣ୍ଣ ବୟାନକୁ ଦୋହରାଇଛନ୍ତି । ବିଦ୍ୟୁତ ଏବଂ ବ୍ରିଜ ଭଳି ଭିତ୍ତିଭୂମି ଉପରେ ହମ୍ଲା ହେବା ନେଇ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ୍ ଅନେକ ବାର ଧମକ ଦେଇଛନ୍ତି । କିନ୍ତୁ ଏଥର ତାଙ୍କ ଆଭିମୁଖ୍ୟ ଆହୁରି କଠୋର ଜଣାପଡ଼ୁ ଥିବାରୁ ବଡ଼ ଆକ୍ରମଣର ଭୟ ଘାରିଛି ।
ଟ୍ରମ୍ପ୍ଙ୍କ ଧମକକୁ ନେଇ ଇରାନର ନେତାମାନେ କଟାକ୍ଷ କରିଛନ୍ତି । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବଫ କହିଛନ୍ତି, ଟ୍ରମ୍ପ୍ ଜାଣିଶୁଣି ଆମେରିକାକୁ ‘ଜିଅନ୍ତା ନର୍କ’କୁ ଟାଣୁଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଆଭିମୁଖ୍ୟ ଆମେରିକାର କାର୍ଯ୍ୟରେ ପ୍ରତିଫଳିତ ହେଉଛି । ଟ୍ରମ୍ପ୍ଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ତୁମର ବେପରୁଆ କାର୍ଯ୍ୟ ଯୋଗୁ ପ୍ରତ୍ୟେକ ପରିବାର ନିମନ୍ତେ ଆମେରିକା ଏକ ନର୍କ ଆଡ଼କୁ ଅଗ୍ରସର ହେଉଛି । ଏହି ଯୁଦ୍ଧ ଅପରାଧରେ ତୁମେ କିଛି ପାଇବ ନାହିଁ । ଏହାର କେବଳ ଗୋଟିଏ ସମାଧାନ ହେଉଛି ଇରାନୀ ଲୋକଙ୍କ ଅଧିକାରକୁ ସମ୍ମାନ ଦିଅ ଏବଂ ଏଭଳି ଭୟଙ୍କର ଖେଳକୁ ଏହିଠାରେ ଶେଷ କର । ଇରାନ ଏହି ବୟାନ ଦେବା ସହ ଉପସାଗରୀୟ ଦେଶଗୁଡ଼ିକ ଉପରେ ପ୍ରଚଣ୍ଡ ହମଲା କରିଛି । ଏମିତିକି ହୋର୍ମୁଜ ଭଳି ‘ବାବ୍ ଏଲ୍-ମାଣ୍ଡେବ’ ପ୍ରଣାଳୀକୁ ବନ୍ଦ କରିଦେବାକୁ ଧମକ ଦେଇଛି ।
ଇରାନ ଆମେରିକାର ୧୫ ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । କହିଛି, ଦାବିଗୁଡ଼ିକୁ ଅତିରଞ୍ଜିତ କରି ବଢ଼ାଯାଇଛି । କୌଣସି ଚାପର ବଶବର୍ତ୍ତୀ ହୋଇ ଇରାନ ନିଷ୍ପତ୍ତି ନେବନାହିଁ । କେବଳ ଦେଶର ହିତକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବ । ସେପଟେ କାତାର୍ରୁ ଏଲ୍ଏନ୍ଜି ନେଇ ଯାଉଥିବା ଦୁଇଟି ବଡ଼ ଜାହାଜ ହୋର୍ମୁଜ ପ୍ରଣାଳୀ ଅଭିମୁଖେ ଆଗକୁ ବଢ଼ିବା ପରେ ଅଚାନକ ଫେରିଆସିଛି । ସିପ୍-ଟ୍ରାକିଂ ତଥ୍ୟ ମୁତାବକ, ଉଭୟ ଜାହାଜ ରାସ୍ ଲାଫାନ୍ ବନ୍ଦରରୁ ଫେବ୍ରୁଆରୀ ଶେଷ ଭାଗରେ ବାହାରି ପୂର୍ବ ଅଭିମୁଖେ ଆଗକୁ ବଢ଼ୁଥିଲା । ଏହି ଜାହାଜ ଦ୍ୱୟ କାତାର୍ର ସରକାରୀ ଶକ୍ତି କମ୍ପାନିର ନିୟନ୍ତ୍ରଣରେ ରହିଛି । ତେବେ କମ୍ପାନି ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହିଁ ।
ଏହି ଖବରଟିକୁ ପଢନ୍ତୁ- ଗୋଟିଏ ରାତିରେ ବି ଇରାନକୁ ଧ୍ୱଂସ କରି ଦେବୁ, ତାହା ମଙ୍ଗଳବାର ରାତି ହୋଇପାରେ : ଟ୍ରମ୍ପଙ୍କ ବଡ଼ ଦାବି